ହିଞ୍ଜିଳିକାଟୁ (ଓବି ନ୍ୟୁଜ) (ପବିତ୍ର କୁମାର ପାତ୍ର) ; ହିଞ୍ଜିଳିକାଟୁ ପୌରପରିଷଦ ରେ ଥିବା ଷ୍ଟେଟ୍ ବ୍ୟାଙ୍କର କିଛି ବଡ଼ ଦିଦି ଆଜ୍ଞା ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପିଅନ ମାନଙ୍କ ବ୍ୟବହାର ସାଧାରଣ ଲୋକଙ୍କ ପ୍ରତି ବେପରୁଆ ହେବା ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାର ଲକ୍ଷ୍ୟ ସଫଳ ହୋଇ ପାରୁନଥିବା ସାଧାରଣ ଲୋକେ କହନ୍ତି । କେତେବେଳେ ସରକାରୀ ବାବୁଙ୍କ ମନମୁଖୀ କାରବାର ତ କେବେ ବ୍ୟାଙ୍କ ଵାଲାଙ୍କ ଜୁଲୁମ । ଏ ଭିତରେ ଜୁଞ୍ଜି ହୋଇଛନ୍ତି ସାଧାରଣ ଜନତା । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରେ ସୁବିଧା ପାଇବା ପାଇଁ ହେଲେ ବ୍ୟାଙ୍କ ଖାତା ଟି ନିହାତି ଜରୁରୀ ରହୁଥିବା ବେଳେ ସାଧାରଣ ବ୍ୟକ୍ତିଙ୍କୁ ବ୍ୟାଙ୍କରେ ଖାତା ଖୋଲିବା କାଠିକର ପାଠ ହୋଇପଡ଼ିଛି । ବିଭିନ୍ନ ପ୍ରକାର ଆଳ ଦେଖାଇ ପଦାଧିକାରୀ ତଥା କର୍ମଚାରୀମାନେ ଲୋକଙ୍କୁ ବାରମ୍ବାର ଫେରାଉଥିବା ବିଷୟ ବ୍ୟାଙ୍କର ଜନୈକ ଗ୍ରାହକ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକୁ ମଧ୍ୟ ଏହି ଷ୍ଟେଟବ୍ୟାଙ୍କ କତ୍ତୃପକ୍ଷ ଠିକ ଭାବେ କାର୍ଯ୍ୟକାରୀ କରୁନଥିବା ନେଇ ଜନୈକ ସରକାରୀ କର୍ମଚାରୀ ନାମ ଗୋପନ ରଖି ଅଭିଯୋଗ କରିଛନ୍ତି। ଏହି ଷ୍ଟେଟବ୍ୟାଙ୍କ ମଧ୍ୟରେ ବିଭିନ୍ନ ଏକାଉଣ୍ଟ ନିମନ୍ତେ ଭିନ୍ନ ଭିନ୍ନ କାଉଣ୍ଟର ଖୋଲିବାର ନିୟମ ରହିଥିଲେ ହେଁ ସ୍ଥାନୀୟ ଷ୍ଟେଟବ୍ୟାଙ୍କ କତ୍ତୃପକ୍ଷଙ୍କ ମନମୁଖୀ ଶାସନ ତଥା କର୍ମଚାରୀ ଅଭାବ ଏବଂ ବାରମ୍ବାର ଇଣ୍ଟରନେଟ୍ ସେବା ଅଚଳ ହେଉଥିବା ଯୋଗୁଁ ଗ୍ରାହକମାନେ ଲମ୍ବାଧାଡ଼ି କରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି, ଶେଷରେ ବିରକ୍ତ ଭାବ ପ୍ରକାଶ କରି ନିରାଶରେ ଫେରିଯାଉଛନ୍ତି । ଏହି ବ୍ୟାଙ୍କ କୁ ଦୈନିକ ହଜାର ହଜାର ଗ୍ରାହକ ଆଖପାଖ ଅଞ୍ଚଳରୁ ଆସିଥାନ୍ତି । ହେଲେ ସେହି ତୁଳନାରେ ଦକ୍ଷ ତଥା ଆବଶ୍ୟକ କର୍ମଚାରୀ ନାହାନ୍ତି। କୌଣସି କର୍ମଚାରୀ ଛୁଟିରେ ଗଲେ ସେହି କାଉଣ୍ଟର ବନ୍ଦ ରହିଥାଏ । ଯାହାକି ଗ୍ରାହକମାନଙ୍କର କାର୍ଯ୍ୟ ବିଳମ୍ବରେ ହେଉଛି। ବ୍ୟାଙ୍କରେ ଭିନ୍ନକ୍ଷମ ତଥା ବୃଦ୍ଧ, ବୃଦ୍ଧାଙ୍କ ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା ହୋଇ ପାରିନଥିବାରୁ ଉକ୍ତ ମହଲରେ ନିନ୍ଦା କରାଯାଇଛି । ସହର ରେ ଷ୍ଟେଟ୍ ବ୍ୟାଙ୍କର ୨ଟି ଏଟି.ଏମ ରହିଥିବା ବେଳେ ଅଧିକାଂଶ ସମୟ ମେସିନ ଅଚଳ ହୋଇ ରହୁଛି ଯାହା ଫଳରେ ଏଟି.ଏମ ମେସିନ ରହି ମଧ୍ୟ ନରହିଲା ପରି ମନେ ହୋଇଛି । ପାସବୁକ ପ୍ରିଣ୍ଟ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଅଧିକାଂଶ ଦିନ ଅଚଳ ରହୁଛି । ଏହି ବ୍ୟାଙ୍କଟି ଏହି ଅଞ୍ଚଳ ର ପୁରାତନ ବ୍ୟାଙ୍କ ହୋଇଥିଲେ ମଧ୍ୟ ଏପରି ସବୁ ଅବ୍ୟବସ୍ଥା ଲାଗି ରହେ ତେବେ ବ୍ୟାଙ୍କର ବ୍ୟବସାୟ ଓ ସୁନାମ ପ୍ରତି ଆଞ୍ଚ ଆସିପାରେ ବୋଲି ବୁଦ୍ଧଜୀବି ମହଲରେ ମତ ପ୍ରକାଶ ପାଇଛି । ବ୍ୟାଙ୍କ ଆଧୁନିକିକରଣ ହୋଇଥିଲେ ମଧ୍ୟ ବୈଷୟିକ ଜ୍ଞାନ କୌଶଳ ଅଭାବ ଯୋଗୁଁ ଗ୍ରାହକମାନଙ୍କୁ ଉଚିତ୍ ସେବା ଯୋଗାଇବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ବିଷୟ ବ୍ୟାଙ୍କର କିଛି କର୍ମଚାରୀ ଏଠାରେ ପ୍ରକାଶ କରିଛନ୍ତି । ଏଣୁ ବ୍ୟାଙ୍କର ଏହି ସବୁ ବିପର୍ଯ୍ୟସ୍ତ ବ୍ୟବସ୍ଥା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ମୁତାବକ ଦକ୍ଷ କର୍ମଚାରୀ ସାଙ୍ଗକୁ ପ୍ରତ୍ୟେକ ବିଭାଗ ପାଇଁ ଅଲଗା ଅଲଗା କାଉଣ୍ଟର ଖୋଲାଯିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।