ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ ରାଜୁ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭା କକ୍ଷ ଠାରେ ଜିଲ୍ଲାରେ ଥିବା ସମସ୍ତ ଘରୋଇ ଛାତ୍ରଛାତ୍ରୀ ନିବାସର ପରିଚାଳକଙ୍କ ନିମନ୍ତେ କିଶୋର ନ୍ୟାୟ ଅଧିନୀୟମ – ୨୦୧୫ ଓ ମାନଦଣ୍ଡ ଉପରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ କଲ୍ୟାଣର ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ଜିଲ୍ଲା ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ରାଜ୍ୟସ୍ତରରୁ ଆସିଥିବା ପରାମର୍ଶଦାତା ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ସର୍ବ ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇବା ସହ ପରାମର୍ଶଦାତା ମନୋଜ କୁମାର ତ୍ରିପାଠୀ ଶିଶୁ ମାନେ ରହୁଥିବା ଛାତ୍ରଛାତ୍ରୀ ନିବାସରେ କିପରି ଯତ୍ନ ଓ ସୁରକ୍ଷାରେ ରହିବେ ସେନେଇ ଶିଶୁଙ୍କର ରାଜ୍ୟ ଓ କେନ୍ଦ୍ର ସରକାର ଯାହା ନୀୟମ ପ୍ରଣୟନ କରିଛନ୍ତି ସେନେଇ ଆଲୋଚନା କରିଥିଲେ ।
ସେହିପରି ଘରୋଇ ଛାତ୍ରଛାତ୍ରୀ ନିବାସରେ ରହୁଥିବା ଶିଶୁ ମାନେ ଯେପରି ଯୌନ ଶୋଷାଣ ଶିକାର ନହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବେ । ଯଦି କୌଣସି ସମୟରେ ଶିଶୁ ଯୌନ ଶୋଷାଣର ଶିକାର ହୁଏ ତୁରନ୍ତ ଶିଶୁ କଲ୍ୟାଣ ସମିତି, ନିକଟସ୍ଥ ଥାନା ଏବଂ ଜିଲ୍ଲା ସୁରକ୍ଷା କାର୍ଯ୍ୟାଳୟକୁ ଲିଖିତ ଭାବେ ଜଣାଇବେ । ଯଦି ନଜଣାନ୍ତି ସେଥି ପାଇଁ କି କି ଦଣ୍ଡ ବିଧାନ ଅଛି ତାହା ମଧ୍ୟ ପରାମର୍ଶଦାତା ଆଲୋଚନାରେ କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଉପଯୁକ୍ତ ଅଂଶଗ୍ରହଣକାରୀଙ୍କୁ ଗ୍ରୀନପେସେଜ ଓ ଏଚଆଇଭି ରୋଗରେ ସଂକ୍ରମିତ ହୋଇଥିବା ଅନାଥ ଶିଶୁ କନ୍ୟା ଯାହାଙ୍କ ବୟସ ୫ରୁ ୧୦ବର୍ଷ ମଧ୍ୟରେ ସେପରି ଶିଶୁଙ୍କୁ ଚିହ୍ନଟ କରି ସରକାରଙ୍କ ତରଫରୁ ବର୍ଷକୁ ସେହି କନ୍ୟାଙ୍କୁ ୧ ହଜାର ଟଙ୍କା ୧୮ ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ଓ ଗ୍ରୁନପେସେଜ ବିଷୟରେ ସୂଚନା ପ୍ରଦାନ କରିଥିଲେ ।