ସିଙ୍ଗଲ ଇଞ୍ଜିନ ଡ଼ବଲ ଗାଡ଼ି, ପଇସା ଆସୁଛି ଧାଡ଼ିକି ଧାଡ଼ି

0
595

ସାନଖେମୁଣ୍ଡି (ଓବି ନ୍ୟୁଜ) (ସନ୍ତୋଷ କୁମାର ଦାଶ): ସିଙ୍ଗଲ ଇଞ୍ଜିନ ଡ଼ବଲ ଗାଡ଼ି, ପଇସା ଆସୁଛି ଧାଡ଼ିକି ଧାଡି । ଏମିତି କିଛି ଚର୍ଚ୍ଚା ଆଲୋଚନା ଶୁଣିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟର କର୍ମୀଙ୍କ ସଂପର୍କରେ । ବ୍ଲକ୍ ଅଧିନରେ ଥିବା ଏହି କାର୍ଯ୍ୟାଳୟ ଏବଂ ଏହାର ଅନ୍ତର୍ଗତ ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜୁଥିବା ବେଳେ ଏବେ କାର୍ଯ୍ୟାଳୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା, ଶିଶୁ ମାନଙ୍କୁ ପାଠ ପଢାଇବା ପାଇଁ ବିଭିନ୍ନ ସ୍ଥାନରେ ଖୋଲିଛି ଏହି କେନ୍ଦ୍ରମାନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି ।
ଏହି ସେବା ପ୍ରକଳ୍ପ ମଧ୍ୟରେ ରହିଛି ୨୪୭ଟି ଅଙ୍ଗନବାଡ଼ି କେନ୍ଦ୍ର । ହେଲେ ଅନେକ କେନ୍ଦ୍ରରେ ଶିଶୁଙ୍କୁ ଦିଆଯାଉଥିବା ଅଣ୍ଡା, ରନ୍ଧନଖାଦ୍ୟ ଓ ବାଦମ ଲଡ଼ୁର ମାନକୁ ନେଇ ଚର୍ଚ୍ଚା ହୋଇ ଆସୁଛି । ଆଉ ଏସବୁ ଭିତରେ ଅନେକ ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟକଳାପ ଉପରେ ଗ୍ରାମବାସୀମାନେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛନ୍ତି । ନୀୟମକୁ ଉଲ୍ଲଘଂନ କରି କେନ୍ଦ୍ର ଛାଡ଼ି କିଏ ଦିଗପହଣ୍ଡିରେ ରହୁଛି ତ ଆଉ କିଏ ବ୍ରହ୍ମପୁରରେ ରହୁଛି । ଆଉ ହେଲପରଙ୍କ ସହାୟତାରେ ଚାଲୁଛି କେନ୍ଦ୍ର । ହେଲେ ଏସବୁ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଜଣେ ଅଙ୍ଗନବାଡ଼ି କର୍ମୀ ଏକକାଳୀନ ଦୁଇ ଦୁଇଟି କାମ କରୁଛନ୍ତି । ଗୋଟାଏ ପଟେ କର୍ମୀ ରୂପେ ଦାୟିତ୍ୱ ତୁଲାଉଥିବା ବେଳେ ଅନ୍ୟପଟେ ଠିକାଦାର ରୂପେ ବିଭିନ୍ନ ବିଭାଗର ପ୍ରକଳ୍ପ କାମ ମଧ୍ୟ କରୁଛନ୍ତି । ଏଥି ପାଇଁ ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ଡ଼ିଭିଜନ ଅନ୍ତର୍ଗତ ଦିଗପହଣ୍ଡି ସବଡ଼ିଭିଜନର ବିଭିନ୍ନ କାମ ପାଇଁ କୋଟି କୋଟି ଟଙ୍କାର ଠିକା ନେଇଛନ୍ତି । ଏସଂପର୍କରେ ଜଣାପଡ଼ିବା ପରେ ସାଧାରଣରେ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଜଣେ ଏକକାଳୀନ ଦୁଇଟି କାମ କରି ପାରିବ କି ନାହିଁ ଏବଂ ତାହା ନୀୟମ ବିରୁଦ୍ଧାଚରଣ କି ନୁହଁ ତାହା ତ ଅଲଗା ପ୍ରସଙ୍ଗ । ତେବେ ସଂପୃକ୍ତ କର୍ମୀ ଜଣକ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସମୟ ଦେଉଛନ୍ତି ନା ସରକାରୀ ଠିକା କାମ ପାଇଁ ସମୟ ଦେଉଛନ୍ତି ତାହା ତଦନ୍ତ ସାପେକ୍ଷ ।
ଏହି ବାବଦରେ ବିଭଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଠିକାଦାର ହୋଇଥିବା କଥାକୁ ସ୍ୱିକାର କରିଥିଲେ ବି ସେ ଅଙ୍ଗନବାଡ଼ି କର୍ମୀ ଅଛନ୍ତି କି ନାହିଁ ତାହା ଜାଣିନାହାନ୍ତି ବୋଲି କ୍ଷୁଦ୍ର ଜଳସେଚନ ଡ଼ିଭିଜନର ନିର୍ବାହୀ ଯନ୍ତ୍ରୀ କହିଛନ୍ତି । ଅନ୍ୟ ପଟେ ଏହି ବାବଦରେ ସିଡ଼ିପିଓ ମୁହଁ କିନ୍ତୁ ଖୋଲି ନାହାନ୍ତି । କେବଳ ଠିକାଦାରଙ୍କ ଭିତରେ ଏହା ସୀମିତ ରହିନାହିଁ । ଅନ୍ୟ କିଛି କେନ୍ଦ୍ରର କର୍ମୀ କିଏ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ କରୁଥିବାର ନଜିର ରହିଛି ତ ଆଉ କିଏ ଅଧ୍ୟାପିକା ରୂପେ କାର୍ଯ୍ୟ କରୁଥିବାର ନଜିର ରହିଛି । ଘଟଣାର ତଦନ୍ତ କରାଗଲେ ସବୁ କିଛି ସ୍ପଷ୍ଟ ହୋଇଯିବ ଓ ବିଭାଗର ସ୍ୱଚ୍ଛତାକୁ ନେଇ ଉଠୁଥିବା ପ୍ରଶ୍ନର ମଧ୍ୟ ପୂର୍ଣ୍ଣଛେଦ ପଡ଼ିବ ।
ଆଗାମୀ ଅଧ୍ୟାୟରେ ଏହି କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କେନ୍ଦ୍ରରେ ଚାଲିଥିବା ଆଉ କିଛି କାରନାମାର ପର୍ଦ୍ଦାଫାଶ କରାଯିବ ।

LEAVE A REPLY

Please enter your comment!
Please enter your name here