ଜ୍ୱାଇଁଙ୍କୁ ଛୁରା ମାରି ଶ୍ୱଶୁରର ହତ୍ୟା ଉଦ୍ୟମ ମାମଲା,୮ ଦିନ ବିତିଲା, ପୋଲିସ ହାତ ଖାଲି

0
63

ଦିଗପହଣ୍ଡି (ଓବି ନ୍ୟୁଜ୍) (ଶିବ ପ୍ରସାଦ ରଥ) ; ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକରେ ହୋଇଥିବା ଜ୍ୱାଇଁଙ୍କୁ ଛୁରା ମାରି ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ ଶ୍ୱଶୁର ଫେରାର୍ ରହିଥିବା ବେଳେ ଶୁକ୍ରବାର ଘଟଣାକୁ ୮ ଦିନ ବିତିଥିବା ଜଣାପଡିଛି । ଅଭିଯୁକ୍ତ ଶ୍ୱଶୁର ଉମାକାନ୍ତ ଗୌଡଙ୍କୁ ଜେରା କରିବା ତ ଦୂରର କଥା ଏଯାବତ୍ ଠାବ କରିବାରେ ଦିଗପହଣ୍ଡି ଥାନା ପୋଲିସ ସଫଳତା ହୋଇନଥିବା ଜଣାପଡିଛି । ସେପଟେ ଗୁରୁତର ଆହତ ଜ୍ୱାଇଁ ସଞ୍ଜୟ ଗୌଡ (୨୯) ବ୍ରହ୍ମପୁର ବଡଡାକ୍ତର ଖାନାର ସର୍ଜରୀ ବିଭାଗରେ ଜୀବନ ସହତ ସଂଗ୍ରାମ କରୁଥିବା ଜଣାପଡିଛି । ସଞ୍ଜୟଙ୍କ ସ୍ଥିତି ସଙ୍କଟାବସ୍ଥା ରହିଥିବା ବେଳେ ତାଙ୍କ ପତ୍ନୀ ଜୟନ୍ତୀ ଗୌଡ ଏବଂ ସଞ୍ଜୟଙ୍କ ପରିବାର ଭୟାଶଙ୍କାରେ ଗତି କରୁଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ଫେରାର ରହିଥିବାରୁ ସଞ୍ଜୟଙ୍କ ପରିବାର ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ପୋଲିସ ମାମଲାରେ ସେତେଟା ଗୁରୂତ୍ୱାରୋପ ଦେଉନଥିବାରୁ ବ୍ରହ୍ମପୁର ପୋଲିସ ଜିଲା ଆରକ୍ଷୀ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇବେ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁବାସିନୀ ପଟ୍ଟନାୟକ କହିଛନ୍ତି । ପ୍ରକାଶଯେ, ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର ଉମାକାନ୍ତ ଗୌଡଙ୍କ ଝିଅ ଜୟନ୍ତୀ ଏବଂ ମହେଶୁ ଗୌଡଙ୍କ ପୁଅ ସଞ୍ଜୟ ପରସ୍ପରକୁ ଭଲ ପାଇ ଆସୁଥିଲେ । ଗତ ଜୁନ୍ ୩୦ରେ କୁଳ ରିତୀନିତୀରେ କାଶୀବିଶ୍ୱନାଥ ଶୈବ ପୀଠରେ ପରସ୍ପରକୁ ବିବାହ କରି ଦିଗପହଣ୍ଡି ସହର ଅଞ୍ଚଳ କଲୋନୀରେ ରହିଆସୁଥିଲେ । ଉକ୍ତ ବିବାହକୁ ଉମାକାନ୍ତ ସହମତି ପ୍ରକାଶ କରୁନଥିବା ବେଳେ ସର୍ବଦା ଆକ୍ରୋଷ ମନୋଭାବ ପୋଷଣ କରିଆସୁଥିଲେ ବୋଲି ସଞ୍ଜୟ କହିଛନ୍ତି । ସଞ୍ଜୟ ପୁଞ୍ଜିକୟାଁ ଛକର ଏକ ଗାର୍ମେଣ୍ଟ୍ ଷ୍ଟୋର୍ରେ କାର୍ଯ୍ୟ କରିଆସୁଥିବା ବେଳେ ଘଟଣା ଦିନ ଦୋକାନ କାମ ସାରି ଘରକୁ ଫେରିବା ପାଇଁ ବାହାରିଥିଲେ । ସେହି ସମୟରେ ସଞ୍ଜୟଙ୍କ ଶ୍ୱଶୁର ଉମାକାନ୍ତ ହାତରେ ଏକ ଛୁରା ଧରି ସଞ୍ଜୟଙ୍କ ଆକ୍ରମଣ କରିଥିଲେ । ଛୁରା ମାଡରେ ସଞ୍ଜୟଙ୍କ ଶରୀର ସାରା କ୍ଷତବିକ୍ଷତ ହୋଇଯାଇଥିବା ବେଳେ ପେଟରୁ ଅନ୍ତବୁଜୁଳା ବାହାରିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସର୍ଜରୀ ବିଭାଗରେ ସେ ଭର୍ତ୍ତି ହୋଇ ସଙ୍କଟାପନ୍ନ ସ୍ଥିତିରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ ଦିଗପହଣ୍ଡି ଥାନାରେ କେସନଂ ୧୨୯/୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here