ଦିବ୍ୟାଙ୍ଗ କ୍ରୀଡାବିତ୍ ଭି.ରମେଶ ଦ୍ୱାଦଶ ଜାତୀୟ ହ୍ୱିଲ୍ ଚେୟାର ଅସିଚାଳନା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ

0
155

ଛତ୍ରପୁର, (ଓବି ନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) : : ଦ୍ୱାଦଶ ଜାତୀୟ ହ୍ୱିଲ୍ ଚେୟାର ଅସିଚାଳନା ପ୍ରତିଯୋଗିତାରେ ଗଂଜାମଜିଲ୍ଲାର ସଦରମହକୁମା ଛତ୍ରପୁର ଗିଲଟିପେଟା ସାହିର ଭି.ରମେଶ ରାଓ ବ୍ୟକ୍ତିଗତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ଓଡିଶା ଦଳର ଟିମ୍ ନେତୃତ୍ୱ ନେଇ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଚେନ୍ନାଇର ଜବାହାରଲାଲ ନେହରୂ ଇନ୍ଡୋର ଷ୍ଟାଡିୟମ ଠାରେ ଗତ ୨୬ ତାରିଖ ଠାରୁ ୨୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଦ୍ୱାଦଶ ଜାତୀୟ ହ୍ୱିଲ୍ ଚେୟାର ଅସିଚାଳନା ପ୍ରତିଯୋଗିତାରେ ବ୍ୟକ୍ତିଗତ ଭାବେ ଭି.ରମେଶ ରାଓ ହରିୟାନା ରାଜ୍ୟର ଜଣେ ପ୍ରତିଯୋଗିତାକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଓଡିଶା ପାଇଁ ଗୃପ ପ୍ରତିଯୋଗିତାରେ ଭି.ରମେଶ ରାଓଙ୍କ ନେତୃତ୍ୱ ରେ ଓଡିଶା ଦଳ ହରିୟାନ ଓ ତାମିଲାଡୁ ରାଜ୍ୟ ପରାସ୍ତ କରି ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଭି.ରମେଶ ରାଓ ଜଣେ ଜଣେ ଦିବ୍ୟାଙ୍ଗ । କିନ୍ତୁ ଦୃଢ ଇଛାଶକ୍ତି ଯୋଗୁଁ ସେ ଜଣେ ଅନ୍ତର୍ଜାତୀୟ କ୍ରୀଡାବିତ୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ହ୍ୱିଲ୍ ଚେୟାର ଅସିଚାଳନାରେ ୨୦୧୧ ମସିହାରୁ ପ୍ରତିବର୍ଷ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ରାଜ୍ୟ ପାଇଁ ପ୍ରତିବର୍ଷ ପଦକ ହାସଲ କରି ଆସୁଛନ୍ତି । ଏହି ପ୍ରଦର୍ଶନ ଆଧାରରେ ସେ କୋରିଆରେ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଚାମ୍ପିଅନ୍ସିପ୍ ପାଇଁ ମନୋନୀତ ହୋଇଛନ୍ତି । ପୂର୍ବରୁ ମଧ୍ୟ ସେ ଏକାଧିକ ବାର ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି । ପଦକ ଜିତିବାରେ ସକ୍ଷମ ହୋଇପାରିନାହାନ୍ତି । ଏଥର କିନ୍ତୁ ନିଶ୍ଚିତ ପଦକ ହାସଲ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲେ ମଧ୍ୟ ନିଜ ପ୍ରତିଭା ବଳରେ ସେ ଆଗକୁ ବଢି ଚାଲିଛନ୍ତି । ପିଲାବେଳୁ କ୍ରୀଡା ପ୍ରତି ତାଙ୍କର ଆଗ୍ରହ ଥିଲା । ପ୍ରଥମେ ସେ ଜଣ ଭଲିବଲ୍ ଖେଳାଳି ଭାବେ ଜାତୀୟ ଦଳରେ ସ୍ଥାନ ପାଇଥିଲେ ।

୨୦୧୦ ମସିହାରେ ଯୁଏସ୍(ଆମେରିକା)ରେ ଅନୁଷ୍ଠିତ ଦିବ୍ୟାଙ୍ଗ ଭଲିବଲ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଭାରତ ଦଳର ସେ ଉପ ଅଧିନାୟକ ଥିଲେ । ଏଥିରେ ଭାରତ ଷଷ୍ଠ ସ୍ଥାନ ହାସଲ କରିଥିଲା । ଏକାସଂଗେ ସେଠାରେ ଆୟୋଜନ ହେଉଥିବା ହ୍ୱିଲ୍ଚେୟାର ଅସିଚାଳନା ପ୍ରତିଯୋଗିତା ଦେଖିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ସେଠାରୁ ରମେଶଙ୍କ ଲକ୍ଷ୍ୟ ବଦଳିଗଲା । ଜୀବନରେ ଆସିଲା ନୂଆ ମୋଡ ।ଯୁଏସ୍ରେ ୨୦-୨୫ ଦିନ ରହଣୀ ଭିତରେ ସେ ହ୍ୱିଲ୍ଚେୟାର ଅସି ଚାଳନା କ୍ରୀଡା କୌଶଳ ଶିଖିଥିଲେ । ଦେଶକୁ ଫେରିବା ପରେ ସେ ଭଲିବଲ୍ ଛାଡି ନୂଆ କ୍ରୀଡାର ଅଭ୍ୟାସ ଆରମ୍ଭ କରିଦେଇଥିଲେ । ୨୦୧୧ ମସିହାରେ ଜାତୀୟ ହ୍ୱିଲ୍ଚେୟାର ଅସି ଚାଳନାରେ ଅଂଶ ଗ୍ରହଣ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହାପର ଠାରୁ ପ୍ରତିବର୍ଷ ସେ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ଏକାଧିକ ପଦକ ହାସଲ କଲଣେି । ୬ ଥର ବିଶ୍ୱକପ୍ ଓ ୩ ଥର ବିଶ୍ୱ ଚାମ୍ପିୟନ୍ସିପ୍ ମଧ୍ୟ ଖେଳଇ ସାରିଲେଣି । କିନ୍ତୁ ଏପର୍ଯ୍ୟନ୍ତ ସେ ଅନ୍ତର୍ଜାତୀୟ ପଦକ ହାସଲ କରିବାରେ ସକ୍ଷମ ହୋଇନାହାନ୍ତି । ଏଥର କୋରିଆରେ ସେପ୍ଟେମ୍ବର ୧୫ ରୁ ୨୨ ତରିଖ ପର୍ଯ୍ୟନ୍ତ ବିଶ୍ୱ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଅଂଶ ଗ୍ରହଣ ପାଇଁ ସେ ମନୋନୀତ ହୋଇଛନ୍ତି । ପୂର୍ବରୁ ବିନା ପ୍ରଶିକ୍ଷକରେ ସେ ଅଭ୍ୟାସ କରୁଥିଲେ । ଏଥର ଜଣେ ବିଦେଶୀ ପ୍ରଶିକ୍ଷକଙ୍କ ଠାରୁ ତାଲିମ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here