ମାସେ ହେଲା ଅଚଳ ହୋଇ ପଡି ରହିଛି ଏଲ.ଆଇ. ପଏଣ୍ଟ୍, ଚାଷ ବାଧାପ୍ରାପ୍ତ ବିଦ୍ୟୁତ୍ ଶୁଳ୍କ ବକେୟା ରହିଛି ଦେଢ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା

0
45

ଦିଗପହଣ୍ଡି(ଓବି ନ୍ୟୁଜ)(ଶିବ ପ୍ରସାଦ ରଥ): ଦିଗପହଣ୍ଡି ବ୍ଳକ ଅଧିନସ୍ଥ ବଜ୍ରଗୁମ୍ମା-୨ ନଦୀ ଉପକଣ୍ଠରେ ରହିଥିବା ଓ.ଏଲ୍.ଆଇ.ସି( ଓଡିଶା ଉଠା ଜଳ ସେଚନ ନିଗମ) ପଏଣ୍ଟ୍ଟି ସମ୍ପ୍ରତ୍ତି ଏକ ମାସରୁ ଉଦ୍ଧ୍ୱର୍ ଦିନ ହେଲା ଅଚଳ ହୋଇ ପଡି ରହିଛି । ଏକ ମାସ ପୂର୍ବେ ହୋଇଥିବା ଝଡ ତୋଫାନ୍ ବର୍ଷାରେ ଏହି ଉଠା ଜଳା ସେଚନ ପଏଣ୍ଟ୍ ଦେଇ ଯାଇଥିବା ବିଦ୍ୟୁତ୍ ତାର ଉପରେ ଗଛ ପଡି ଭାଙ୍ଗି ରୁଜିଯାଇଥିଲା । ଫଳତଃ ଉକ୍ତ ପଏଣ୍ଟ ଏବେ ଅଚଳାବସ୍ଥା ଦେଇ ଗତି କରୁଛି । ଯାହା ଯୋଗୁଁ ଉକ୍ତ ଉଠା ଜଳସେଚନ ପ୍ରକଳ୍ପ ଉପରେ ନିର୍ଭରଶୀଳ ରହିଥିବା ୨୦ ଏକରରୁ ୨୫ ଏକରର ଚାଷୀ ଜମିକୁ ଜଳସେଚନ କରିବା ନେଇ ସମସ୍ୟାରେ ଛନ୍ଦି ହୋଇଯାଇଥିବା ଅଭିଯୋଗ ହୋଇଛି । ବିଦ୍ୟୁତ୍ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ପାଣି ପଞ୍ଚାୟତ କମିଟି ପକ୍ଷରୁ ଅଭିଯୋଗ କରାଯାଇଥିଲେ ହେଁ ସେମାନେ ସଜାଡୁନଥିବା ଜଣାପଡିଛି । ଅପରପକ୍ଷେ ଉକ୍ତ ଜଳସେଚନ ପ୍ରକଳ୍ପକୁ ପରିଚାଳନା କରୁଥିବା କମିଟି ବୃନ୍ଦ ଗତ ୨୦୧୫ ମସିହାରୁ ବିଦ୍ୟୁତ୍ ଶୁଳ୍କ ବାନ୍ଧି ନଥିବା ଜଣାପଡିଛି । ଆଜି ପର‌୍ୟ୍ୟନ୍ତ ଉକ୍ତ ଉଠା ଜଳସେଚନ ପ୍ରକଳ୍ପଟି ବିନା ବିଦ୍ୟୁତ୍ ଶୁଳ୍କ ପୈଠ କରି ଚଳାଇଆସୁଥିବା ବେଳେ ସେମାନଙ୍କର ୧ ଲକ୍ଷ ୮୭ ହଜାର ୪୫୮ ଟଙ୍କା ବିଦୟୁତ୍ ଶୁଳ୍କ ବାବଦକୁ ବକେୟା ପଡି ରହିଥିବା ଦିଗପହଣ୍ଡି ଡିଭିଜନ୍ ବିଦ୍ୟୁତ୍ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କାମା ସାଠୀ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି । ଉକ୍ତ ଜଳେସଚନ ପ୍ରକଳ୍ପଟିର ବିଦ୍ୟୁତ୍ ସରବରାହ ପୁନଃ ବାହାଲ କରିବାକୁ ଯାଇଥିବା ସମୟରେ ପ୍ରକଳ୍ପଟିର ୩ ବର୍ଷର ଶୁଳ୍କ ବକେୟା ରହିଥିବାରୁ ସେମାନଙ୍କୁ ଉକ୍ତ ବିଦ୍ୟୁତ୍ ଶୁଳ୍କ ପୈଠ କରିବା ପରେ ମରାମତି କରାଯିବ ବୋଲି କୁହାଯାଇଥିବା ସେ ଜଣାଇଛନ୍ତି । ବିଭାଗ ବକେୟା ଶୁଳ୍କ ରିକୋଭରି ପ୍ରତି ଅଧିକରା ଗୁରୂତ୍ୱାରୋପ ଦେଉଥିବା ବେଳେ ପରିଚାଳନା କମିଟି ପକ୍ଷରୁ ବକେୟା ରାଶି ପୈଠ କରିଦେଲେ ସମସ୍ୟାର ସମାଧାନ ହୋଇଯିବ ବୋଲି ଜଣାଯାଇଛି । ଅନୁନ୍ୟ ୫୦ ପ୍ରତିଶତ ବିଦ୍ୟୁତ୍ ଶୁଳ୍କ ପୈଠ କରିଦେଲେ ବି ବିଭାଗ ପକ୍ଷରୁ ୨ ରୁ ୩ ଦିନ ମଧ୍ୟରେ ପ୍ରକଳ୍ପଟିକୁ କାର‌୍ୟ୍ୟକ୍ଷମ କରିଦିଆଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଜନସଚେତନତାର ଅଭାବ ସହିତ ବର୍ଷ ବର୍ଷ ଧରି ବିଦ୍ୟୁତ୍ ଶୁଳ୍କ ସବୁ ବକେୟା ପଡି ରହୁଥିବାରୁ ବିଭିନ୍ନ ସମୟରେ ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ହୋଇନପାରି ସେଗୁଡିକ ଅଚଳାବସ୍ଥା ଦେଇ ପଡି ରହୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here