କାଶ୍ମୀର ପାଇଁ ଜୀବନ ଦେବୁ

0
137

ଦିଲ୍ଲୀ (ଓବି ନ୍ୟୁଜ୍) : କାଶ୍ମୀର ପୁର୍ନଗଠନ ବିଲ୍ ସଂପର୍କରେ ଲୋକସଭା ଗୃହରେ ଚାଲିଛି ଗରମାଗରମ ଆଲୋଚନା । ଗତକାଲି ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ଅଖଣ୍ଡ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ କାଶ୍ମୀର ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ବୋଲି ଗୃହମନ୍ତ୍ରୀ ଭାବପ୍ରବଣ ହୋଇ ନିଜର ବିବୃତି ରଖିଛନ୍ତି । କାଶ୍ମୀର ପୁର୍ନଗଠନ ବିଲ୍ କୁ ସମର୍ଥନ କରୁଥିବା ବିଭିନ୍ନ ରାଜନୈତିକ ଦଳର ନେତା, ବିଭିନ୍ନ ସଂଗଠନର ସଦସ୍ୟ ଓ ଭାରତବାସିନ୍ଦା ଏବେ ବେଶ୍ ଉତ୍ସାହିତ । ଧାରା ୩୭୦ ଓ ଧାରା ୩୫ (କ)କୁ ଜାମ୍ମୁ କାଶ୍ମୀରରୁ ହଟାଇ ଦିଆଯାଇଛି । ଆଉ ଏହା ସହ ଜାମ୍ମୁ କାଶ୍ମୀରରୁ ଲାଦାଖ୍ କୁ ଅଲଗା କରି ଉଭୟକୁ ପୃଥକ ପୃଥକ କେନ୍ଦ୍ରଶାସିତ ଅଂଚଳ ରୂପେ ଘୋଷଣା କରାଯାଇଛି । ଗତକାଲି ଏନେଇ ରାଜ୍ୟ ସଭାରେ ଆଲୋଚନା ହେଉଥିବା ବେଳେ ପିଡିପି ