ବିଜୟଙ୍କୁ ଚେକ୍ ଦେଲେ ସାବିତ୍ରୀ, ଜିତିଲେ ବିପୁଳ ଭୋଟରେ

0
145

ବ୍ରହ୍ମପୁର(ଓବି ନ୍ୟୁଜ)(ତୁଷାର):ପାଟକୁରାରୁ ବାଜି ମାରି ନେଲେ ସାବ୍ରିତ୍ରୀ ଅଗ୍ରୱାଲ । ବିଧାନସଭାରେ ଏନଟ୍ରି ମାରିବାର ସ୍ୱପ୍ନ ବିଜୟ ମହାପାତ୍ରଙ୍କ ପାଇଁ ପୁଣି ଥରେ ସ୍ୱପ୍ନରେ ହିଁ ରହିଗଲା । ସାଧାରଣ ନିର୍ବାଚନ ପରେ ଗତ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଥିବା କେନ୍ଦ୍ରପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ଆସନର ନିର୍ବାଚନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ସମ୍ମାନର ପ୍ରଶ୍ନ ରହିଥିଲା । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ମୋଟ ୧୦ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ତେବେ ମୁହାଁ ମୁହିଁ ଟକ୍କର ହୋଇଥିଲା ବିଜେଡିର ପ୍ରାର୍ଥୀ ସାବିତ୍ରି ଅଗ୍ରୱାଲ ଓ ବିଜେପିର ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ । ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ପକ୍ଷରୁ ଏହି ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ଦଳର ବରିଷ୍ଠ ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲ । ତେବେ ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ଘଟିଥିଲା । ଆଉ ଏଥି ପାଇଁ ନିର୍ବାଚନକୁ ସ୍ଥଗିତ କରି ଦିଆଯାଇଥିଲା । ପରେ ଫୋନି ବାତ୍ୟା ନିର୍ବାଚନ ପାଇଁ ସାଜିଥିଲା ଆଉ ଏକ ପ୍ରତିବନ୍ଧକ । ହେଲେ ଏସବୁ ଭିତରେ ରାଜ୍ୟ ଓ କେନ୍ଦ୍ରର ଚିତ୍ର ବଦଳି ଯାଇଥିଲା । କେନ୍ଦ୍ରରେ ବିଜେପି ବହୁ ଆସନ ପାଇ ନରେନ୍ଦ୍ର ମୋଦି ପୁଣି ଥରେ କ୍ଷମତାକୁ ଆସିଥିବା ବେଳେ ରାଜ୍ୟରେ ବିଜେଡ଼ି ପୁଣି ଥରେ ଅଧିକ ଆସନ ପାଇ ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଣୁ କେନ୍ଦ୍ର ଓ ରାଜ୍ୟର କ୍ଷମତାର ପ୍ରତିଫଳନ ପାଟକୁରାରେ ଦେଖିବାକୁ ମିଳିଥିଲା । ଉଭୟ ଦଳର ତୁଙ୍ଗ ନେତାମାନେ ପାଟକୁରାରେ ଡ଼େରା ପକାଇବା ସହ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ସେପଟେ କଂଗ୍ରେସର ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତିଙ୍କ ପାଇଁ ଦଳର ବରିଷ୍ଠ ନେତା ମାନେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବି ଚର୍ଚ୍ଚା କିନ୍ତୁ ବିଜେଡ଼ି ଓ ବିଜେପିକୁ ନେଇ ହୋଇଥିଲା । ଆଉ ଶେଷରେ ୧୭୯୨୦ ଭୋଟ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥର୍ୀନୀ ତଥା ବେଦପ୍ରକାଶ ଅଗ୍ରୱାଲଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଜୟ ଘୋଷିତ ହେଲେ । ସେ ୯୬୦୧୭ ଭୋଟ ପାଇଥିବା ବେଳେ ବିଜୟ ମହାପାତ୍ର ୭୮୦୯୭ ଭୋଟ ପାଇଥିଲେ ଓ ଜୟନ୍ତ କୁମାରଙ୍କୁ ମାତ୍ର ୨୧୦୪ ଭୋଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା ।
ଗତ ରାଜ୍ୟସଭା ନିର୍ବାଚନରେ ବିଜେଡ଼ି ସଂଖ୍ୟା ଗରିଷ୍ଠ ଆସନ ନଥିବା ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରେ ଉଭୟ ଦଳର ସଂପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ରାଜନୈତିକ ପଶାପାଲିରେ ବିଜେଡ଼ିର ଏପରି ଗୋଟି ଚାଳନା ବିରୋଧୀ ବିଜେପିର ନେତା ଓ କର୍ମୀଙ୍କୁ ଅଡ଼ୁଆରରେ ପକାଇ ଦେଇଥିଲା । ତେବେ ପାଟକୁରା ନିର୍ବାଚନ ପ୍ରଚାରରେ ସଂପର୍କର ଝଲକ ଦେଖିବାକୁ ମିଳିନଥିଲା ବରଂ ଉଭୟ ଦଳର ବରିଷ୍ଠ ଓ ତୁଙ୍ଗ ନେତାମାନେ ନିଜ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣ ମୁର୍ଚ୍ଛା ଲଢେଇ କରିଥିଲେ । ତଥାପି ବିଜୁ ପଟ୍ଟନାୟକଙ୍କ ଅମଳରେ ବରିଷ୍ଠ ମନ୍ତ୍ରୀ ରୂପେ ଭୂମିକା ତୁଲାଇଥିବା ବିଜୟ ମହାପାତ୍ରଙ୍କୁ ଶେଷରେ ହାର୍ ମାନିବାକୁ ପଡ଼ିଲା । ଆଉ ଚଳିତ ଶାସନରେ ଓଡ଼ିଶା ବିଧାନସଭା ଭିତରେ ବିଧାୟକ ଭାବେ ପ୍ରବେଶ କରିବା ନୋହିଲା । ତେବେ ଦେଖାଯାଉ ଆଗକୁ ରାଜନୀତିକୁ ନେଇ ବିଜୟ ବାବୁଙ୍କର ଆଭିମୁଖ୍ୟ କଣ ରହୁଛି । ସେପଟେ ଦଳର ବିଜୟକୁ ନେଇ ବିଜେଡ଼ିର କର୍ମୀ ଠାରୁ ନେତା ସମସ୍ତେ ଆନନ୍ଦ ଉଲ୍ଲାସରେ ବିଜୟ ଉତ୍ସବ ପାଳନ ସହ ଜିତାପଟ୍ ର ଶ୍ରେୟ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here