ନକଲି ପୁଲିସ ଲୁଟିଲେ ମହିଳାଙ୍କ ସୁନାହାର

0
169

ବ୍ରହ୍ମପୁର (ଓବି ନ୍ୟୁଜ)(ସୁନିଲ କୁମାର ସାହୁ): କେବେ ଲୁଟ୍ ତ କେବେ ଲୁଟ୍ ଉଦ୍ୟମ । ଏପରିକି ପୁଲିସ ସହ ଲୁଛାଛପା ଖେଳ ଖେଳୁଛନ୍ତି ଲୁଟେରାମାନେ । ଲୁଟେରାମାନଙ୍କ ବିଭିନ୍ନ ତରିକାରେ ଲୁଟ ଏବଂ ଲୁଟ ଉଦ୍ୟମକରି ପୁଲିସକୁ ଏକତରଫା ଚ୍ୟାଲେଂଜ କରି ସହରରେ କୋକୁଆଭୟ ସୃଷ୍ଟି କରିଛନ୍ତି । ୨୪ ଘଂଟା ନପୁରୁଣୁ ପୁଣି ବ୍ରହ୍ମପୁର ସହରରେ ଜଣେ ମହିଳାଙ୍କଠାରୁ ମଙ୍ଗଳସୂତ୍ର ଲୁଟ କରି ଚମ୍ପଟ ମାରିଥିବା ଜଣାପଡ଼ିଛି । ଏପରି ଘଟଣା ଘଟିଛି ଟାଉନ ଥାନା ଅନ୍ତର୍ଗତ ଦଳୁଆ ସାହି ନିକଟରେ ।

ସୂଚନାଯୋଗ୍ୟ ଯେ ଦଳୁଆ ସାହିର ବି.କିରଣଙ୍କ ପତ୍ନୀ ବି.ସାରଦା ମୁକ୍ତେଶ୍ୱର ମନ୍ଦିରରୁ ଘରକୁ ଫେରୁଥିବା ସମୟରେ ହଠାତ ତିନି ଜଣ ଯୁବକ ଏକ ବାଇକରେ ଆସି ସାରଦାଙ୍କ ନିକଟର ପହଂଚିଥିଲେ । ସାରଦା କିଛି କହିବା ପୂର୍ବରୁ ଲୁଟେରାମାନେ ପୁଲିସ ପରିଚୟ ଦେଇ ସାରଦାଙ୍କୁ ସାର୍ ଡାକୁଛନ୍ତି କହିଥିଲେ । ଏହାପରେ ଲୁଟେରାମାନେ ପୁଲିସର ନକଲି ପରିଚୟ ପତ୍ର ମଧ୍ୟ ମହିଳାଙ୍କୁ ଦେଖାଇଥିଲେ । ଏହାପରେ ଲୁଟେରାମାନେ ମହିଳାଜଣଙ୍କ ପିନ୍ଧିଥିବା ୬ ତୋଳାର ଏକ ମଙ୍ଗଳସୂତ୍ରକୁ ଝାମ୍ପି ନେଇଯିବା ସହ ଏକ କାଗଜକୁ ମହିଳାଙ୍କୁ ଦେଇ ସେଠାରୁ ଚମ୍ପଟ ମାରିଥିଲେ । ମହିଳା ଜଣଙ୍କ ପାଟି କରିବାକ୍ଷଣି ଲୁଟେରାମାନେ ଆଖି ପିଛୁଳାକେ ଘଟଣାସ୍ଥଳରୁ କେଉଁଆଡ଼େ ଫେରାର ହୋଇଯାଇଥିଲେ । ଘଟଣାର ଖବର ପାଇ ଟାଉନ ଥାନାଧିକାରୀ ସନ୍ତୋଷିନୀ ଓରାମ ଘଟଣାସ୍ଥଳରେ ପହଂଚି ତହନ୍ତ କରୁଥିବାବେଳେ ଲୁଟେରାମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ତଲାସି ଜାରି କରିଛନ୍ତି । ଏହିପରି ବ୍ରହ୍ମପୁର ସହରରେ ଲୁଟେରାମାନେ ଯେଉଁଭଳି ଢଙ୍ଗରେ ଲୁଟୁଛନ୍ତି ସାଧାରଣ ନୀରିହ ଲୋକମାନେ ତାଙ୍କ ଜାଲରେ ଫସିଯାଉଛନ୍ତି । ଅନ୍ୟପଟେ ବ୍ରହ୍ମପୁର ସହରରେ କିପରି ଭାବେ ଅପରାଧ ରୋକାଯାଇପାରିବ, ସେ ନେଇ ପୁଲିସର ବାଇକ ପେଟ୍ରୋଲିଂ ଆରମ୍ଭ ହୋଇଛି । ଲୁଟେରାମାନେ ତାଙ୍କୁ ଖାତିର ନକରି ନୂଆ ନୂଆ ତରିକାରେ ଲୁଟୁ କରି ଫେରାର ହୋଇଯାଉଥିବା ନେଇ ପୁଲିସ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ସାଜିଛି ।

ପୁଲିସ ଜନସାଧାରଣଙ୍କୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ନକଲି ପୁଲିସ ଠାରୁ ଦୂରେଇ ରହିବା ପାଇଁ ସଚେତନ କଲେ ମଧ୍ୟ ଲୋକେ ସେଥିରେ କେତେ ଯେ ସଚେତନ ହେଉଛନ୍ତି, ତାହା ଜଳଜଳ କରି ସହରରେ ଦେଖାଯାଉଛି । ଘଟଣାର ଖବର ପାଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିବା ସହ ଲୁଟ୍ର ଶିକାର ହୋଇଥିବା ମହିଳାଙ୍କ ସହ ଘଟଣା ସମ୍ପର୍କରେ ବୁଝିବା ସହ ଅତିଶୀଘ୍ର ଲୁଟେରାମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାସହ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଜାଗାରେ ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ଗତକାଲିଠାରୁ ସହରର ବିଭିନ୍ନ ଛକ ଓ ବ୍ରହ୍ମପୁରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପ୍ରବେଶ ପଥ ଗୁଡ଼ିକରେ ପୁଲିସର ଯାନବାହାନ ଯାଂଚ କରିବା ସହ ଅପରାଧୀମାନଙ୍କ ଗତିବିଧି ଉପରେ ନଜର ରଖିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here