ପୌର ନିର୍ବାଚନ ତାରିଖ ଘୋଷଣା ନହେଉଣୁ ପୌରାଧ୍ୟକ୍ଷ ପ୍ରାର୍ଥୀ ପାଇଁ ସରକାରୀ ଦଳର ବଢୁଛି ତାତି

0
19

ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ସାଧାରଣ ନିର୍ବାଚନ ସରିଯାଇଛି। ଏଯାଏଁ ନିର୍ବାଚନୀ ଉଷ୍ମତା କମିନଥିବା ବେଳେ ପୌର ନିର୍ବାଚନ ପାଇଁ ସବୁ ଦଳ ତରଫରୁ ଏବେଠୁ କସରତ ଆରମ୍ଭ ହୋଇଗଲାଣି। ମହାନଗର ନିଗମ ଏବଂ ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବା ଘୋଷଣା ପରେ ଏବେ ସବୁ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ ଜମୁଥିବା ବେଳେ ଆଶାୟୀ ଏବଂ ତାଙ୍କ ସମର୍ଥକ ମାନଙ୍କ ଭିତରେ ଟଣା ଓଟରାରେ ପ୍ରତ୍ୟେକ ଦଳର ଆଭ୍ୟନ୍ତରୀଣ କନ୍ଦଳ ଦାଣ୍ଡରେ ପଡ଼ିଲାଣି। ତେବେ ଏ ଟଣା ଓଟରା ଶାସକ ଦଳରେ ସବୁଠାରୁ ଅଧିକ। ଆଉ ହେବା ମଧ୍ୟ ସ୍ୱାଭାବିକ ଦେଶରେ ପୂର୍ବ ରେକର୍ଡ ଭାଙ୍ଗି ଲଗାତାର ପଞ୍ଚମ ପାଳିର ମୁଖ୍ୟମନ୍ତ୍ରୀ। ତେଣୁ ରାଜ୍ୟରେ ଚାଲିଥିବା ନବୀନ କ୍ରେଜରେ ନିର୍ବାଚନୀ ବୈତରଣୀ ଏତେ ସହଜରେ ପାର ହେଇଯିବା ସୁବିଧାଟିକୁ ଶାସକ ଦଳର ନେତା ମାନେ ହାତ ଛଡା କରିବାକୁ ଚାହୁଁନାହାନ୍ତି।
ତେବେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ତଥା ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ହିଞ୍ଜିଳିକାଟୁ ଉପରେ ସମସ୍ତଙ୍କ ଆଖି। ମୁଖ୍ୟମନ୍ତ୍ରୀ ଏଠାରୁ ନିର୍ବାଚିତ ହେବା ପରଠାରୁ ଲଗାତାର ପୌର ପରିଷଦ ଉପରେ ମଧ୍ୟ ବିଜୁ ଜନତା ଦଳର ଦବଦବା ରହିଛି। ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସମୟରେ ମଧ୍ୟ ନଗର ନିର୍ବାଚନ ପାଇଁ ଉଭୟ ଦଳ ଭିତରେ ମେଣ୍ଟ ହୋଇପାରିନଥିଲା ଭିନ୍ନ ଭିନ୍ନ ଲଢ଼ି ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ଲାଭ କରି ଅଧ୍ୟକ୍ଷ ପଦବୀ ହାତେଇବାରେ ସଫଳ ହୋଇଥିଲା ବେଳେ ବିଜେପି ମାତ୍ର ୩ଟି ୱାର୍ଡ ପାଇ ସନ୍ତୋଷ ହୋଇଯାଇଥିଲା। ୨୦୦୯ ନଗର ନିର୍ବାଚନ ପାଇଁ ଉଭୟ ଦଳ ଭିତରେ ମେଣ୍ଟ ହୋଇଥିବା ବେଳେ ବିଜେପି ୩ଟି ୱାର୍ଡରେ ଲଢ଼ି ୨ଟି ୱାର୍ଡରେ ବିଜୟୀ ହୋଇଥିଲା। ସେହିପରି ୨୦୧୩ ପୌର ନିର୍ବାଚନରେ ଶାସକ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ପ୍ରଚଣ୍ଡ ରୂପ ନେଇଥିଲା, ଯଦ୍ୱାରା ଶାସକ ଦଳର ପୂର୍ବତନ ନଗରପାଳଙ୍କ ସମର୍ଥିତ ପ୍ରାର୍ଥୀଙ୍କ ସମେତ ୦୫ ବରିଷ୍ଠ ବିଜେଡି ନେତା ନିର୍ବାଚନ ହାରିଯାଇଥିଲେ। ଅପରପକ୍ଷେ ବିଜେପି କେବଳ ଗୋଟିଏ ୱାର୍ଡରେ ପ୍ରାର୍ଥୀ ଦେଇ ମଧ୍ୟ ବିଜୟୀ ହୋଇନପାରିବା ଅପାରଗ ନେତୃତ୍ୱକୁ ପ୍ରଦର୍ଶିତ କରିଥିଲା। ସେହିପରି କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଥିଲେ।ତେବେ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କୁ ପରାଜୟର ସ୍ୱାଦ ଚଖାଇ ବିଜୟୀ ହୋଇଥିବା ୦୫ ସ୍ୱାଧୀନ କାଉନସିଲର ତତ୍କାଳୀନ ସମୟରେ ପୌର ପରିଷଦ ଅଧ୍ୟକ୍ଷାଙ୍କୁ ସମର୍ଥନ କରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ଗତ ସାଧାରଣ ନିର୍ବାଚନ ସମୟରେ କଂଗ୍ରେସ କାଉନସିଲର ଜଣଙ୍କ ମଧ୍ୟ ବି.ଜ.ଦ ରେ ସାମିଲ ହୋଇଛନ୍ତି। ତେଣୁ ପରୋକ୍ଷରେ ୧୩ ପୌର ନିର୍ବାଚନରେ ମଧ୍ୟ ଏକ ରକମ ବି.ଜ.ଦ କ୍ରେଜ ଜାରୀ ରହିଥିବା କଥାକୁ କେହି ଅସ୍ବୀକାର କରିପାରିବେନି ଏବଂ ବିରୋଧୀ ମଧ୍ୟ ସତ୍ତାଶୁନ୍ୟ।
ଆସନ୍ତା ପୌର ନିର୍ବାଚନ ହିଞ୍ଜିଳିକାଟୁ ସହର ପାଇଁ ଅନେକ ମହତ୍ତ୍ୱ ବହନ କରିବା ସହ ଏଥରର ନିର୍ବାଚନୀ ରଣାଙ୍ଗନ ମଧ୍ୟ ବେଶ ରୋଚକ ହେବ। ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଗତ ଥର ହିଞ୍ଜିଳିକାଟୁରେ ନିର୍ବାଚନ ହୋଇଥିବା ବେଳେ ପୌରାଞ୍ଚଳ ଘୋଷଣା ପରେ ଏହା ପ୍ରଥମ ନିର୍ବାଚନ ହେବାକୁ ଥିଲା ବେଳେ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ସିଧା ସଳଖ ନିର୍ବାଚନ ହେବ। ତେବେ ପରିଷଦ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ବେଳେ ଗତ ଦୁଇ ଦୁଇଟି ନିର୍ବାଚନରେ ଦଳର ହାଇକମାଣ୍ଡ, ମୁଖ୍ୟମନ୍ତ୍ରୀ ଯାହାଙ୍କ ଉପରେ ଲଗାତାର ଆସ୍ଥା ପ୍ରକଟ କରି ଆସୁଥିଲେ ଏବେ ପ୍ରତ୍ୟକ୍ଷ ନିର୍ବାଚନରେ ମଧ୍ୟ ସେ ସେହି ପରମ୍ପରାକୁ ବଜାୟ ରଖିବେ କି କିଛି ନୂଆ ଏକ୍ସପେରିମେଂଟ କରିବେ ସେନେଇ ସସପେନ୍ସ ବଳବତ୍ତର ରହିଛି। ତେବେ ଆହୁରି ଅନେକ ନେତା ଦୌଡ଼ରେ ନଜର ଆସିଲେଣି। ତେବେ ପୌର ନିର୍ବାଚନ ପାଇଁ କୌଣସି ପ୍ରକାରର ସଂରକ୍ଷଣ ଘୋଷଣା ହୋଇନଥିବାରୁ ନେତାଙ୍କ ମନରେ ବି ଅନିଶ୍ଚିତତା ଲାଗି ରହିଛି। ଥରେ ନିଜେ ଉପନଗରପାଳ ଏବଂ ଗତ ନିର୍ବାଚନରେ ତାଙ୍କ ପତ୍ନୀ ପରିଷଦ ଅଧ୍ୟକ୍ଷା ପଦ ସମ୍ଭାଳି