ଦୁବାଇରେ ଫସିଛନ୍ତି ଗଞ୍ଜାମର ୧୨ ଜଣ ଶ୍ରମିକ, ଉଦ୍ଧାର ନିମନ୍ତେ ସଂପୃକ୍ତ ପରିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

0
50

ଛତ୍ରପୁର, (ଓବି ନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) : : ଦାଦନ ଖଟିବାକୁ ଯାଇ ଗଞ୍ଜାମ ଜିଲ୍ଲାର ୧୮ ଜଣ ଶ୍ରମିକ ଦୁବାଇରେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସେଥିରୁ ୬ ଜଣ ଶ୍ରମିକ ଜିଲ୍ଲାକୁ ଫେରିଛନ୍ତି । ଦୁବାଇରୁ ଗତ ୨୭ ତାରିଖରେ ଜିଲ୍ଲାକୁ ଫେରିଥିବା ୬ ଜଣ ଶ୍ରମିକ ହେଲେ ଖଲ୍ଲିକୋଟ ବ୍ଲକ ମାଣିକପୁର ଗ୍ରାମର ଟୁନା ମଲ୍ଲିକ, ଶାନ୍ତୁନ ପଲେଇ, କବି ଗୌଡ, ସାନଘାଟିର କାଳିଆ ଜେନା, କବରାଶିର ପବିତ୍ର ମଲ୍ଲିକ ଓ ଛତ୍ରପୁର ବ୍ଲକ ପୋଟଲାମପୁର ଗାଁର ଦିବାକର ନାହାକ ।
ଗଲାବର୍ଷ ନଭେମ୍ବର ୪ ତାରିଖରେ ଖଲ୍ଲିକୋଟ ଥାନା ଅଧୀନ ମାଣିକପୁର ଗ୍ରାମର ଦଲାଲ କାର୍ତ୍ତିକ ଜେନାଙ୍କ ଜରିଆରେ ମାସିକ ୩୫ ହଜାର ଲେଖାଁଏ ଦରମା ମିଳିବ ବୋଲି କହି ୧୮ ଜଣ ଶ୍ରମିକଙ୍କୁ ଦୁବାଇ ପଠାଇଥିଲା । ଜଣଙ୍କ ଠାରୁ ଉକ୍ତ ଦଲାଲ ୬୦ ହଜାର ଲେଖାଁଏ ଲାଞ୍ଚ ନେଇଥିଲା । ଦଲାଲଙ୍କ କଥାରେ ପଡି ଦାଦନ ଖଟିବାକୁ ଜିଲ୍ଲାରୁ ଯାଇଥିବା ୧୮ ଜଣ ଶ୍ରମିକ ଦୁବାଇରେ ଫସିଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ସେଥିରୁ ୬ ଜଣ ଜିଲ୍ଲାକୁ ଫେରିଥିବା ବେଳେ ବାକି ୧୨ ଜଣ ଶ୍ରମିକ ଖଲ୍ଲିକୋଟ ବ୍ଲକ ମାଣିକପୁର ଗ୍ରାମର ନବଘନ ପଲେଇ, ବୁଲୁ ମଲ୍ଲିକ, ବିଭୂତି ଗୌଡ, ସାନଘାଟିର ମଙ୍ଗୁଳୁ ସାହୁ, ବାଦିନୂଆପଲ୍ଲୀ ଗ୍ରାମର ଦେବରାଜ ମଲ୍ଲିକ, ବାଣିଆ ଗ୍ରାମର ରାଜୁ ଗୌଡ,ପିହାଣିଆ ଗ୍ରାମର ପ୍ରଦୀପ ବେହେରା, ଲାଙ୍ଗର ଗ୍ରାମର ବଳିଆ ପାହାନ, ଉସ୍ତପଡା ଗ୍ରାମର ଜିତେନ୍ଦ୍ର ଗୌଡ, କବରାଶି ଗ୍ରାମର ତ୍ରିନାଥ ନାହାକ, ବେଗୁନିଆପଡା ବ୍ଲକ ସାନ ସଛିନାର ବିପା ଗୌଡ, ବାଲିଝର ଗ୍ରାମର ବଂଶୀଧର ବାରିକ ବର୍ତ୍ତମାନ ସୁଦ୍ଧା ସେଠାରେ ଫସି ରହିଛନ୍ତି ।

