ସ୍ଥାୟୀ ନିଯୁକ୍ତି ଦାବିରେ ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି, ଆନ୍ଦୋଳନକରୁଥିବା ଶ୍ରମିକମାନେ ଗିରଫ, ପୁଲିସ ଓ ଶ୍ରମିକ ପରିବାର ମୁହାଁମୁହିଁ

0
60

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ସ୍ଥାୟୀ ନିଯୁକ୍ତି ଦାବିରେ ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । ଦୀର୍ଘ ଦିନ ହେଲା ପ୍ରକଳ୍ପ ପାଇଁ ଜମି ହରାଇଥିବା ବିସ୍ଥାପିତ ଶ୍ରମିକ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବି କରି ଆସୁଥିବା ୭୮ ଜଣ ଶ୍ରମିକଙ୍କୁ ପୁଲିସ ଗିରଫ କରିଛି । ଟାଟା ପ୍ରକଳ୍ପ ପରିସରରୁ ଶ୍ରମିକମାନଙ୍କୁ ଗିରଫ କରି ପଦାକୁ ଆଣିବା ବେଳେ ପ୍ରକଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ପରିବାର ଓ ପୁଲିସର ମୁହାଁମୁହିଁ ହୋଇଛି । ଏଥିରେ ଶ୍ରମିକମାନଙ୍କ ପରିବାରର ୬ ଜଣ ମହିଳାଙ୍କ ସମେତ ୧୦ ଜଣ ପୁଲିସର ଆକ୍ରମଣରେ ଶିକାର ହୋଇଛନ୍ତି । ଟାଟା ପ୍ରକଳ୍ପ ପାଇଁ ଜମି ହରାଇବା ସହ ନିଜର ପିଲାମାନେ ପ୍ରକଳ୍ପରେ ସ୍ଥାୟୀ ଚାକିରୀ କରିବେ ବୋଲି କ୍ଷତିପୂରଣ ୭ ଲକ୍ଷ ଟଙ୍କା ଛାଡିଥିଲୁ, ଆଜି ଏହି ଦିନ ଦେଖିବାକୁ ପଡୁଛି । ଯେ ଜମି ଗଲା ଏବଂ ପିଲାମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ହେବାକୁ ଯାଉଛି ବୋଲି ଶ୍ରମିକମାନଙ୍କ ପରିବାରମାନେ ଅଭିଯୋଗ କରିଛନ୍ତି । ପୁଲିସ ଦୁଇଟି ଭ୍ୟାନ୍ରେ ଟାଟା ପ୍ରକଳ୍ପ ପରିସରରୁ ଶ୍ରମିକମାନଙ୍କୁ ଗିରଫ କରି ଛତ୍ରପୁର ସ୍ଥିତି ରିଜର୍ଭ କାର୍ଯ୍ୟାଳୟ ପରିସରରେ ରଖିଥିଲେ । ସେଠାରେ ଦୀର୍ଘ ସମୟ ଧରି ଶ୍ରମିକମାନେ ଭ୍ୟାନ୍ରୁ ଓହ୍ଲାଇନଥିଲେ । ପୁଲିସ ସେମାନଙ୍କୁ ପାଣି ପିଇବାକୁ ଦେଇଥିବା ବେଳେ ଶ୍ରମିକମାନେ ଆମକୁ ଯଦି ଦେବାର ଅଛି ବିଷ ଦିଆଯାଉ । ଟାଟା କଥାରେ ପଡି ଜିଲ୍ଲା ପ୍ରଶାସନ ଓ ପୁଲିସ ଆମ୍ଭର ଭିବଷ୍ୟତ ସହ ଖେଳ ଖେଳୁଛନ୍ତି । ଏପରିକି ଆଜି ମା ଓ ଭଉଣୀ ଉପରକୁ ପୁଲିସ ହାତ ଉଠାଇଛି । ଏହାକୁ ଆମେ କଦାପି ସହ୍ୟ କରିପାରିବୁ ନାହିଁ । ତୁରନ୍ତ ଆମକୁ ଜେଲରେ ମାର । ଆମର ଭବିଷ୍ୟତ ନଷ୍ଟ ହୋଇଗଲାଣି ଏଣୁ ଜେଲ୍ରୁ ବାହାରିବା ପରେ ଶ୍ରମିକ ହୋଇ ଆହୁ ରହିବୁ ନାହିଁ, ନିଜର ହକ୍ ପାଇବାରେ ଯେଉଁମାନେ ବାଧକ ସାଜିଛନ୍ତି ସେମାନଙ୍କ କଥା ନିଶ୍ଚିତ ଭାବେ ବୁଝିବୁ ବୋଲି ପୁଲିସକୁ ଶ୍ରମିକମାନେ ଚେତାବନୀ ଦେଇଥିଲେ । ଏହାର କିଛଇ ସମୟ ମଧ୍ୟରେ ଶ୍ରମିକମାନଙ୍କ ପରିବାର ରିଜର୍ଭ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।
ଦୀର୍ଘ ବର୍ଷ ହେଲା ପ୍ରକଳ୍ପରେ ବିସ୍ଥାପିତ ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରି ଆସୁଥିଲେ ଟାଟା କର୍ତ୍ତୃପକ୍ଷ ଏବଂ ପୁଲିସ ଜୁଲମର ଶିକାର ହେବାକୁ ପଡୁଛି । କମ୍ପାନୀ ପକ୍ଷରୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପରିବର୍ତେ ଶ୍ରମିକମାନେ ହକ୍ ପାଇଁ ଦାବି ସ୍ୱର ଉଠାଇଲେ ଶ୍ରମିକମାନଙ୍କୁ ପୁଲିସ ଓ ଜିଲ୍ଲା ପ୍ରଶାସନର ନାଲି ଆଖି ତଳେ ଦବାଇବାକୁ ଚେଷ୍ଟା କରାଯାଉଛି । ଅନ୍ୟପକ୍ଷରେ ଶ୍ରମିକମାନେ ନିଜର ହକ୍ ପାଇବା ନିମନ୍ତେ ମରିବାକୁ ମଧ୍ୟ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ବିସ୍ଥାପିତ ଶ୍ରମିକମାନେ ମଧ୍ୟ ସ୍ଥାୟୀ ନିଯୁକ୍ତି ଦାବି ସଂପର୍କିତ ନେଇ ଜିଲ୍ଲା ପ୍ରଶାସନର ପୌରହତ୍ୟିରେ ଏକ ତ୍ରିପାକ୍ଷିକ ବୈଠକ କରାଯିବ ବୋଲି ପ୍ରତିଶ୍ରୁତିକୁ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଇ ନଥିଲା । ଏହି ପରିପ୍ରେକ୍ଷୀରେ ଟାଟା ପ୍ରକଳ୍ପ ପରିସରରେ ସେମାନଙ୍କ ପୂର୍ବରୁ ଦାବି ସଂକ୍ରାନ୍ତରେ ଗତ ଶନିବାର ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଚାଲୁ ରଖିଥିଲେ । ମଙ୍ଗଳବାର ସକାଳ ୯ ଘଣ୍ଟାରେ ପୁଲିସ ଓ ତହସିଲଦାର ଉଭୟ ଶ୍ରମିକମାନଙ୍କୁ ଟାଟା ପ୍ରକଳ୍ପ ପରିସରରୁ ହଟିବା ପାଇଁ ଧମକ ଦେଇଥିଲେ । ନଚେତ ପୂର୍ବରୁ ଶ୍ରମିକମାନଙ୍କ ବିରୁଦ୍ଧରେ ରହିଥିବା ମାମଲାର ୫୦ ଜଣଙ୍କୁ ଗିରଫ କରାଯିବ ବୋଲି ପୁଲିସ ଚେତାବନୀ ଦେଇଥିଲେ । ପୁଲିସର ଚେତାବନୀକୁ ସମସ୍ତ ଶ୍ରମିକମାନେ ପ୍ରତିବାଦ କରି ଯଦି ଗିରଫ କରାଯିବ ତେବେ ସମସ୍ତ ୮୦ ଜଣ ଶ୍ରମିକଙ୍କୁ ଗିରଫ କରାଯାଉ ବୋଲି ନାରା ଦେଇଥିଲେ । ପୁଲିସ ଶ୍ରମିକମାନଙ୍କ ମଧ୍ୟରେ ଗରିଫକୁ ନେଇ ଛକପଞ୍ଝା ଚାଲି ରହିଥିଲା । ଶେଷରେ ପୁଲିସର କାର୍ଯ୍ୟରେ ବାଧା ଦେଉଥିବା ୮୦ ଜଣଙ୍କୁ ପୁଲିସ ଟାଟା ପ୍ରକଳ୍ପ ପରିସରରୁ ଉଠାଇ ଆଣିଥିଲେ । ସୂଚନା ପାଇ ଶ୍ରମିକଙ୍କ ପରିବାର ଲୋକେ ଟାଟା ପ୍ରକଳ୍ପ ମୁଖ୍ୟ ଫାଚକ ସମ୍ମୁଖରେ ପୁଲିସକୁ ବିରୋଧ କରିଥିଲେ । ପୁଲିସ ଓ ଶ୍ରମିକଙ୍କ ପରିବାର ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପୁଲିସର ଆକ୍ରମଣ ଶିକାର ହୋଇଥିଲେ ୬ ଜଣ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଥିଲେ । ଟାଟା କଲୋନୀ ସିନ୍ଧିଗାଁର ଏନ୍.