ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ଢୋକେ ଉଦରକୁ ଚାଲିଗଲେ ମନ ହୋଇଉଠେ ପ୍ରଫୁଲ୍ଲ । କି ଗରିବ କି ଧନୀ । ସବୁ ଋତୁରେ ସବୁ ଶ୍ରେଣୀର ସବୁ ବର୍ଗର ଲୋକଙ୍କ ପାଇଁ ଲୋଡ଼ାପଡ଼ିଥାଏ ଏହି ମୃଦୁ ପାନୀୟ । ଆଜ୍ଞା ହଁ ଆମେ କହୁଛି ଗଞ୍ଜାମ ଜିଲ୍ଲାର ଅତି ପରିଚିତ ବାଟି ସୋଢ଼ା ସମ୍ପର୍କରେ । କେବେଠାରୁ ଏହା ଆରମ୍ଭ ହୋଇଛି, ତାହାର ସଠିକ ତଥ୍ୟ ନଥିଲେ ବି ଗଞ୍ଜାମ ଜିଲ୍ଲାରୁ ହିଁ ଏହା ଆରମ୍ଭ ହୋଇ ଅନ୍ୟାନ୍ୟ ଜିଲ୍ଲାକୁ ବ୍ୟାପିଥିବାର ଜଣାପଡ଼ିଛି । ଏହି ପୁରାତନ ମୃଦୁ ପାନୀୟ ଆଜିର ନାମୀ ଦାମୀ ମୃଦୁ ପାନୀୟ ବଜାରରେ ନିଜର ସ୍ଥିତିକୁ ତଥାପି ବଜାୟ ରଖିଛି । ଶୋଷରୁ ମୁକ୍ତି ପାଇବା ପାଇଁ ହେଉ କିଅବା ପେଟ ବିଗିଡ଼ିଗଲେ ହେଉ କିଅବା ଭୋଜିଭାତ ଖାଇଲା ପରେ ନିଜକୁ ଟିକେ ହାଲକା କରିଦେବା ପାଇଁ ହେଉ ସମସ୍ତେ ଆନନ୍ଦର ସହ ପିଇ ନେଇଥାନ୍ତି ଚେପେଟୋ ମୋଟା କାଚ ବୋତଲରେ ଥିବା ଗ୍ୟାସ ମିଶ୍ରିତ ପାନୀୟ ବାଟି ସୋଢ଼ାକୁ । ତେବେ ଆସନ୍ତୁ ଜାଣିବା ଏମିତି ଜଣେ ବାଟି ସୋଢ଼ା ପ୍ରସ୍ତୁତକାରୀଙ୍କ ସମ୍ପର୍କରେ, ଯିଏ କି ସମସ୍ତ ପ୍ରକାର ପ୍ରତିବନ୍ଧକ ଓ ସଂଘର୍ଷ ମଧ୍ୟରେ ବି ଏହା ପ୍ରସ୍ତୁତ କରି ଲୋକଙ୍କ ଚାହିଦାକୁ ମେଂଟାଇବା ସହ ନିଜ ପରିବାରର ପ୍ରତିପୋଷଣ କରିପାରିଛନ୍ତି । ଏପରି ଜଣେ ପ୍ରସ୍ତୁତକାରୀ ହେଲେ ହିଞ୍ଜିଳିକାଟୁ ସହରର ସୀମାଂଚଳ ଡାକୁଆ । ତାଙ୍କୁ ଭେଟିଥିଲେ ଆମ ହିଞ୍ଜିଳିକାଟୁ ବ୍ଲକ ପ୍ରତିନିଧି ପବିତ୍ର କୁମାର ପାତ୍ର ।
ପ୍ର: ବିଭିନ୍ନ ନାମୀଦାମୀ କମ୍ପାନୀର ମୃଦୁ ପାନୀୟ ବଜାରରେ ମିଳୁଥିବାବେଳେ ବାଟି ସୋଢ଼ା ମନକୁ କିପରି ଛୁଇଁଲା?
ଉ: ମୋର ବାପା ସ୍ୱର୍ଗତ ସ୍ୱର୍ଗତ ରାମହରି ଡାକୁଆ ଆଜକୁ ୭୦ ବର୍ଷ ତଳେ ହିଞ୍ଜିଳିକାଟୁ ଆସି ଏହି ବାଟି ସୋଢ଼ା ବେପାର ଆରମ୍ଭ କରିଥିଲେ । ସେତେବେଳେ ଏହି ସୋଢ଼ାର ଦାମ୍ ଥିଲା ଏକ ପଇସା । ପରିବାର ପ୍ରତିପୋଷଣ ଭଲରେ ବି ହେଉଥିଲା । ବାପାଙ୍କ ସହ ସୋଢ଼ା ପ୍ରସ୍ତୁତ କରୁ କରୁ ବାପାଙ୍କ ପରେ ଏହି ଦାୟିତ୍ୱ ନିଜେ ମୁଣ୍ଡାଇଛି ଓ ବାପାଙ୍କ ବେଉସାକୁ ବଜାୟ ରଖିଥିବାରୁ ଆନନ୍ଦ ବି ଲାଗୁଛି ।
ପ୍ର: ବାଟି ସୋଢ଼ା ବିକ୍ରି କରି ପରିବାର ପ୍ରତିପୋଷଣ ହୋଇପାରୁଛି କି?