ଥିବା ପବିତ୍ର ମୋହନ ପାଣିଗ୍ରାହୀ ରେସରେ ସର୍ବାଗ୍ରେ ରହିଥିବା ବେଳେ ଯୁବ ବିଜେଡି ନେତା ନୀଳମଣି ପଟ୍ଟନାୟକ, ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ ମଧ୍ୟ ରେସରେ ଅଛନ୍ତି। ତେବେ ସଂରକ୍ଷଣ ଘୋଷଣା ହୋଇନଥିଲେ ମଧ୍ୟ ସଂରକ୍ଷଣକୁ ଆଶା ବାନ୍ଧି ପାଗ ଭିଡ଼ିଲେଣି ଅନେକ ନେତା। ଯଦି ଅଧ୍ୟକ୍ଷ ଆସନ ପଛୁଆ ବର୍ଗ ପାଇଁ ସଂରକ୍ଷୀତ ହୁଏ ତେବେ ପୂର୍ବତନ ନଗରପାଳ ଶିବରାମ ଗୌଡ଼ ପ୍ରତିଦ୍ୱନ୍ଦିତା କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଯଦି ଅନୁସୂଚିତ ଜାତି ପାଇଁ ସଂରକ୍ଷୀତ ହୁଏ ତେବେ ଅବସରପ୍ରାପ୍ତ ଶିକ୍ଷକ ତଥା ନଗର ବି.ଜ.ଦ ସଭାପତି ଭୀମସେନ ବେହେରା ପ୍ରତିଦ୍ୱନ୍ଦିତା କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସେହିପରି ଗତ ସାଧାରଣ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୂଆ ମୁହଁ ଓ ଯୁବ ବ୍ୟକ୍ତିତ୍ୱ ଉପରେ ଆସ୍ଥା ପ୍ରକଟ କରିବା ସହ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଅନେକ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ କରିଛନ୍ତି। ତେଣୁ ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ପୌରାଞ୍ଚଳ ପ୍ରତିନିଧି ତଥା ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା ମଧ୍ୟ ରେସରେ ଅଛନ୍ତି। ଅପରପକ୍ଷେ ବିରୋଧୀ ଦଳର ଅସନ୍ତୁଷ୍ଟ ନେତାମାନେ ମଧ୍ୟ ବି.ଜ.ଦରେ ସାମିଲ ହେଲେ ପୁରସ୍କାର ସ୍ୱରୂପ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ପଦ ଅଫର କରିପାରନ୍ତି। ଏହି ଲିଷ୍ଟରେ ଜଣେ ବିଜେପି ନେତାଙ୍କ ନାଁ ସର୍ବାଗ୍ରେ ଥିବା ଶୁଣିବାକୁ ମିଳୁଥିବା ବେଳେ ସେ ବିଜୁ ଜନତା ଦଳ ସମ୍ପର୍କରେ ଥିବା ନେଇ ବଜାରରେ ଚର୍ଚ୍ଚା ଜୋର ଧରିଲାଣି। ସେହିପରି ଏଥର ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ପ୍ରମିଳା ବିଷୋୟୀ କାର୍ଡ ଖେଳିବାର ସମ୍ଭାବନାକୁ ମଧ୍ୟ ସନ୍ଦେହ କରାଯାଇ ନପାରେ। ତେବେ ନିର୍ବାଚନ କାର‌୍ୟ୍ୟସୂଚୀ ଏବଂ ସଂରକ୍ଷଣ ଘୋଷଣା ପରେ ଚିତ୍ର ଅଧିକ ସ୍ପଷ୍ଟ ହୋଇଯିବ।

LEAVE A REPLY

Please enter your comment!
Please enter your name here