ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ

0
66

ବ୍ରହ୍ମପୁର(ଓବି ନ୍ୟୁଜ): ବୃକ୍ଷ ବିହୁନେ ଜୀବନ ନାହିଁ, ଜୀବନ ବିହୁନେ ବୃକ୍ଷ ନାହିଁ । ବାସ୍ତବରେ ବୃକ୍ଷ ଓ ଜୀବନ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ମାନବ ସମାଜ ପାଇଁ ବୃକ୍ଷର ଆବଶ୍ୟକତା ଯୁଗ ଯୁଗ ଧରି ରହିଆସିଛି । ଏଣୁ କହିବାକୁ ଗଲେ ବୃକ୍ଷ ରହିଲେ ମଣିଷ ଜୀବନ ରହିବ । ସେହିପରି ମଣିଷ ରହିଲେ ବୃକ୍ଷ ରହିବ । ତେବେ ଆଧୁନିକତା ଓ ବିକାଶ ନାମରେ ଦିନକୁ ଦିନ ବୃକ୍ଷ କଟାଯିବା ସହ ବଣଜଙ୍ଗଲ ଶୂନ୍ୟ ହୋଇଯାଉଛି । ଯାହାର ପ୍ରଭାବ ପଡ଼ୁଛି ମାନବ ସମାଜ ଓ ପରିବେଶ ଉପରେ । ଏଣୁ ସବୁଠି ବୃକ୍ଷରୋପଣ ସହ ସବୁଜ ବଳୟ ସୃଷ୍ଟି ପାଇଁ କିଛି ବର୍ଷ ହେଲା ବ୍ରହ୍ମପୁର ସହରର ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଆଉ ଏବେ ସବୁଜ ବିପ୍ଲବ ଅଭିଯାନ ଆରମ୍ଭ କରିଛି ଏହି ଫାଉଣ୍ଡେସନ । ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି ଫୋରମ ଫର ଗଂଜାମ, ସବୁଜ ବାହିନୀ ଓ ସିଟି ହାଇସ୍କୁଲର ପୁରାତନ ଛାତ୍ରସଂଘ । ଏହି ଅବସରରେ ଚିକିଟି ବ୍ଲକ ଅନ୍ତର୍ଗତ ଟାମଣା ଘାଟି ନିକଟରେ ଥିବା କଳିଙ୍ଗ ଆଶ୍ରମ ପରିସରରେ ବ୍ୟାପକ ଚାରା ରୋପଣ ସହ ଜଙ୍ଗଲ ଓ ପାହାଡ଼ରେ ବିଭିନ୍ନ କିସମର ମଞ୍ଜି ପକାଯାଇଥିଲା । ଫାଉଣ୍ଡେସନର ମୁଖ୍ୟ ସୁଧିର ରାଉତଙ୍କ ନେତୃତ୍ୱରେ ଏହି ମିଶନରେ ବନବିଭାଗର କର୍ମଚାରୀଙ୍କ ସମେତ ଇ.ଟି ରାଓ, ଜେ.ସୁରେଶ, ଶ୍ୟାମସୁନ୍ଦର ଖାଡ଼ଙ୍ଗା ଏବଂ କଳିଙ୍ଗ ଆଶ୍ରମର ମୁଖ୍ୟ ରମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସବୁଜ ବଳୟ ସୃଷ୍ଟି ପାଇଁ ଉଦ୍ୟମ ସହ ବୃକ୍ଷରୋପଣ ଓ ତାର ଯତ୍ନ ନେବା ପାଇଁ ଆହ୍ୱାନ ଦେଇଥିଲେ । ୨୦୦୯ ମସିହାରୁ ବ୍ରହ୍ମପୁର ସହର ସମେତ ବିଭିନ୍ନ ପଲ୍ଲୀ ଓ ଗ୍ରାମରେ ବ୍ୟାପକ ବୃକ୍ଷରୋପଣ କରିଥିବା ଫାଉଣ୍ଡେସନର ମୁଖ୍ୟ ସୁଧିର ରାଉତ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ବିଶେଷ କରି ଜଙ୍ଗଲ ଓ ପାହାଡ଼ ପରିସରରେ ଏକ କୋଟି ମଞ୍ଜି ପକାଇବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here