ହଜିଯାଇଛି ଆଦର୍ଶ ବିଦ୍ୟାଳୟର ଆଦର୍ଶ

0
77

ବେଗୁନିଆପଡ଼ା(ଓବି ନ୍ୟୁଜ)(ଗାୟତ୍ରୀ ଦେବୀ): ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲି ସି ବି ଏସ୍ ଇ ଢାଞ୍ଚାରେ ଶିକ୍ଷା ଦେବାପାଇଁ ୨୦୧୪ – ୨୦୧୫ ଶିକ୍ଷାବର୍ଷରେ ଓଡ଼ିଶାର କେତେକ ବ୍ଲକରେ ଯେଉଁ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିଲା ସେଥି ମଧ୍ୟରୁ ବେଗୁନିଆପଡ଼ା ବ୍ଲକର ରାଗପୁର ଠାରେ ପ୍ରଥମ ପର୍ଯ୍ୟୟରେ ଏହି ବିଦ୍ୟାଳୟ ଖୋଲାଯିବାର ୬ ବର୍ଷ ବିତିଯାଇଥିଲେ ବି ଏଯାବତ୍ ଏହା ବହୁଳ ସମସ୍ୟା ଦେଇ ଗତି କରୁଛି । କ୍ରୀଡା ଶିକ୍ଷୟିତ୍ରୀ ଅଛନ୍ତି କିନ୍ତୁ ଖେଳ ପଡିଆ ନାହିଁ । ଛାତ୍ରଛାତ୍ରୀ ଅଛନ୍ତି କିନ୍ତୁ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି, କୋଠା ଅଛି କିନ୍ତୁ ସମ୍ପୂର୍ଣ୍ଣ ପାଚେରୀ ନାହିଁ ।

ଖେଳ ପଡିଆ ପାଇଁ ଅଭିଭାବକଙ୍କ ପକ୍ଷରୁ ବାରମ୍ବାର ଦାବୀ ହେଉଥିବା ବେଳେ ବିଗତ ବର୍ଷ ବିଦ୍ୟାଳୟ ଉନ୍ନୟନ ପରିଚାଳନା କମିଟିରେ ଏ ସଂକ୍ରାନ୍ତରେ ଆଲୋଚନା ହେବାପରେ ସ୍କୁଲ ପଛପଟକୁ ଏହି ଖେଳ ପଡିଆ ନିର୍ମାଣ ପାଇଁ ଜାଗା ଚୟନ କରି ପଞ୍ଚାୟତ ସମିତି ପକ୍ଷରୁ ମନରେଗା ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ଅନୁଦାନରେ ଏହା ନିର୍ମାଣ ହେବା ଦର୍ଶାଇ ଏକ ସୂଚନା ଫଳକ ଲଗାଇଦେଲେ ସିନା ଆଜି ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ୧ ବର୍ଷ ବିତିଗଲାଣି ପଛେ ଏହା କେବଳ ଫଳକରେ ହିଁ ଲଟକିଛି ସିନା ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ । ବିଦ୍ୟାଳୟରେ ବହୁ ଛାତ୍ରଛାତ୍ରୀଙ୍କ ନିକଟରେ କ୍ରୀଡା ନିପୁଣତା ଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ତାହା ପ୍ରକାଶିତ ହୋଇପାରୁନାହିଁ ଯାହା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂପର୍କରେ ବେଗୁନିଆପଡ଼ା ବି ଡି ଓ ଅରୁଣ କୁମାର ମଲ୍ଲିକଙ୍କ ସହ ଯୋଗଯୋଗ୍ କରିବାରେ ସେ ତୁରନ୍ତ ଏହାର ଅସୁବିଧା ସମ୍ପର୍କରେ ବୁଝି ପଦକ୍ଷେପ ନେବାପାଇଁ ପ୍ରକାଶ କରିଥିଲେ । ସେପଟେ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ୍ ୩୫୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଆହୁରି ୬ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଶିକ୍ଷାଦାନ ପାଇଁ ଗଣିତ ଟି ଜି ଟି ଓ ଇଂଲିଶ ପି ଜି ଟି ପଦବୀ ସମେତ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ସ୍ଥାୟୀ ଅଧ୍ୟକ୍ଷ ପଦବୀ ଓ ସଙ୍ଗୀତ ଶିକ୍ଷକ ପଦବୀ ଖାଲି ପଡିଛି ।

