ଡିଆରଡିଏ ସମୀକ୍ଷା ବୈଠକ:ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ୭ ଦିନ ମଧ୍ୟରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

0
49

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ଗତକାଲି ଡିଆରଡିଏ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରି ବିଭିନ୍ନ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଥିବା ଓ କେତେକ ଆଦୌ ଆରମ୍ଭ ନ ହୋଇ ଥିବାରୁ ଜିଲ୍ଲାପାଳ ଏଥିରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବିଡ଼ିଓ ଓ ଯନ୍ତ୍ରୀଙ୍କ ଉପରେ ବିରକ୍ତି ପ୍ରକାଶ କରି ଆସନ୍ତା ୭ ଦିନ ମଧ୍ୟରେ କାର‌୍ୟ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଖିଲାପ କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାପରେ ଜିଲ୍ଲାର ଗ୍ରାମାଞ୍ଚଳରେ ୭୪ ପ୍ରତିଶତ ଘରେ ପାଇଖାନା ନିର୍ମାଣ ସରିଛି ଏବଂ ପୋଲସରା, ଖଲ୍ଲିକୋଟ, ବେଲଗୁଣ୍ଠା, ବୁଗୁଡ଼ା, କୁକୁଡାଖଣ୍ଡି, ପାତ୍ରପୁର ବ୍ଲକରେ ପାଇଖାନା ନିର୍ମାଣ କାର‌୍ୟ୍ୟ ଧୀରେ ଧୀରେ ଚାଲିଛି ବୋଲି କହିଥିଲେ ଏବଂ ବହୁ ସ୍ଥାନରେ କାମ ଆରମ୍ଭ ହୋଇ ନଥିବା ସମୀକ୍ଷାରୁ ଜଣାପଡିଛି । ସେହିପରି ଜିଲ୍ଲାରେ ଚାଲିଥିବା ଏସଟି ହଷ୍ଟେଲ ନିର୍ମାଣ କାର‌୍ୟ୍ୟର ଅଗ୍ରଗତି ନେଇ ବ୍ଲକୱାରୀ ସମୀକ୍ଷା କରାଯାଇଥିଲା । ମାସକ ମଧ୍ୟରେ ହଷ୍ଟେଲଗୁଡିକର ନିର୍ମାଣ କାର‌୍ୟ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଳମ୍ବ ହେଲେ ବ୍ଲକ ସହକାରୀ ଯନ୍ତ୍ରୀମାନେ ଦାୟୀ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଛତ୍ରପୁରଠାରେ ଥିବା ଦକ୍ଷତା ତାଲିମ କେନ୍ଦ୍ରରେ ଗରିବ ପିଲାମାନଙ୍କ ନାମ ଲେଖାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି । ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବାକୁ କୁହାଯାଇଛି । ଏହାସହ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ, ଜୀବିକା ମିଶନର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଏମଜିଏମଆରଇଜିଏସରେ ଶ୍ରମ ଦିବସ ବୃଦ୍ଧି କରିବା ସହ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟରେ ସାରିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆବାସ ଯୋଜନାରେ ଘର ନିର୍ମାଣ ସାରିବାକୁ ମଧ୍ୟ କୁହାଯାଇଛି । ଏହି ବୈଠକରେ ଡିଆରଡ଼ିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏପିଡ଼ି ଦେବବ୍ରତ ସାହୁ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରତାପ ମହାପାତ୍ରଙ୍କ ସମେତ ବିଡ଼ିଓ, ସରକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here