ଦିଗପହଣ୍ଡି(ଓବି ନ୍ୟୁଜ୍): ଦିଗପହଣ୍ଡି ଘୋଡାହାଡ ମୁଖ୍ୟ ରାସ୍ତା କଇଠଖଣ୍ଡି ଛକ ଠାରୁ ନିମଖଣ୍ଡିପେଣ୍ଠ ଗାଁକୁ ରାସ୍ତା ଏବେ ଶୋଚନୀୟ ହୋଇଯାଇଥିବା ଦେଖିବାକୁ ମିଳିଛି । ଗତ ତିନି ଦିନ ଧରି ଲାଗିଥିବା ଝଡି ବର୍ଷାରେ ରାସ୍ତା ଉପରେ ପାଣି କାଦୁଅ ଭର୍ତ୍ତି ହୋଇ ରହିଥିବା ବେଳେ ମାଟି ସବି ଧୋଇ ହୋଇଚାଲିଯାଇଥିବା ଦେଖିବାକୁ ମିଳିଛି । ଫଲତଃ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି । ଦୈନିକ ଉକ୍ତ ରାସ୍ତା ଦେଇ ଶତାଧିକ ଲୋକେ ଯାତାୟତ କରୁଥିବା ବେଳେ ରାସ୍ତା ସବୁ ଖାଲଖମାରେ ଭର୍ତ୍ତି ହୋଇଥିବା ହେତୁ ସମସ୍ୟା ସୃଷ୍ଟି ହୋଇଛି । ବିଶେଷ କରି ବର୍ଷା ଦିନରେ ଉକ୍ତ ଖାଲଖମା ସବୁ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରିଥିବା ଆଲୋଚନା ହେଉଛି ।
ପ୍ରକାଶଯେ, ଖଇଠଖଣ୍ଡି ଛକ ଠାରୁ ଭାୟା ଭିଷ୍ମଗିରୀ ହୋଇ ଡେଙ୍ଗାଓସ୍ତା ଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ରହିଥିଲା । ଗତ ତିନି ବର୍ଷ ହେବ ଏହା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ଜାଣିବାକୁ ମିଳିଛି । ସମ୍ପ୍ରତ୍ତି ଉକ୍ତ ୧୫ କିଲୋମିଟର ରାସ୍ତାର ଏବେ ଉନ୍ନତିକରଣ କାର୍ୟ୍ୟ ଚାଲୁ ରହିଛି । ୧୭ କୋଟି ଟଙ୍କା ବ୍ୟୟ ବରାଦରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ୟ୍ୟ ଜାରି ରହିଛି । ତେବେ ଖୁବ୍ ଶୀଘ୍ର କାର୍ୟ୍ୟ ଶେଷ ହେବା ପରେ ଗ୍ରାମବାସୀ ଏବଂ ପଥଚାରୀ ମାନେ ଉପକୃତ ହେବେ ବୋଲି ପୂର୍ତ୍ତ ବିଭାଗ (ରାସ୍ତା ଓ କୋଠାବାଡି ) କନିଷ୍ଠ ଯନ୍ତ୍ରୀ ଅଶୋକ ପୁହାଣ କହିଛନ୍ତି ।
ସୂଚନାଯୋଗ୍ୟଯେ, ଦୈନିକ କଇଠଖଣ୍ଡି, ନିମଖଣ୍ଡିପେଣ୍ଠ, ଚଷା ନିମଖଣ୍ଡି, ମେଘଝୋଳି, ଭିଷ୍ମଗିରୀ, ଜକମେରୀପଲ୍ଲୀ, ଜଲମେରୀପଲ୍ଲୀ, ଲୁଣୁଲୁଣିଆ, ଖମ୍ବାରୀ ଗାଁ, ସାମନ୍ତରାପୁର, ପନ୍ନାଡ ସମେତ ଆଖପାଖ ଗ୍ରାମାଞ୍ଚଳର ବାସିନ୍ଦା ଯାତାୟତ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ ହୋଇ ଉଠିଥିବା ବେଳେ ତୁରନ୍ତ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି । ଅପରପକ୍ଷେ ଘୋଡାହାଡ କେନାଲ ସବୁ ରାସ୍ତା ପାଶ୍ୱର୍ରେ ରହିଥିବା ହେତୁ ଜଳସେଚନ ବିଭାଗ ସହିତ ପୂର୍ତ୍ତ ବିଭାଗର ସମ୍ଝୋତା କରି ରାସ୍ତା ଉନ୍ନତିକରଣ କାର୍ୟ୍ୟ କରାଯାଉଥିବା ହେତୁ ସମୟ ସାପେକ୍ଷ ହେଉଥିବା ଏବଂ ଜଟିଳତା ସୃଷ୍ଟି ହେଉଥିବା ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।