ବିଗତ ୪ ମାସ ହେଲା ସେମାନଙ୍କୁ ଦରମା ଦିଆଯାଉ ନଥିବା ବେଳେ ନ ଖାଇପିଇ ଏଣେତେଣେ ଜଙ୍ଗଲରେ ବୁଲୁଥିବା ନେଇ ୧୨ ଜଣ ଶ୍ରମିକ ସେମାନଙ୍କ ପରିବାରକୁ ଜଣାଇଛନ୍ତି । ଏହା ଜାଣିବା ପରେ ଶ୍ରମିକମାନଙ୍କ ପରିବାର ସଦସ୍ୟ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ପରିବାର ବର୍ଗ ସାକ୍ଷତ କରି ଫେରାଦ ଜଣାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସଂଗେ ସଂଗେ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କୁ ଡକାଇଥିଲେ । ଏଭଳି ଶ୍ରମିକମାନଙ୍କ ସମସ୍ୟା ନେଇ ଓଡିଶା ସରକାର ନିଯୁକ୍ତ ଦେଇଥିବା ଦିଲ୍ଲୀରେ ବସିଥିବା ଜଣେ ମହିଳା କର୍ମଚାରୀ ସେଫାଳି ମହାପାତ୍ରଙ୍କ ସହ ଜିଲ୍ଲା ଶ୍ରମ ଅଧିକାରୀ ଫୋନ୍ ଜରିଆରେ ଶ୍ରମିକଙ୍କ ଉଦ୍ଧାର ସଂପର୍କିତ ଆଲୋଚନା କରିଥିଲେ । ଦୁବାଇରେ ଫସିଥିବା ୧୨ ଜଣ ଶ୍ରମିକଙ୍କ ମଧ୍ୟରୁ ସାନଘାଟିର ମଙ୍ଗୁଳୁ ସାହୁଙ୍କ ଜିଲ୍ଲା ଶ୍ରମ ଅଧିକାରୀ ଫୋନ୍ରେ କଥବାର୍ତା ହୋଇଥିଲେ । ମଙ୍ଗୁଳୁ ଫୋନରେ ବର୍ତ୍ତମାନ ଦୁବାଇ ସାରଜା ଷ୍ଟାଡିୟମ ୬ ନମ୍ବର ଗ୍ୟାଲେରୀ ନିକଟ ଏକ ଜଙ୍ଗଲରେ ୧୨ ଜଣ ଶ୍ରମିକ ଅଛନ୍ତି । ମାଲିକ ତାଙ୍କ ଭିସା ଦେଉନାହିଁ କିମ୍ବା ଜିଲ୍ଲାକୁ ଛାଡିବାର ବ୍ୟବସ୍ଥା କରୁନାହିଁ । ୨୭ ତାରିଖରେ ଜିଲ୍ଲାର ୬ ଜଣ ଶ୍ରମିକଙ୍କୁ ଛାଡିବା ପରେ ଅଗଷ୍ଟ ୧୫ ତାରିଖରେ ଅନ୍ୟ ୬ ଜଣ ଶ୍ରମିକ ଓ ସେପ୍ଟେମ୍ବର ୫ ତାରିଖରେ ବାକି ଆଉ ୬ ଜଣ ଶ୍ରମିକକୁ ଜିଲ୍ଲାକୁ ଛାଡିବା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଗତ ୨୭ ତାରିଖରେ ୬ ଜଣଙ୍କୁ ଛାଡିବା ପରେ ତମ ମାନଙ୍କୁ ଛଡାଯିବ ନାହିଁ । ଏଠାରେ କାମ କରିବାକୁ ବାଧ୍ୟ କରାଯାଉଛି । ମନା କଲେ ଆମ୍ଭମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଆମ୍ବାସି ଠାରେ ଆମକୁ ରଖିବା ପରେ ଖାଇବା ପିଇବା ବ୍ୟବସ୍ଥା କରିବେ ବୋଲି କହି ଖାଇବାକୁ ଦିଆଯାଉ ନାହିଁ । କିଛିଦିନ ବିତିଲା ପରେ ଆମେ ସେଠାରୁ ବାଧ୍ୟ ହୋଇ ଚାଲି ଆସି ଏକ ଜଙ୍ଗଲରେ ରହୁଛୁ ବୋଲି ମଙ୍ଗୁଳୁ ସାହୁ କହିଛନ୍ତି । ଦିଲ୍ଲୀରେ ରହିଥିବା ମହିଳା କର୍ମଚାରୀ ସେଫାଳିଙ୍କୁ ମଙ୍ଗୁଳୁର ଫୋନ୍ ନମ୍ବର ଏବଂ ମଙ୍ଗୁଳୁଙ୍କୁ ମହିଳା କର୍ମଚାରୀ ସେଫାଳିଙ୍କ ଫୋନ୍ ନମ୍ବର ଦିଆଯାଇଛି । ମହିଳା କର୍ମଚାରୀ କିପରି ଜଙ୍ଗଲରେ ଥିବା ଶ୍ରମିକମାନଙ୍କୁ ଆମ୍ବାସିକୁ ଅଣାଯିବାର ବ୍ୟବସ୍ଥା କରିବେ । ପରେ ସେମାନଙ୍କୁ ତୁରନ୍ତ ଗଞ୍ଜାମ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି । ଏହି ସଂପର୍କିତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ଶ୍ରମ କମିଶନରଙ୍କୁ ଏକ ପତ୍ର ପଠାଇବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here