ସରକାରୀ ଯୋଜନା ଗୁଡିକରେ ସ୍ୱୟଂ ସହାୟିକ ମହିଳାଗୋଷ୍ଠୀଙ୍କୁ ସାମିଲ କରିବା ପାଇଁ ଏକ ଦିନିକିଆ କର୍ମଶାଳା

0
96

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଜିଲ୍ଲାର ବିଭିନ୍ନ ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ସମସ୍ତ ଯୋଜନା ଗୁଡିକରେ ସ୍ୱୟଂ ସହାୟିକ ମହିଳାଗୋଷ୍ଠୀ ମାନଙ୍କୁ ସାମିଲ କରାଯିବ । ସେମାନଙ୍କ ଜରିଆରେ ଏହି ଯୋଜାନା ଗୁଡିକୁ କିପରି ସଫଳ କରାଯିବ ସେଥିପ୍ରତି ପଦକ୍ଷେପ ନେବା ପାଇଁ ବୁଧବାର ଏକ କର୍ମଶାଳା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ସମସ୍ତ ବିଭାଗୀୟ ଦ୍ୱାରା ପରିଚାଳିତ ହେଉଥିବା ସରକାରୀ ଯୋଜନା ଗୁଡିକରେ ମହିଳା ଗୋଷ୍ଠୀଙ୍କୁ ପ୍ରଧାନ୍ୟ ଦିଆଯିବ । ସମସ୍ତ ଯୋଜନା ଗୁଡିକ ବିଭାଗୀୟ ଅଧିକାରୀଙ୍କ ସହିତ ମହିଲା ଗୋଷ୍ଠୀର ସଦସ୍ୟମାନଙ୍କୁ ସାମିଲ କରି ଯୋଜନା ଗୁଡିକ କିପରି ସଫଳ ରୂପାୟନ ହେବ ସେଥିପ୍ରତି ପଦକ୍ଷେପ ନିଆଯିବ । କେଉଁ ଯୋଜନାର କେଉଁ କାର୍ଯ୍ୟ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ ତାହା ଉପରେ ଏକ ଖସଡା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଖସଡା ପ୍ରସ୍ତୁତି କରି ପ୍ରଦାନ କରିବାକୁ ଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ଏହି ମହିଳା ଗୋଷ୍ଠୀମାନେ ଜିଲ୍ଲାରେ ଶତପ୍ରତିଶତ ପାଇଖାନା ନିର୍ମାଣ କରିବାରେ ସେମାନଙ୍କ ପାରଦର୍ଶିତା ଦେଖାଇଛନ୍ତି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରେ ଚାରା ରୋପଣ, ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ ଯୋଜନାରେ ସାମିଲ କରାଯାଇଛି । ଏଥିସହ କେତେକ ବ୍ଲକରେ ବିଦ୍ୟୁତ୍ ବକାୟ ଅର୍ଥ ଆଦାୟ କରିବାରେ ମଧ୍ୟ ମହିଳା ଗୋଷ୍ଠୀଙ୍କୁ ସାମିଲ କରାଯାଇଛି । ଏହି ବାବଦରେ ମଧ୍ୟ ମହିଳାଗୋଷ୍ଠୀମାନେ ସେମାନଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ ସଂଗ୍ରହ, ଦୁଗ୍ଧ ଉତ୍ପାଦନ ଭଳି ବିଭିନ୍ନ ବିଭାଗର ସରକାରୀ ଯୋଜନା ଗୁଡିକରେ ମହିଳାମାନଙ୍କୁ ସାମିଲ କରିବାର ଲକ୍ଷ୍ୟ ରହିଛି । ଯେଉଁ ମହିଳା ଗୋଷ୍ଠୀ ସଦସ୍ୟଙ୍କ ପକ୍କା ଘର ନାହିଁ ସେମାନଙ୍କୁ ପ୍ରଥମେ ପକ୍କା ଘର ପ୍ରଦାନ କରାଯିବ । ମହିଳାମାନଙ୍କୁ ଚାରିଚକିଆ ଯାନ ଏବଂ ଅଟୋ ଚଳାଇବା ଉପରେ ତାଲିମ ପ୍ରଦାନ କରାଯିବ । ଏଥିସହ ବିଭିନ୍ନ ପେଟ୍ରୋଲ ପମ୍ପରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇ ହେଲମେଟ୍ ପିନ୍ଧିବା ଉପରେ ସଚେତନତା କରାଯିବ । ମହିଳାମାନେ ଯେଉଁ କାର୍ଯ୍ୟରେ ନିୟୋଜିତ ହୁଅନ୍ତି ତାକୁ ଶୃଙ୍ଖଳିତ ଭାବେ ସଫଳ କରିବାରେ ସେମାନଙ୍କ ନିକଟରେ ଦକ୍ଷତା ରହିଛି । ଆଗାମୀ ଦିନରେ ମହିଳା ଗୋଷ୍ଠୀମାନଙ୍କ ଦକ୍ଷତାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯିବ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମହିଳା ଗୋଷ୍ଠୀମାନଙ୍କୁ ତାଲିମ ପ୍ରଦାନ କରାଯିବ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ଆରମ୍ଭ ହେବ । ବାଲ୍ୟ ବିବାହ ରୋକିବା ଦିଗରେ ‘ନିର୍ଭୟ କଢ’ କାର୍ଯ୍ୟକ୍ରମରେ ମଧ୍ୟ ଗାଁ ଗଣ୍ଡାରେ ସଚେତନତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ସରକାରଙ୍କ ସମସ୍ତ ଯୋଜନାର ସାମିଲ କରିବା ସହ ସେମାନଙ୍କ ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ନେବା ପାଇଁ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି କର୍ମଶାଳାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ । ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ସ୍ୱାସତ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲାରେ ୪୧ ହଜାର ୨୧୧ ସ୍ୱୟଂ ସହାୟକ ମହିଳାଗୋଷ୍ଠୀ ରହିଛନ୍ତି । ୨୪ ହଜାର ୧୧୮ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ୧୫ ହଜାର ଲେଖାଁଏ ସିଡସ୍ ପାଇଁ ଅର୍ଥ ରାଶି ପ୍ରଦାନ କରାଯାଇଛି । ସେହିପରି ୧୭ ହଜାର ୯୩ ଗୋଷ୍ଠୀଙ୍କୁ ମୋବାଇଲ ପାଇଁ ସହାୟତା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here