କାଶ୍ମୀର ପାଇଲା ନୂଆ ଜୀବନ, ଉଡ଼ିବ ତ୍ରିରଙ୍ଗା ପତାକା, ଫେରିବେ ପଣ୍ଡିତ

0
779

ନୂଆଦିଲ୍ଲୀ(ଓବି ନ୍ୟୁଜ):ଭାରତ ସ୍ୱାଧୀନ ହେବାର କିଛି ଦିନ ପରେ ରାଜତନ୍ତ୍ରରୁ ଗଣତନ୍ତ୍ରରେ ସାମିଲ୍ ହୋଇଥିବା ଜାମୁ କାଶ୍ମୀର ସଂପର୍କରେ କେନ୍ଦ୍ର ସରକାର ନେଇଛନ୍ତି ଐତିହାସିକ ନିଷ୍ପତି । ୩୭୦ ଧାରା ଓ ୩୫ (ଏ) ଧାରାକୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ସାମ୍ବାଧାନିକ ଅଧିକାର ଫେରି ପାଇଛନ୍ତି ବାସିନ୍ଦା । ଜାମ୍ମୁ କାଶ୍ମୀର ରାଜ୍ୟର ମାନ୍ୟତାକୁ ହଟାଇ କେନ୍ଦ୍ରଶାସିତର ମାନ୍ୟତା ଦିଆଯାଇଛି । ସେପରି ଲଦାଖ୍ କୁ ଜାମ୍ମୁ କାଶ୍ମୀରରୁ ଅଲଗା କରି ତାକୁ ମଧ୍ୟ କେନ୍ଦ୍ରଶାସିତର ମାନ୍ୟତା ପ୍ରଦାନ କରାଯାଇଛି । ଭାରତ ସ୍ୱାଧୀନତା ସମୟରେ କାଶ୍ମୀରରେ ମହାରାଜା ହରିସିଂଙ୍କ ଚାଲିଥିଲା ଶାସନ । ଭାରତ ସହ ମିଶ୍ରଣ ପାଇଁ ସେ ସରକାରଙ୍କ ସହ ଚୁକ୍ତି କରିବା ସହ ୨୬ ଅକ୍ଟୋବର ୧୯୪୭ରେ କାଶ୍ମୀର ମିଶିଥିଲା ଭାରତରେ । ପରବର୍ତି ସମୟରେ ସ୍ୱତନ୍ତ୍ର ନୀୟମ ପ୍ରଣୟନ ହୋଇଥିଲା ଜାମ୍ମୁ କାଶ୍ମୀର ରାଜ୍ୟ ପାଇଁ । ଆଉ ଲାଗୁ ହୋଇଥିଲା ଧାରା ୩୭୦ ଧାରା ଓ ୩୫ (ଏ) । ସେହି ଧାରାର ନୀୟମ ଜାମ୍ମୁ କାଶ୍ମୀରବାସୀଙ୍କ ପାଇଁ ସୁହାଇଲା ପରି କିଛି ଥିବା ବେଳେ ଆଉ କିଛି କଟକଣା ମଧ୍ୟ ଥିଲା । ହେଲେ ଧୀରେ ଧୀରେ ପରିସ୍ଥିତି ଏପରି ହେଲା ଯେ କାଶ୍ମୀରରେ ପୁରୁଷ ପୁରୁଷ ଧରି ରହି ଆସିଥିବା ପଣ୍ଡିତ ମାନଙ୍କୁ ସେଠାରୁ ବିତାଡ଼ିତ କରି ଦିଆଗଲା । ଆଉ ଏବେ କାଶ୍ମୀରକୁ ନୂଆ ଜୀବନ ପ୍ରଦାନ କରାଯାଇଥିବାରୁ ନିଜ ଭିଟାମାଟିକୁ ଫେରି ଆସିବା ପାଇଁ କାଶ୍ମୀର ପଣ୍ଡିତଙ୍କ ମନରେ ମଧ୍ୟ ସଂଚାର ହୋଇଛି ନୂତନ ଆଶା । ପଡ଼ୋଶୀ ପାକିସ୍ତାନର ଇଙ୍ଗିତରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିବା ନେଇ ସୃଷ୍ଟି ହୋଇଛି ଆଶା ।
୨୦୧୪ ମସିହାରେ ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିବା ପରେ ଜାମ୍ମୁ କାଶ୍ମୀର ସଂପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ସରକାରଙ୍କ ଉପରେ ଚାପ ମଧ୍ୟ ପଡ଼ିଥିଲା । ଏସବୁ ଭିତରେ ପିଡ଼ିପି ସହ ହାତ ମିଶାଇ ବିଜେପି ଜାମ୍ମୁ କାଶ୍ମୀରରେ କ୍ଷମତା ଦଖଲ କରିଥିଲା । ପରବର୍ତି ସମୟରେ କିଛି ପ୍ରସଙ୍ଗକୁ ନେଇ ବିବାଦୀୟ ହୋଇଯିବା ପରେ ବିଜେପି ଓହରି ଯାଇଥିଲା ରାଜ୍ୟ କ୍ଷମତାରୁ । ଆଉ ସେହି ଦିନ ଠାରୁ ଆରମ୍ଭ ହୋଇଯାଇଥିଲା ଛକା ପଞ୍ଝା । ଏବେ ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ବଳବତର ଥିବା ବେଳେ ଆଜିର ଐତିହାସିକ ପଦକ୍ଷେପ ଜାତୀୟ ଓ ଆନ୍ତର୍ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି । ଏଥି ପାଇଁ କେନ୍ଦ୍ର ସରକାର କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ବାହାର ରାଜ୍ୟର ପର୍ଯ୍ୟଟକ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଜାମ୍ମୁ କାଶ୍ମୀରରୁ ହଟାଇ ନେବା ସହ ସବୁଠି ମୁତୟନ କରାଯାଇଥିଲା ସିଆରପିଏଫ୍ , ପାରା ମିଲିଟାରୀ ଫୋର୍ସଙ୍କ୍ୁ । ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ପରେ ସଂସଦ ଭବନରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେଲା ଆଉ ଏହା ପରେ ଗୃହମନ୍ତ୍ରୀ ଅମିତ ଶାହା ୩୭୦ ଧାରା ଓ ୩୫ (ଏ) ଉଚ୍ଛେଦ ସଂପର୍କରେ ଘୋଷଣା ସହ ଲଦାଖ ଓ ଜାମ୍ମୁ କାଶ୍ମୀରକୁ ପୃଥକ ପୃଥକ କେନ୍ଦ୍ରଶାସିତ ଅଂଚଳ ରୂପେ ଘୋଷଣା କରିଥିଲେ । ସରକାରଙ୍କ ଏହି ନିଷ୍ପତିକୁ ଜାମ୍ମୁ କାଶ୍ମୀରର ପିଡିପି , ଏନ୍ ସି ଓ ପିସି ଆଦି ସଂଗଠନର ନେତା ମାନେ ବିରୋଧ କରୁଛନ୍ତି।
ଅନ୍ୟ ପଟେ ଶ୍ରୀନଗରରେ ୧୪୪ ଧାରା ଜାରୀ କରାଯାଇଥିବା ବେଳେ ପିଡ଼ିପି ନେତ୍ରୀ ମେହବୁବା ମୃର୍ତି , ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ସାଜାଦ ଲୋନ୍ ଆଦି ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ବେଳେ ଇଂଟରନେଟ୍ ସଂଯୋଗକୁ ମଧ୍ୟ କାଟି ଦିଆଯାଇଛି ।
ଏହି ପ୍ରସଙ୍ଗ ଉପରେ ସଂସଦ ଭବନରେ ଆଲୋଚନା ହେଉଥିବା ସମୟରେ ବିଜେପି ଓ ତାର ସହଯୋଗୀ ଦଳ ଏହାକୁ ପୂର୍ଣ୍ଣ ସମର୍ଥନ କରିଥିବା ବେଳେ ବିଜେଡ଼ି ପକ୍ଷରୁ ମଧ୍ୟ ଏହାକୁ ସମର୍ଥନ ଜଣାଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସମର୍ଥନ ଜଣାଇ ଭାରତର ବିଭିନ୍ନ ପ୍ରାନ୍ତରରେ ଲୋକମାନେ ବାଜା ବଜାଇ ମିଠା ବାଂଟି ଖୁସି ମନାଉଛନ୍ତି ।
ଏହି ପ୍ରସଙ୍ଗକୁ ନେଇ ଜାମ୍ମୁ କାଶ୍ମୀର ଉପରେ ସମଗ୍ର ବିଶ୍ୱର ନଜର ରହିଥିବା ବେଳେ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରି ଦିଆଯାଇଛି । ଜାମ୍ମୁ କାଶ୍ମୀର ସଂପର୍କରେ ସରକାର ନେଇଥିବା ଐତିହାସିକ ନିଷ୍ପତିକୁ ରାଷ୍ଟ୍ରପତିଙ୍କର ମଞ୍ଜୁରୀ ମିଳିବା ପରେ ଏବେ ପାକ୍ ଅଧିକୃତ କାଶ୍ମୀର ସଂପର୍କରେ କେନ୍ଦ୍ର ସରକାର କଣ ନିଷ୍ପତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ଅନ୍ୟ ପଟେ ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରରେ ପତାକା ଉତୋଳନ କରି ତ୍ରିରଙ୍ଗା ପତାକା ଉଡ଼ାଇବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here