ଲକ୍ଷ୍ମୀ ରେଡ୍ଡି ନାମକ ଜଣେ ମହିଳାଙ୍କୁ ପୁଲିସ ଆକ୍ରମଣ କରିଥିବା ବେଳେ ତାଙ୍କରି ବେକରୁ ସୁନା ଚେନ୍ ଓ କାନଫୁଲ ଛିଣ୍ଡି କୁଆଡେ ପଡିଯାଇଥିଲା । ସେହିପରି ସେହି ଗାଁର ଚନ୍ଦ୍ରମା ବେହେରା, ଭାନୁମତୀ ରେଡ୍ଡି, ଇନ୍ଦିରା ରେଡ୍ଡି, ଏନ୍.ଏରେମା, ପି.ପାରାମ୍ମା ମହିଳାଙ୍କ ସମେତ ଦାନେସୁ ରେଡ୍ଡି, ମନୋଜ ବେହେରା, ପୁ.ତୁଳସେୟା ରେଡ୍ଡି, ରାଜେନ୍ଦ୍ର ମହାଙ୍କୁଡ ପୁଲିସର ଆକ୍ରମଣ ଶିକାର ହୋଇଥିଲେ । ଆହତମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ କରାଯାଇଥିଲା । ଟାଟା କର୍ତ୍ତୃପକ୍ଷଙ୍କ ପରୋଚନାରେ ବିସ୍ଥାପିତ ଶ୍ରମିକ ଓ ପରିବାରଙ୍କୁ ପୁଲିସ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ, ଜିଲ୍ଲା ପ୍ରଶାସନ ଓ ଟାଟା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କୋର୍ଟରେ ଏକ ମାମଲା ରୁଜୁ କରାଯିବ ବୋଲି ଶ୍ରମିକମାନଙ୍କ ଓକିଲ ଟି.କେ.ରେଡ୍ଡି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ କହିବାନୁସାରେ, ଗଲମାସ ୨୭ ତାରିଖରେ ଟାଟା ପ୍ରକଳ୍ପରେ ବ୍ୟାପକ ଭଙ୍ଗାରୁଜା ଅଭିଯୋଗରେ ଚମାଖଣ୍ଡି ଥାନା ପକ୍ଷରୁ ୭୩/୨୦୧୯ ଏକ ମାମଲା ରୁଜୁ କରିଛି । କମ୍ପାନୀରେ ପ୍ରାୟ ୯ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ବିଭିନ୍ନ ସାକ୍ଷ୍ୟ ଏବଂ ତଦନ୍ତରୁ ଚିହ୍ନଟ ହୋଇଥିବା ଶ୍ରମିକ ହୃଷିକେଶ ଗୌଡ, ଲବ ରେଡ୍ଡି, ସରୋଜ ଗୌଡ, ପ୍ରଦୀପ ଗୌଡ, ଲାଛମେୟା ରେଡ୍ଡି, ଏନ୍.ବୈରାଗୀ ରେଡ୍ଡି, ଗୋପାଳ ମହାଙ୍କୁଡ ଓ ମିଟୁ ପ୍ରସାଦ ରେଡ୍ଡି ପ୍ରମୁଖ ଚିହ୍ନଟ ହୋଇଥିବା ୮ ଜଣ ଶ୍ରମିକଙ୍କ ସମେତ ୫୦ ଜଣଙ୍କ ନାମରେ ପୁଲିସ ମାମଲା ପ୍ରସ୍ତୁତ କରିଛି । ସେମାନଙ୍କ ବିରୁଦ୍ଧରେ ୧୪୭/୧୪୮/୨୯୪/୩୨୩/୩୦୭/୧୪୯ ଦଫାରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପୁଲିସ କାର୍ଯ୍ୟରେ ବାକି ଶ୍ରମିକମାନେ ବାଧକ ସାଜିଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଣୁ ମଙ୍ଗଳାବର ସମୁଦାୟ ୭୮ ଜଣ ଶ୍ରମିକଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ବୋଲି ଏସ୍ଡିପିଓ ଶ୍ରୀ ଦାଶ କହିଛନ୍ତି ।
ଖବର ଲେଖାହେଲା ସୁଦ୍ଧା ଶ୍ରମିକ ମାନେ ରିଜର୍ଭ କାର୍ଯ୍ୟାଳୟ ପରିସରରେ ରହିଥିବା ବେଳେ ତାଙ୍କ ପରିବାର ବର୍ଗ ମାନେ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ବସିରହିଥିଲେ ।

LEAVE A REPLY

Please enter your comment!
Please enter your name here