ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ

0
24

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ଲୋକଙ୍କ ଧନ ଜୀବନ ସୁରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବହୁ ଉଦ୍ୟମ କରି ଆସୁଛି । ଏହା ସହ ବିଭିନ୍ନ ଆଇନ ପ୍ରଣୟନ କରିଛି । ନୋ ହେଲିମେଟ୍ ନୋ ପେଟ୍ରୋଲ ଆଇନକୁ କଡ଼ାକଡ଼ି ପାଳନ କରିବା ସହ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ୍ ମାଲିକ ମାନେ ଏହି ନୀୟମକୁ ପାଳନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ସ୍ଥାନୀୟ ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ପେଟ୍ରୋଲ ପମ୍ପ୍ ଗୁଡ଼ିକରେ ନୋ ହେଲିମେଟ୍ ନୋ ପେଟ୍ରୋଲର ହୋର୍ଡ଼ିଂ ଓ ଏଠାରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଦର୍ଶାଇବାକୁ କୁହାଯାଇଛି । ପେଟ୍ରୋଲ ପମ୍ପ୍ ଗୁଡ଼ିକରେ ଲାଗି ଥିବା ସିସି ଟିଭି କ୍ୟାମେରାର ଫୁଟେଜ୍ ମାଲିକ ମାନେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ଗଞ୍ଜାମ ଆରଟିଓଙ୍କୁ ଦେବା ନିମନ୍ତେ କୁହାଯାଇଛି । ଏହି ଫୁଟେଜ ଜରିଆରେ ଯେଉଁମାନେ ବିନା ହେଲିମେଟ୍ ରେ ପେଟ୍ରୋଲ ପକାଉଛନ୍ତି ସେମାନଙ୍କ ଉପରେ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଉପଖଣ୍ଡସ୍ତରୀୟରେ ଉପଜିଲ୍ଲାପାଳ, ତହସିଲଦାର , ଆରଟିଓ ଏବଂ ପୁଲିସ ମିଳିତ ଭାବେ ଏହାକୁ ତଦାରଖ କରିବେ । ଜାତୀୟ ରାଜପଥ ଉପରେ ଜବରଦଖଲ କରିଥିବା ବିଭିନ୍ନ ଦୋକାନ, ଢାବା ଆଦି ହଟାଯିବ । ଏହି ଜବରଦଖଲ ଦ୍ୱାରା ବିଭିନ୍ନ ପ୍ରକାର ଦୁର୍ଘଟଣାରେ ଲୋକଙ୍କ ଧନଜୀବନ ନଷ୍ଟ ହେଉଛି । ଏଣୁ ଜିଲ୍ଲାପାଳ ଜବରଦଖଳ ହଟାଇବା ନିମନ୍ତେ ଉପଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ରାଜପଥରେ କୌଣସି ଗାଡ଼ି ପାର୍କିଂ କରିପାରିବେ ନାହିଁ କି ଅଟକାଇ ରଖି ପାରିବେ ନାହିଁ । ଏଥି ନିମନ୍ତେ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ସୋମବାର ନୋ ହେଲିମେଟ୍ ନୋ ପେଟ୍ରୋଲ ଉପରେ କଡ଼ାକଡ଼ି ଯାଂଚ କରାଯିବ । ସ୍କୁଲ ଓ କଲେଜ ପିଲାମାନେ ବିନା ହେଲିମେଟ୍ ଓ ବିନା ଲାଇସେନ୍ସରେ କଲେଜ କ୍ୟାମ୍ପସ୍ ପଶିପାରିବେ ନାହିଁ । ଏଥି ନିମନ୍ତେ କଲେଜ ପରିସରରେ ସିସି କ୍ୟାମେରା ଲଗାଯିବା ସହ ଦୁଇଟି କର୍ମଚାରୀ ରହିବେ । ଯଦି କୌଣସି କଲେଜ ଛାତ୍ରଛାତ୍ରୀ ଏହାକୁ ଅବମାନନା କରିବେ ସେମାନଙ୍କୁ ନୋଟିସ ଜାରୀ କରିବା ସହ ସେମାନଙ୍କ ଅଭିଭାବକ ମାନଙ୍କୁ ଏହି ବିଷୟରେ ଅବଗତ କରାଯିବ । ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବା ନିମନ୍ତେ ଜିଲ୍ଲାପାଳ ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୧୬ ନମ୍ବର ଜାତୀୟ ରାଜପଥ ବିଭିନ୍ନ ଛକ ଗୁଡିକରେ ହାଇ ପ୍ରୋଫାଇଲ କ୍ୟାମେରା ଲଗାଯିବ । ପ୍ରତି ଯାନବାହନର ଗତିବିଧିକୁ ଯେପରି ନିରୀକ୍ଷଣ କରିହେବ । ଜାତୀୟ ରାଜପଥରେ ବିନା ହେଲମେଟ୍ରେ ଗାଡି ଚାଳନା ଠାରୁ ଆରମ୍ଭ କରି ବେପାରୁଆ ଗାଡି ଚାଳନା ପ୍ରତି ଅନୁଧ୍ୟାନ କରିହେବ । ଫଳରେ ସଂପୃକ୍ତ ଗାଡି ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଡ଼କ ସୁରକ୍ଷା କମିଟିର ସଦସ୍ୟ ବସନ୍ତ କୁମାର ମହାରଣା ଜିଲ୍ଲାପାଳଙ୍କୁ କହିଥିଲେ ଯେ ଛତ୍ରପୁର ଜାତୀୟ ରାଜପଥ ପାଶ୍ୱର୍ ସତ୍ୟବାଦୀ ନଗର ରାସ୍ତା ଦୀର୍ଘ ୩ରୁ ୪ ବର୍ଷ ହେଲା ଖାଲ ଢେପ ହୋଇ ରହିଥିବା ବେଳେ ଏହାକୁ ଜାତୀୟ ରାଜପଥ କର୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି । ଯାହା ଫଳରେ ବହୁ ଦୁର୍ଘଟଣା ଘଟି ଲୋକମାନେ ଅସୁବିଧାରର ସମ୍ମୁଖୀନ ହେଉଛନ୍ତି । ଛତ୍ରପୁର ନିକଟ ତାମ୍ପରା ଠାରେ କଡ଼ାକଡ଼ି ପେଟ୍ରୋଲିଂ ବ୍ୟବସ୍ଥା ସହ ଏକ ଟ୍ରାଫିକ ବ୍ୟବସ୍ଥା ରଖାଯାଉ । ଛତ୍ରପୁର ମେଡ଼ିକାଲକୁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରାଯାଉ ବୋଲି ସଦସ୍ୟ ଶ୍ରୀ ମହାରଣା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ବର୍ଷ ୬ ମାସ ସୁଦ୍ଧା ଜିଲ୍ଲାରେ ୪୧୧ ଟି ଦୁର୍ଘଟଣା ଘଟି ୨୩୧ ଜଣଙ୍କ ପ୍ରାଣହାନୀ ଘଟିଛି । ଗଲାବର୍ଷ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ହେବାସହ ମୃତ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏଥିସହ ଦୁର୍ଘଟଣାରେ ଆହତ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଚଳିତ ବର୍ଷ ଜୁନ୍ ସୁଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ଜାତୀୟ ରାଜପଥରେ ୩୮, ରାଜ୍ୟ ରଜପଥରେ ୧୧୩ ଏବଂ ଅନ୍ୟାନ୍ୟ ରାସ୍ତାରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ରୋକିବା ପାଇଁ ଜନସାଧାରଣଙ୍କୁ ସଚେତନତାର ପଦକ୍ଷେପ ନିଆଯାଉଛି ଦରକାର ପଡିଲେ କଡା ଆଇନ ବ୍ୟବାହର କରାଯାଉଛି । ହେଲେ ସୁଦ୍ଧା ଜିଲ୍ଲାରେ ଦୁର୍ଘଟଣା ଓ ମୃତାହତ ହ୍ରାସ ପାଉନାହିଁ । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଗାଡି ଚାଳନା ବେଳେ ବିନା ହେଲ୍ମେଟ୍ ଯୋଗୁଁ କାରଣ ହୋଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ବିଏମସି କମିଶନର ଚକ୍ରବର୍ତି ସିଂ ରାଠୋର, ପ୍ରବେସନାରୀ ଆଇଏଏସ୍ ଅଫିସର କିର୍ତୀ ଭାସନ ଭି, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାଏ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ , ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ, ଏମଭିଆଇ ସମୀର ଦଳେଇ, ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପକାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଡ଼ିପିସି ବିନିତା ସେନାପତିଙ୍କ ସମେତ ଟ୍ରକ୍, ବସ୍ ଏସୋସିଏସନର କର୍ମକର୍ତ୍ତା ଏବଂ ବିଭାଗୀୟ ଅଧିକାରୀ ଓ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here