ଭାତ ମୁଠା ପାଇଁ ଜୀବନକୁ ବାଜି ମାରି ଚାଲିଛି ବାଉଁଶ ଉପରେ ଖେଳ

0
53

ମୋହନା (ଓବି ନ୍ୟୁଜ) ( ଗଣେଶ ବିଷୋୟୀ): ପେଟ ପୋଷ ନାହିଁ ଦୋଷ । ନିଜ ପେଟ ଚାଖଣ୍ଡକ ପାଇଁ ହେଉ କି ନିଜ ପରିବାର ଲୋକଙ୍କ ଭୋକ ମେଂଟାଇବା ପାଇଁ ହେଉ । କିଏ କେଉଁ କର୍ମକୁ ଆଦରି ନେଇଥାନ୍ତି । ସେମିତି ଏକ ପେଷା ହେଲା ବାଉଁଶରାଣୀର ବାଉଁଶ ଖେଳ । ବର୍ଷ ବର୍ଷ ଧରି ଏକ ନିର୍ଦ୍ଧିଷ୍ଟ ପରିବାରର ଲୋକମାନେ ପୁରୁଷାନୁକ୍ରମେ ଏହି ବାଉଁଶ ଖେଳ ଦେଖାଇ ନିଜ ପରିବାରକୁ ପୋଷି ଆସୁଥିବା ବେଳେ ଲୋକଙ୍କ ମନୋରଞ୍ଜନ ମଧ୍ୟ କରି ଆସୁଛନ୍ତି । ଅତୀତରେ ପଲ୍ଲୀରୁ ସହର ଏହି ଖେଳ ଦେଖିବାକୁ ମିଳୁଥିବା ବେଳେ ଏବେ ଧୀରେ ଧୀରେ ହଜି ଗଲାଣି । ସରକାରଙ୍କର ଭିନ୍ନ ଭିନ୍ନ ଯୋଜନା ଯୋଗୁଁ ଏହି କାଉଁଶ ଖେଳକୁ ନିଜକୁ କୌଳିକ ବୃତି ରୂପେ କରି ଆସୁଥିବା ସେହି ନିର୍ଦ୍ଧିଷ୍ଟ ପରିବାରର ଲୋକମାନେ ନିଜକୁ ସେହି ଖେଳରୁ ଦୂରେଇ ରଖୁଥିବା ବେଳେ ଆଜି ବି କିଛି ପରିବାର ସରକାରଙ୍କ ଯୋଜନାରୁ ବଂଚିତ ହୋଇ କିମ୍ବା ପିଲାମାନଙ୍କୁ ପାଠ ପଢାରୁ ବଂଚିତ କରାଇ ଏହି ଖେଳକୁ ନିଜର ଜୀବନ ଜୀବିକା ରୂପେ ଆଦରି ନେଇଛନ୍ତି । ସେମିତି ଏକ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଠାରେ । ବିଦ୍ୟାଳୟ ସମ୍ମୁଖରେ କୁନି ଝିଅଟିଏ ବାଉଁଶ ଉପରେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ଖେଳ ପ୍ରଦର୍ଶନ କରୁଥିବା ବେଳେ ଦର୍ଶକମାନେ ମନଭରି ଉପଭୋଗ କରୁଥିଲେ ବି ପିଲାର ଭବିଷ୍ୟତକୁ ନେଇ ଆହା ଚୁଚୁ କରିବାକୁ ମଧ୍ୟ କେହି ଉଚିତ ମଣି ନଥିଲେ । ସମ୍ମୁଖରେ ଥିବା ବିଦ୍ୟାଳୟରେ ତା ବୟସର ପିଲାମାନେ ପାଠ ପଢୁଥିବା ବେଳେ କୁନି ଝିଅଟିର ମନ ମଧ୍ୟ ହୁଏତ କହୁଥିବ ମୁଁ ବି ପାଠ ପଢି ପାରିଥାନ୍ତି କି । ଯାଯାବର ପରି ବୁଲି ବୁଲି ବାଉଁଶ ଉପରେ ଖେଳ ଦେଖାଉଥିବା ଏହି ପରିବାରଙ୍କ ପରି ଅନେକେ ମଧ୍ୟ ଆଜି ବି ମୁଣ୍ଡ ଉପରେ ଛାତ ଓ ପେଟକୁ ଦୁଇ ମୁଠା ଦାନା ପାଇବାରୁ ବଂଚିତ ହୋଇଛନ୍ତି । ଏଣୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରି ସରକାରଙ୍କ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ଅବଗତ କରାଇଲେ ହୁଏତ ସେମାନଙ୍କ ପରିବାରରେ ଖୁସିର ଲହରି ଖେଳିପାରିବ ।

LEAVE A REPLY

Please enter your comment!
Please enter your name here