ମାଟି ଫଳାଉଛି ପୁଳା ପୁଳା ସୁନା

0
123

ଜୁନାଗଡ଼(ଓବି ନ୍ୟୁଜ)(ବିମଳ କୁମାର ଶତପଥୀ): କୁହାଯାଏ ଚାଷ କାମ ଜାହାର ସବୁ ସୁଖ ତାହାର । ହେଲେ ଦିନକୁ ଦିନ ପାଣି ପାଗର ଗତିବିଧି ବଦଳି ଯାଉଥିବାରୁ ଚାଷୀମାନେ କେତେବେଳେ ମରୁଡ଼ି ସ୍ଥିତିକୁ ସାମନା କରୁଛନ୍ତି ତ ଆଉ କେତେବେଳେ ବନ୍ୟା ପରିସ୍ଥିତିକୁ ସାମନା କରୁଛନ୍ତି । କେତେବେଳେ ତାଙ୍କ ଫସଲ ଉଜୁଡ଼ି ଯାଉଛି ତ ଆଉ କେତେବେଳେ ଧୋଇ ହୋଇଯାଉଛି । ତଥାପି ରାତି ପାହିଁଲେ ଚାଷୀଟିଏ ନିଜ ଜମିକୁ ଓହ୍ଲାଇ ମୁଣ୍ଡର ଝାଳ ତୁଣ୍ଡରେ ମାରି ଫସଲ ଉପୁଯାଉଛି । ଅନେକ ସମୟରେ ନିଜ ପେଟ ଚାଖଣ୍ଡକୁ ଭୋକିଲା ରଖୁଥିଲେ ବି ଆମକୁ ଦଉଛି ଆହାର । ଆଉ ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚାଷୀଙ୍କ ହିତ ପାଇଁ ଓ ଭଲ ଫସଲ ଫଳାଇବା ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ଅନେକ ଯୋଜନା । ତେବେ ଅନେକ ସମୟରେ ଏସବୁ ଯୋଜନା ଅପହଂଚ ହୋଇ ଯାଉଛି ଚାଷୀଙ୍କ ପାଇଁ । ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସବଡ଼ିଭିଜନ ଅନ୍ତର୍ଗତ ଗୁଲାମୁଣ୍ଡା ବ୍ଲକର ସାନଚେର ଗ୍ରାମରେ ଦେଖିବାକୁ ମିଳିଛି ଟିକିଏ ଅଲଗା ଚିତ୍ର ।
ଧର୍ମଗଡ଼ ଉଦ୍ୟାନ ବିଭାଗର ଅଧିନରେ ଆସୁଛି ଏହି ଗ୍ରାମଟି । ସରକାରୀ ଯୋଜନାମାନ ଆସୁଛି । ହେଲେ ଉଦ୍ୟାନ ବିଭାଗର କୋଠା ଘର ସିନା ଅଛି ହେଲେ ନାହିଁ ଆନୁସଙ୍ଗିକ ଭିତିଭୂମି ଓ କର୍ମଚାରୀଙ୍କ ଅଭାବ ରହିଛି । ଏଣୁ ସରକାରୀ ଯୋଜନାର ସୁଫଳ ଚାଷୀଙ୍କ ପାଇଁ ସ୍ୱପ୍ନ ପାଲଟିଯାଉଛି । ତେବେ ଉଦ୍ୟାନ ବିଭାଗର ଉପଖଣ୍ଡ ସହକାରୀ ନିର୍ଦ୍ଦେଶକ ରୂପେ ଟଙ୍କଧର କାଲୋ ଦାୟିତ୍ୱ ନେବା ପରେ ଚାଷୀଙ୍କ ଦୁଃଖ ଅନେକାଂଶରେ ହ୍ରାସ ଘଟିଥିବାର ଜଣାପଡ଼ିଛି । ଆଉ ବାସ୍ତବ ଚିତ୍ର ପରଖିବା ପାଇଁ ଆମ ପ୍ରତିିନିଧି ଭେଟିଥିଲେ କିଛି ପରିବା ଚାଷୀଙ୍କୁ ଆଉ ବୁଲିଥିଲେ କିଛି ପରିବା ବାଡ଼ ।
ଚାଷୀଙ୍କ କହିବା କଥା ହେଲା ସେମାନେ ପୂର୍ବରୁ ଅନେକ ଯୋଜନା ସଂପର୍କରେ ଅବଗତ ନଥିଲେ ଏପରିକି ବିଭିନ୍ନ ଫସଲ ପାଇଁ ମିଳୁଥିବା ରିହାତି ସଂପର୍କରେ ଜାଣି ମଧ୍ୟ ପାରୁନଥିଲେ । ହେଲେ ନୂଆ ଅଧିକାରୀ କ୍ଷେତକୁ କ୍ଷେତ ବାଡ଼କୁ ବାଡ଼ ବୁଲି ସରକାରୀ ଯୋଜନା ସଂର୍ପକରେ ସେମାନଙ୍କୁ ଅବଗତ କରାଇବା ସହ ସହଯୋଗର ହାତ ବଢାଉଛନ୍ତି । ଏଣୁ ଏବେ ବିଭିନ୍ନ ବାଡ଼ରେ ପନିପରିବା ଲହଡ଼ି ଭାଙ୍ଗୁଛି । ମନେ ହେଉଛି ସତେ ଯେପରି ଗଛରେ ପରିବା ଫଳୁନି ବରଂ ମାଟିରୁ ବାହାରୁଛି ପୁଳା ପୁଳା ସୁନା । ଚାଷୀମାନେ ବି ଏବେ ବେଶ୍ ଖୁସି । ପରିବା ବାଡ଼ରେ ଜଳସେଚନର ବ୍ୟବସ୍ଥା କରିଥିବାରୁ ବିଭିନ୍ନ କିସମର ପନିପରିବା ସହ ଫଳ ମଧ୍ୟ ପଚାଉଛନ୍ତି ଚାଷୀମାନେ । ଏଣୁ ଚାଷୀ ମାନେ ନିଜ ଉତ୍ପାଦିତ ପରିବା ଓ ଫଳ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଥିବା ବେଳେ ତାହା ଉପଖଣ୍ଡ ସହକାରୀ ନିର୍ଦ୍ଦେଶକ ଟଙ୍କଧର କାଲୋଙ୍କୁ ମଧ୍ୟ ବେଶ୍ ଉତ୍ସାହିତ କରିଛି । କାର‌୍ୟ୍ୟାଳୟରେ ଭିତିଭୂମିର ବିକାଶ ସହ ଖାଲି ପଦବି ପୂରଣ ହେଲେ ସାରା ଜିଲ୍ଲା ସୁନାର କଳାହାଣ୍ଡି ହୋଇଯିବ ବୋଲି ଶ୍ରୀ କାଲୋ କହିଛନ୍ତି ।

LEAVE A REPLY

Please enter your comment!
Please enter your name here