ବ୍ରହ୍ମପୁର(ଓବି ନ୍ୟୁଜ୍):ବ୍ରହ୍ମପୁର ସହର ନିକଟରେ ଚାଲିଥିବା ଟାଟା କମ୍ପାନୀରେ ବିସ୍ତାପିତ ପରିବାରର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ତଥା ଥଇଥାନ କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି । କମ୍ପାନୀ ପାଇଁ ଅନେକେ ନିଜ ନିଜର କୈଳିକ ବୃତି ଛାଡ଼ିବା ସହ ଭିଟା ମାଟି ମଧ୍ୟ ଛାଡ଼ିଥିଲେ । ସେଥି ପାଇଁ କମ୍ପାନୀ ତରଫରୁ ଆର୍ଥିକ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ପୂର୍ବ ଚୁକ୍ତି ପ୍ରକାରେ ଅନେକଙ୍କୁ ଏଯାବତ୍ ଚାକିରି କିମ୍ବା ନୂତନ ପ୍ୟାକେଜର ଆର୍ଥିକ ସହାୟତା ମିଳିନଥିବାରୁ କିଛି ଅଂଚଳର ବେକାରୀ ଯୁବକମାନେ ଟାଟା କମ୍ପାନୀ ସମ୍ମୁଖରେ ଧାରଣା ଦେଉଥିଲେ । ଏପରି ଧାରଣା ପୂର୍ବରୁ ସେମାନେ ଦେଇଥିବା ବେଳେ ଜିଲ୍ଲାପ୍ରଶାସନ ହସ୍ତକ୍ଷେପ କରି ପ୍ରତିଶ୍ରୁତି ଦେଇଥିଲା ।
ତେବେ କୌଣସି ସୁଫଳ ମିଳିନଥିବାରୁ ପୁଣି ଥରେ ବିସ୍ତାପିତ ପରିବାରର ଯୁବକ ଯୁବତୀ ମାନେ ଧାରଣା ଦେଇଛନ୍ତି । ଆଉ ପୁଲିସ ସେମାନଙ୍କୁ ଗିରଫ କରିଥିବାରୁ ବିଜେପିର ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁଚରଣ ପତି ଏହାକୁ ନିନ୍ଦା କରିବା ସହ ୨୦ବର୍ଷ ହେଲା ଟାଟା ମେଗା ପ୍ରକଳ୍ପ ହୋଇନଥିବାରୁ ରାଜ୍ୟ ସରକାର ଟାଟା କମ୍ପାନୀରୁ ଜମି ଫେରାଇ ଆଣିବାକୁ ଦାବି କରିଛନ୍ତି । ଏପରିକି ମେଡ଼ିକାଲ ନିର୍ମାଣ ପାଇଁ ଟାଟା କମ୍ପାନୀକୁ ରାଜ୍ୟ ସରକାର ଜମି ଦେଇଥିବାରୁ ତାହା ନେଇ ପ୍ରଶ୍ନ ଉଠାଇବା ସହ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ରୋଗୀ ସେବା ପ୍ରଦାନରେ ରାଜ୍ୟ ସରକାର ବିଫଳ ହୋଇଥିବା କଥା କହିଛନ୍ତି ।