ଉନ୍ନାଓ ଗଣଦୁଷ୍କର୍ମ ମାମଲାର ଶୁଣାଣି ଜାରି: ମାମଲା ଦିଲ୍ଲୀ ଫାଷ୍ଟଟ୍ରାକ୍ କୋର୍ଟକୁ ଯିବ

0
24

ନୂଆଦିଲ୍ଲୀ(ଓବି ନ୍ୟୁଜ୍): ଉନ୍ନାଓ ଗଣଦୁଷ୍କର୍ମ ମାମଲାର ଆଜି ଶୁଣାଣି ଜାରି ରହିଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ବହୁ ଚର୍ଚ୍ଚିତ ମାମଲାର ଶୁଣାଣି କରି ସମସ୍ତ ମାମଲା ଉତରପ୍ରଦେଶରୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ଫାଷ୍ଟଟ୍ରାକ୍ କୋର୍ଟରେ ଏହି ମାମଲାର ବିଚାର ହେବ । ସେହିପରି ଚାର୍ଜସିଟ୍ ମଧ୍ୟ ଦିଲ୍ଲୀ କୋର୍ଟରେ ଫାଇଲ୍ ହେବ । ମାମଲାରେ ଏ ପର୍ଯ୍ୟନ୍ତ ହୋଇଥିବା ଯାଂଚ ଓ ରାଏ ବରେଲିରେ ପୀଡ଼ିତାଙ୍କ ସହ ଘଟିଥିବା ସଡ଼କ ଦୁର୍ଘଟଣା ସହ ସମ୍ପର୍କିତ ସମସ୍ତ ତଥ୍ୟ ମାଗିଥିଲେ । ୭ ଦିନ ମଧ୍ୟରେ ଦୁର୍ଘଟଣାର ତଦନ୍ତ ଶେଷ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଦିନ ୧୨ ଟା ସୁଦ୍ଧା ମାମଲା ସହ ଜଡ଼ିତ ସମସ୍ତ ତଥ୍ୟ ପ୍ରଦାନ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଏହି ମାମଲାର ସମସ୍ତ ତଥ୍ୟ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ସମ୍ପଦ୍ ମୀନା କୋର୍ଟରେ ଉପସ୍ଥାପନ କରିଥିଲେ । ସେହିପରି ଅପରାହ୍ନ ୨ ଟା ସୁଦ୍ଧା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାର ରିପୋର୍ଟ ପ୍ରଦାନ ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଏହାପରେ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ମାମଲାରେ ଅଭିଯୁକ୍ତ ତଥା ବିଜେପି ବିଧାୟକ କୂଲଦୀପ ସେଙ୍ଗାର୍ ପୂର୍ବରୁ ଗିରଫ ହୋଇ ଜେଲରେ ଥିବାବେଳେ ଆଜି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ସେହିପରି ପୀଡ଼ିତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ପୋଲିସ୍ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here