ନବରଙ୍ଗପୁର (ଓବି ନ୍ୟୁଜ) (ଟୁଟୁ ପଟ୍ଟନାୟକ): ଜିଲ୍ଲାର ଡିଜିଟାଲ ଡିସପେନସାରୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଳିବ ବକେୟା ଟଙ୍କା, ଗ୍ରାଚୁଇଟି ଓ ଇପିଏଫ ଟଙ୍କା । କାର୍ଯ୍ୟରୁ ବହିଷ୍କୃତ ଦୁଇ କର୍ମଚାରୀଙ୍କ ଅଭିଯୋଗ ପରେ ଜିଲ୍ଲା ଶ୍ରମ ଅଧିକାରୀ, ଡିଜିଟାଲ ଡିସପେନସାରୀ କର୍ମଚାରୀ ଓ ଗ୍ଲୋକାଲ କମ୍ପାନୀର ଅଧିକାରୀ ଆଶୁତୋଷ ଶ୍ରୀବାସ୍ତବଙ୍କ ମଧ୍ୟରେ ଆଲୋଚନା ହୋଇଛି । ଗ୍ଲୋକାଲ କର୍ତ୍ତୃପକ୍ଷ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଗୋଟିଏ ମାସର ଗ୍ରାଚୁଇଟି ଓ ସେପ୍ଟେମ୍ବର ମାସ ସୁଦ୍ଧା ଦୁଇ ମାସର ସମସ୍ତ ବକେୟା ପ୍ରାପ୍ୟ ଓ ନଭେମ୍ବର ସୁଦ୍ଧା କର୍ମଚାରୀଙ୍କ ବାକି ରହିଯାଇଥିବା ପ୍ରାପ୍ୟ ସହିତ ସମସ୍ତ ସମସ୍ୟା ଦୂର କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।
ଉପାନ୍ତ ଅଞ୍ଚଳରେ ରହି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେଉଥିଲେ ମଧ୍ୟ ଏଥିରେ କାର୍ଯ୍ୟରତ କର୍ମଚାରୀମାନେ ଗତ ଚାରିମାସ ହବ ଦରମା ପାଇନାହାନ୍ତି । ସେମାନଙ୍କ ଇପିଏଫ ନମ୍ବର ମଧ୍ୟ ଦିଆଯାଇନଥିବାବେଳେ ଏଥିରେ କାର୍ଯ୍ୟରତ ଦୁଇଜଣ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଥିଲା। ସେମାନଙ୍କୁ ପୁନଃ ଅବସ୍ଥାପିତ କରିବା ଦାବି ନେଇ ଦୁଇ କର୍ମଚାରୀ ଗତ ସାତ ତାରିଖ ଦିନ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଦାବି କରିଥିଲେ । ଉପାନ୍ତ ଅଞ୍ଚଳର ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାରେ ୨୪ଟି ଡିଜିଟାଲ ଡିସପେନସାରୀ ଖୋଲି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିଲା । ସେଥିମଧ୍ୟରୁ ୨୧ଟି ଡିଜିଟାଲ ଡିସପେନସାରୀ କାର୍ଯ୍ୟକ୍ଷମ ରହିଥିବା ବେଳେ ଏହି ଡିସପେନସାରୀ ଗୁଡିକ ଗ୍ଲୋକାଲ କମ୍ପାନୀ ଅଧୀନରେ ରହି କାର୍ୟ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲା ।