ବ୍ରହ୍ମପୁର (ଓବି ନ୍ୟୁଜ୍) : ବର୍ଷା ଆସିଲେ କାହାର ଚିନ୍ତା ବଢୁଛି ତ ବର୍ଷା ନ ଆସିଲେ ଆଉ କାହାର ଚିନ୍ତା ବଢୁଛି । ଗତକାଲି ଠାରୁ ସହରରେ ଲାଗି ରହିଛି ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ତାର ପ୍ରଭାବରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ବର୍ଷୁଛି । ଏଥି ପାଇଁ ଚାଷୀମାନେ ଆଶ୍ୱସ୍ତ ଅନୁଭବ କରୁଛନ୍ତି । ତେବେ ତଳିଆ ଅଂଚଳ ବାସିନ୍ଦାଙ୍କ ପାଇଁ ଚିନ୍ତା ବଢି ଯାଇଛି । ବସ୍ତି ବାସିନ୍ଦାଙ୍କ ସମେତ ସହରର ତଳିଆ ଅଂଚଳର ବାସିନ୍ଦା ଏବେ ଲଗାଣ ବର୍ଷା ଯୋଗୁଁ ଚିନ୍ତାରେ ପଡ଼ି ଯାଇଛନ୍ତି ।
କେଉଁଠି ରାସ୍ତା ଉପରେ ପାଣି ବହୁଛି ତ ଆଉ କେଉଁଠି ନାଳ ଉଛୁଳି ପଡ଼ୁଛି । ଏପରିକି ଅନେକଙ୍କ ଘର ଭିତରେ ପାଣି ମଧ୍ୟ ପଶି ଯାଉଛି । ଏପରି ସ୍ଥିତି କେବଳ ବ୍ରହ୍ମପୁର ସହର ନୁହଁ । ବର୍ଷା ହେଉଥିବା ଅନେକ ସହରରେ ପ୍ରାୟତଃ ଏପରି ସ୍ଥିତି ଉପୁଜିଛି । ତେବେ ବର୍ଷା ପାଇଁ ଡ଼ହଳ ବିକଳ ହେଉଥିବା ଧାନ ଚାଷୀ ଓ ପରିବା ଚାଷୀଙ୍କ ମନ ଏବେ ବେଶ୍ ଖୁସି । ତଥାପି ଅନେକ ଅଂଚଳରେ ଏବେ ନିଅଂଟିଆ ବର୍ଷା ହୋଇଛି । ଏଣୁ ବର୍ଷାର ଆଗମନ କାହାକୁ ଖୁସୀ କରାଉଛି ତ କାହାକୁ ଦୁଃଖୀ କରାଉଛି । ସେପଟେ ପାଣି ପାଗ ବିଭାଗର ସୂଚନା ପ୍ରକାରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଜାରୀ ରହିବ ।