ଉ: ଅବଶ୍ୟ ପୂର୍ବ ପରି ବାଟି ସୋଢ଼ାର ଚାହିଦା ନାହିଁ । ତଥାପି ଅନେକ ଲୋକ ଖୋଜିଥାନ୍ତି ଏହି ବାଟି ସୋଢ଼ାକୁ । ଆଜିର ପ୍ରତିଯୋଗିତାମୂଳକ ବେପାରରେ ନାମୀଦାମୀ ସୋଢ଼ା ସହ ଟକ୍କର ଦେବା କାଠିକର ପାଠ । ତଥାପି ନିଜ ବେପାର ଓ ପରିବାରକୁ ନେଇ ଖୁସିରେ ଚଳୁଛି ।
ପ୍ର: ପାଠ ପଢ଼ି ଚାକିରି କରିବାକୁ ଇଚ୍ଛା ନଥିଲା କି?
ଉ: ପାଠ ପଢ଼ିବା ପାଇଁ ସେତେବେଳେ ସରକାରଙ୍କ ଏପରି ଯୋଜନା ନଥିଲା । ବାପା ବୋଉ ସହ ଚାରି ଭଉଣୀ ଓ ମୁଁ ଥିଲି । ପାଠ ପଢ଼ାଇବା ପରି ଆର୍ଥିକ ସ୍ଥିତି ଆମର ନଥିଲା । ଏଣୁ ବାପାଙ୍କୁ ସହଯୋଗ କରିବା ପାଇଁ ପାଠପଢ଼ାରେ ଡୋରି ବାନ୍ଧିଲି ।
ପ୍ର: ବେପାରକୁ ନେଇ କିଛି ତିକ୍ତ ଅନୁଭୂତି ଅଛି କି?
ଉ: ୧୯୯୯ ମସିହାର ମହାବାତ୍ୟାରେ ଆମ ଘର ଦ୍ୱାର ଭାଙ୍ଗିଯିବା ସହ ସୋଢ଼ା ତିଆରି ପାଇଁ ଥିବା ଆସବାବ ପତ୍ର ମଧ୍ୟ ଭାଙ୍ଗିଯାଇଥିଲା । ତାହା ଆମକୁ ଯେତିକି ଦୁଃଖ ଦେଇଥିଲା ତାହାଠାରୁ ଅଧିକ ଦୁଃଖ ଦେଇଥିଲା ସେ ସମୟରେ ବାପାଙ୍କ ଦେହାନ୍ତ । ମନକୁ ଦୃଢ଼ କରି ସାଙ୍ଗସାଥୀଙ୍କୁ ମାଗିଯାଚି ପୁଣିଥରେ ଆରମ୍ଭ କଲି ବାଟି ସୋଢ଼ା ।
ପ୍ର: ବେପାରକୁ ନେଇ କେତେ ଖୁସି କେତେ ଦୁଃଖି?
ଉ: ନିଜସ୍ୱ ଉଦ୍ୟମରେ ବାଟି ସୋଢ଼ା ବିକ୍ରି କରିବାର ଦେଖୁ ଦେଖୁ ୨୦ ବର୍ଷ ପୁରିଗଲାଣି । ଆଉ ଏ ସବୁ ଭିତରେ ଦୁଇ ପଇସା ସଂଚୟ କରି ଚାରି ଭଉଣୀଙ୍କୁ ଶାଶୁ ଘରକୁ ମଧ୍ୟ ପଠାଇଦେଇଛି । ହେଲେ ଏବେ ବଜାରରେ ଭିନ୍ନ ଭିନ୍ନ ସୋଢ଼ା ଓ ମୃଦୁ ପାନୀୟ ବାହାରିଥିବାବେଳେ ପାଣି ପାଉଚ ଆମ ବେପାରକୁ ମାନ୍ଦା କରିଦେଇଛି । ତଥାପି ଭଗବାନଙ୍କ ଆଶୀର୍ବାଦରେ ଓ ସହରବାସୀଙ୍କ ଭଲ ପାଇବା ଭିତରେ ବଂଚାଇ ରଖିଛି ଏହି ବେଉଷାକୁ । ସହରକୁ ନୂଆ କେହି ଆସିଲେ ବାଟି ସୋଢ଼ା ପିଇବାକୁ କହିଥାଏ, ଆଉ ସେମାନେ ବି ପ୍ରଥମ ଢୋକରେ ହିଁ ଖୁସି ହୋଇଥାନ୍ତି, ଯାହାକି ମୋତେ ଆତ୍ମସନ୍ତୋଷ ଦେଇଥାଏ ।