ଚଳିତ ବର୍ଷ ଗଞ୍ଜମ୍ ଜିଲ୍ଲାର ୫ ଟି ଆଦର୍ଶ ବିଦ୍ୟାଳୟରେ +୨ ଶ୍ରେଣୀ ଖୋଲିଥିବା ବେଳେ ଶିକ୍ଷକ ଅଭାବରୁ ଏଠାରେ +୨ ଖୋଲିନଥିବା ଜଣାପଡିଛି । ଅପର ପକ୍ଷରେ ବେଗୁନିଆପଡ଼ା ବ୍ଲକରେ +୨ ବିଜ୍ଞାନ ପାଠ ପଢିବା ପାଇଁ କୌଣସି ସୁବିଧା ନଥିବା ବେଳେ ଏହି ବିଦ୍ୟାଳୟରେ ଏହା ନ ଖୋଲିବା ଯୋଗୁଁ ପିଲାମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାରଙ୍କ ତରଫରୁ ଏହି ବିଦ୍ୟାଳୟ ଖୋଲାଯାଇ ବ୍ଲକର ସବୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକ ପରୀକ୍ଷା ମାଧ୍ୟମରେ ଏଠାରେ ନାମଲେଖାଯାଇ ଶିକ୍ଷାଦାନ ଦେବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ମୂଳ ଲକ୍ଷ୍ୟଠାରୁ ଦୁରେଇଯିବା ଭଳି ପରିସ୍ଥିତି ସ୍ରୁଷ୍ଟି ହେବା ଯୋଗୁଁ ଅସନ୍ତୋଷ ସ୍ରୁଷ୍ଟି ହେଉଛି । ପିଲାଙ୍କୁ ଏଠାରେ ନାମ ଲେଖାଇ ଭିତ୍ତିଭୂମି ନ ଦେଇ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ନ କରିବା ଯୋଗୁଁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସେପଟେ ବିଦ୍ୟାଳୟ ନିର୍ମାଣ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରବରିଆ ଭବରେ କୋଠା ନିର୍ମାଣ କାର୍ଯ୍ୟ ସାରିଦେଇ ଥିବା ପରେ ମଧ୍ୟ ଏହାର ମରାମତି ନାହିଁ କି ଚୂନ ଛାଡ଼ିଯାଇ ଥିଲେବି ପୁଣି ଚୂନ ଧଉଳକ୍ଷ ନ ହେବା ଯୋଗୁଁ ବିଦ୍ୟାଳୟ ନିଜର ସୌନ୍ଦର୍ଯ୍ୟ ହରାଉଛି । ବିଦ୍ୟାଳୟର କେବଳ ସାମ୍ନା ପଟ ପାଚେରୀ ନିର୍ମାଣ ହୋଇଥିବାବେଳେ ଆଉ ସବୁ ପଟ ମୁକୁଳା ରହିଛି । ଶିକ୍ଷକ ଅଭାବ ଯୋଗୁଁ ଶ୍ରେଣୀ ଗୁଡିକ ସେକ୍ସନ୍ କରି ମଧ୍ୟ ବିଭିନ୍ନ ସମୟରେ ଏକାଠି କ୍ଲାସ୍ କରାଯାଉଥିବା ଯୋଗୁଁ ଶିକ୍ଷାଦାନରେ ବ୍ୟାହତ ହେଉଛି ଓ ଶିକ୍ଷକ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମିଶ୍ର ପ୍ରକାଶ କରିଛନ୍ତି । ୨୦୧୮ – ୧୯ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟର ପ୍ରଥମ ବ୍ୟାଚ୍ ମାଟ୍ରିକ୍ ପରୀକ୍ଷାରେ ୯୮ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ସରକାର ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ଵ ଦେଲେ ଏହି ବିଦ୍ୟାଳୟ ୧୦୦ ପ୍ରତିଶତ ରେଜଲ୍ଟ କରିବ ବୋଲି ସେ ପ୍ରକାଶ କରିଛନ୍ତି । ଏଣୁ ପିଲାଙ୍କ ପାଇଁ ତୁରନ୍ତ ଖେଳ ପଡିଆ ନିର୍ମାଣ ସହ ପାଚେରୀ ନିର୍ମାଣ, ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ସହ +୨ ଶ୍ରେଣୀ ଖୋଲିବା ଓ ଆନୁସାଙ୍ଗୀକ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ଶିକ୍ଷାବିଭାଗ ଓ ପ୍ରଶାସନ ପଦକ୍ଷେପ ନେବାପାଇଁ ଅଭିଭାବକ ମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here