ବିପଦ ସଂକୁଳ ଅବସ୍ଥାରେ ଥିବା ପାଟପୁର ପ୍ରାଥମିକ ବିଦ୍ୟାଳୟର ଗୃହ ନିର୍ମାଣ ସକାଶେ ଗ୍ରାମବାସୀ, ଅଭିଭାବକ ଏବିଇଓଙ୍କୁ ଭେଟିଲେ

0
39

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଂଚାୟତର ପାଟପୁର ପ୍ରାଥମିକ ବିଦ୍ୟାଳୟ ବିପଦସଂକୁଳ ଅବସ୍ଥାରେ ରହିଥିବାରୁ ଏନେଇ ଗ୍ରାମବାସୀ ଅଭିଭାବକମାନେ ନିଜେ ନିଜର ପିଲାମାନଙ୍କୁ ସ୍କୁଲ ପାଠ ପଢିବା ନିମନ୍ତେ ପଠାଇବାକୁ ଅମଙ୍ଗ ମନକରୁଛନ୍ତି । ବିଦ୍ୟାଳୟର ଗୃହ ନିର୍ମାଣ ସକାଶେ ଆଜି ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ପକ୍ଷରୁ ଏକ ସ୍ମାରକପତ୍ର ଛତ୍ରପୁର ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ସୀତାରାମ ପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ ଆମ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଂଚମ ଶ୍ରେଣୀ ଗୃହଟି ବହୁ ପୁରୁଣା ଗୃହ ଅଟେ । ବର୍ଷା ହେଲେ ସ୍କୁଲ ଗୃହରେ ବର୍ଷା ପାଣି ପଡ଼ିବା ସାଙ୍ଗକୁ ଛାତରୁ ସିମେଂଟ୍ ଖଣ୍ଡ ବାହାରି ତଳେପଡ଼ୁଛି । ଯଦ୍ୱାରା ଛାତ୍ରଛାତ୍ରୀମାନେ ପଢିବା ପାଇଁ ଅସୁବିଧା ହେଉଛି ଏବଂ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ନୂତନ କୋଠା ପାଇଁ ଆର୍ଥିକ ବର୍ଷ ୨୦୧୬-୧୭ ମସିହାରେ ୬ଲକ୍ଷ ୧୫ହଜାର ଟଙ୍କା ଆସିଛି । କିନ୍ତୁ ଏହାକୁ ଉଠାଣ କରି ସ୍କୁଲ କାମ କରାଯାଉନାହିଁ । ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସ୍କୁଲ କମିଟି ଓ ଅଭିଭାବକ ମାନେ ବହୁବାର ଜଣାଇଲେ ସୁଦ୍ଧା କୌଣସି କାର୍ଯ୍ୟକାରୀ ହେଉନାହିଁ । ତେଣୁ ତୁରନ୍ତ ସ୍କୁଲ ନିର୍ମାଣ କଲେ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବେ ପାଠ ପଢି ପାରିବେ । ନଚେତ ଆଗାମୀ ଦିନରେ ଗ୍ରାମବାସୀଙ୍କ ପକ୍ଷରୁ ବିରାଟ ଧରଣର ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗଞ୍ଜାମ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ଭିକାରିପଲ୍ଲୀ ପଂଚାୟତର ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ପ୍ରମୋଦ ଦାଶ, ବିଚିତ୍ର କୁମାର ଦାଶ, କାଳୀଚରଣ ପୁରୋହିତ, ଅଜିତ କୁମାର ପଣ୍ଡା, ରାମଚନ୍ଦ୍ର ଦାଶ, ରଘୁନାଥ ଦାଶଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହାର ଏକ ନକଲ ଛତ୍ରପୁର ବିଡ଼ିଓଙ୍କ ଉଦ୍ଦେଶ୍ୟରେ ମୁଖ୍ୟ କିରାଣୀଙ୍କୁ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here