ପୁରୁଷୋତମପୁର (ଓବି ନ୍ୟୁଜ) (ସୁନୀଲ କୁମାର ସାହୁ): ସରକାର ବିଭିନ୍ନ ଯୋଜନା ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅନ୍ୟତମ । ପ୍ରତ୍ୟେକ ଗ୍ରାମକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମକୁ ପାଣି ଯୋଗାଣ ପାଇଁ ବିଭିନ୍ନ ପ୍ରକଳ୍ପ କରିଥିଲେ ମଧ୍ୟ ସେଥିରୁ ବାଦ୍ ପଡ଼ିଛି ନାଇଡ଼ୁପଲ୍ଲୀ ଗ୍ରାମ । ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ପଂଚାୟତର ନାଇଡ଼ୁପଲ୍ଲୀ ଗ୍ରାମରେ ପ୍ରାୟ ୮ଶହରୁ ଉଦ୍ଧ୍ୱର୍ ପରିବାର ବସବାସ କରୁଛନ୍ତି । ଗ୍ରାମରେ ତିନୋଟି ନଳକୂପ ରହିଥିବା ବେଳେ ସେଥି ମଧ୍ୟରୁ ଦୁଇଟି ନଳକୂପରେ ଗୋଳିଆ ପାଣି ଆସୁଥିବା ଦେଖିବାକୁ ମିଳିଛି । ଗ୍ରାମରେ ଗୋଟିଏ କୂଅ ରହିଥିବା ବେଳେ ଗ୍ରାମବାସୀ ସେହି କୂଅ ଉପରେ ନିର୍ଭର କରି ଆସୁଛନ୍ତି ।
ସରକାରଙ୍କ ପକ୍ଷରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ୧୦ବର୍ଷ ତଳେ ଆରମ୍ଭ ହୋଇଥିବା ବେଳେ ଏବେ ସଂପୂର୍ଣ୍ଣ ଭାବେ ତାହା ଭାଙ୍ଗି ରୁଜି ହୋଇ ପଡ଼ିଛି ରହିଛି । ନା ଅଛି ପାଇପ୍ ଲାଇନ ନା ରହିଛି ଜଳ ଯୋଗାଣ ପ୍ରକଳ୍ପ ବ୍ୟବସ୍ଥା । ଗ୍ରାମରେ ବିଭିନ୍ନ ସାହିରେ ପାଇପ ଲାଇନ ବିଛା ହୋଇ ରହିଥିବା ବେଳେ ତାହା ମଧ୍ୟ ସଂପୂର୍ଣ୍ଣ ଭାବେ ଭାଙ୍ଗି କଳଙ୍କି ଲାଗି ଯାଇଛି । ଗ୍ରାମର ଅନେକ ସମସ୍ୟା ରହିଥିବା ବେଳେ ପାଣି ସମସ୍ୟା ଅନ୍ୟତମ । କିପରି ସମାଧାନର ବାଟ ବାହାରିବ ସେନେଇ ସରକାରଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁନାହିଁ । ଜଳ ଯୋଗାଣ ପ୍ରକଳ୍ପଟି ପୁନରୁଦ୍ଧାର କରାଗଲେ ଗ୍ରାମବାସୀ ପାଣି ଟୋପାଏ ପାଇବେ ବୋଲି କହିଛନ୍ତି । ହେଲେ ଏବେ ଦେଖିବାର କଥା ସରକାରଙ୍କ ଦୃଷ୍ଟି କେବେ ଏହି ଗ୍ରାମ ଉପରେ ପଡ଼ିବ । ଆଗାମୀ ଦିନରେ ଏହା କାର୍ଯ୍ୟକାରୀ କରାନଗଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶୁଣିବାକୁ ମିଳୁଛି । ଏନେଇ ବିଡ଼ିଓ ସତ୍ୟ ସୁନ୍ଦର ରାଉତଙ୍କୁ ଘଟଣା ସଂପର୍କରେ ଅବଗତ କରିବାରୁ ଏବାବଦରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।