ବିଦ୍ୟାଳୟରେ ଫୁଟିଲା ବୋମା, ଦୁଇ ଛାତ୍ର ଆହତ

0
113

ଆସିକା/ବ୍ରହ୍ମପୁର(ଓବି ନ୍ୟୁଜ)(ସ୍ୱତନ୍ତ୍ର ପ୍ରତିନିଧି ସୁନିଲ କୁମାର ସାହୁ): ବିଦ୍ୟାଳୟ ପରିସରରେ ଫୁଟିଲା ବୋମା । ଏଥିରେ ଦୁଇଜଣ ନିରୀହ ଛାତ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏ ନେଇ ସାରା ଅଂଚଳରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି । ବିଦ୍ୟାଳୟରେ ବାରମ୍ବାର ଏପରି ଅଘଟଣ ପରେ ଅଘଟଣ ଘଟୁଛି, ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ତଥାପି ବିଦ୍ୟାଳୟରେ ଏଭଳି ଅଘଟଣ କିପରି ଘଟୁଛି, ସେ ନେଇ ସରକାରଙ୍କ ମନରେ କେବେ ଛନକା ପଶିବ, ତାହା ଦେଖିବାର ରହିଲା । ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିଲେ ମଧ୍ୟ ସ୍କୁଲ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି କିପରି ଦେଉନାହାନ୍ତି? ଏପରିକି ଘଟଣା ଗତ କିଛିଦିନ ପୂର୍ବରୁ ଗଂଜାମ ଜିଲ୍ଲା ପୁୁରୁଷୋମପୁର ବ୍ଲକ ଅନ୍ତର୍ଗତ ବାଘଳା ପଂଚାୟତ ଆଙ୍ଗୁ ଗ୍ରାମରେ ଥିବା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନୂତନ ନିର୍ମିତ ଏକ ନାମ ଫଳକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କ ଉପରେ ପଡ଼ିଯିବା ଫଳରେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ସେହିଭଳି ପୁଣିଥରେ ଏମିତି ଏକ ବଡ଼ ଘଟଣା ଘଟିଛି ଗଂଜାମ ଜିଲ୍ଲା ଆସିକା ଥାନା ମାଗୁରା ଗ୍ରାମର ସରକାରୀ ବିଦ୍ୟାଳୟରେ । ସୂଚନା ଯୋଗ୍ୟ ଯେ ଆସିକା ଥାନା ଅନ୍ତର୍ଗତ ମାଗୁରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଥିବା ହେତୁ ସକାଳୁ ବିଦ୍ୟାଳୟ ଚାଲୁ ରହିଥିଲା । ସେଠାରେ ମଧ୍ୟାହ୍ନ ଭୋଜନ ଖାଇବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଛଡ଼ାଯାଇଥିଲା । ସେଥିମଧ୍ୟରୁ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ରାଜା ନାୟକ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଚନ୍ଦନ ସ୍ୱାଇଁ ଶୌଚ କରିବା ପାଇଁ ଯାଉଥିବା ସମୟରେ ସେଠାରେ ପଥର ଫୁଟାଇବା ନିମନ୍ତେ ଡିଟୋନେଟର ପଡ଼ିଥିବା ଦେଖି ତାକୁ ଫୋପାଡ଼ୁଥିବା ସମୟରେ ହଠାତ ଏହି ଡିଟୋନେଟରଟି ଫୁଟି ଯାଇଥିଲା । ଯାହାଫଳରେ ଦୁଇ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିଲେ । ବିଦ୍ୟାଳୟରେ ପ୍ରଚଣ୍ଡ ଶବ୍ଦ ଶୁଣି ଶିକ୍ଷକମାନେ ସଙ୍ଗେ ସଙ୍ଗେ ପହଂଚି ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାର ଖବର ପାଇ ଆସିକା ଥାନା ପୁଲିସ ବିଦ୍ୟାଳୟରେ ପହଂଚି ତଦନ୍ତ ଆରମ୍ଭ କରିଛି । ପ୍ରଶ୍ନ ଉଠୁଛି ଯେ ବିଦ୍ୟାଳୟରେ ଏପରି ଡିଟୋନେଟର କେଉଁଠାରୁ ଆସିଲା ନା କିଏ ଜାଣିଶୁଣି ପକାଇଥିଲା, ତାହା ତଦନ୍ତ ପରେ ଜଣାପଡ଼ିବ । ଘଟଣା ନେଇ ବିଦ୍ୟାଳୟ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ମାଗୁରା ଗ୍ରାମରେ ଏବେ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here