ସରକାରୀ ଯୋଜନା ସତ୍ୱେ ଏବେ ବି ଦାଦନ ଶ୍ରମିକ ଯନ୍ତ୍ରଣାରେ

0
45

ସାନଖେମୁଣ୍ଡି(ଓବି ନ୍ୟୁଜ୍)(ସନ୍ତୋଷ କୁମାର ଦାସ): ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର ହେଉ ଗରିବ ଗୁରୁବା ବିଶେଷ କରି ଶ୍ରମିକ ମାନଙ୍କ ପାଇଁ କରିଛନ୍ତି ବହୁବିଧ ଯୋଜନା । ହେଲେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଶ୍ରମିକ ମାନଙ୍କର ଦୁଃଖ ଯନ୍ତ୍ରଣା ଦେଖିଲେ ମନେ ହୁଏ ସତେ ଯେପରି ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଂଚ ହୋଇ ପଡ଼ିଛି । ନିଜ ଭିଟା ମାଟିରେ କାମ ଧନ୍ଦା ନପାଇ ଅନେକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲି ଯାଉଥିବାର ଅନେକ ନଜିର ରହିଛି । ସେଠାରେ ଦିନ ରାତି ଖଟି ଭଲ ଦୁଇ ପଇସା ରୋଜଗାର କରି ପରିବାର ପୋଷିବାର ଅନେକ ଦୃଷ୍ଟାନ୍ତ ମଧ୍ୟ ରହିଛି । କିଛି ଶ୍ରମିକ ପରିବାର ପାଇଁ ମୋଟା ଅଙ୍କ ରୋଜଗାର କରିବାର ଆଶା ନେଇ ଅନେକ ସମୟରେ ଦଲାଲର କୁହୁକ ଜାଲରେ ଛନ୍ଦି ହୋଇଯାଉଥିବାର ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ଘଟିଛି ପାଟପୁର ଥାନା ଅନ୍ତର୍ଗତ ଟି.ଗୋବିନ୍ଦପୁର ଗ୍ରାମରେ ।
ଗ୍ରାମର ପ୍ରକାଶ ନାୟକ ଗଜପତି ଜିଲ୍ଲା ଚନ୍ଦ୍ରଗିରିର ପବିତ୍ର ବୀରଙ୍କ ସହାୟତାରେ ବାଙ୍ଗାଲୁରକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସେଠି ତାଙ୍କୁ ପାଉଣା ମିଳୁନଥିବା ସହ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଫୋନ ଯୋଗେ ନିଜ ପରିବାରଙ୍କୁ ଜଣାଇବା ପରେ ତାଙ୍କ ପରିବାର ତଥା ଗ୍ରାମରେ ଦୁଃଖର ଛାୟା ଖେଳିଯାଇଛି । ସ୍ତ୍ରୀ, ଦୁଇ ପୁଅ ଓ ଝିଅଙ୍କୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ । ପିଲା ପାଠ ପଢିବେ, ନିଜର ଘରଟିଏ କରିବେ ଏମିତି କିଛି ସ୍ୱପ୍ନ ନେଇ ସେ ନିଜର ଭିଟା ମାଟି ଛାଡ଼ିଥିଲେ । ହେଲେ ସେସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି ତାଙ୍କର । ଏନେଇ ପାଟପୁର ଥାନାରେ ଜଣାଇବା ପରେ ସେହି ଥାନା ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ସହ ଯୋଗାଯୋଗ କରାଯାଇ ଦଲାଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯାଇଛି । ତେବେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରକାଶ ନାୟକଙ୍କୁ ଉଦ୍ଧାର କରିବା ସହ ଦଲାଲଙ୍କୁ ଗିରଫ କରିବା ପାଇଁ ସରପଂଚ ମଙ୍ଗଳା ଗମାଙ୍ଗ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here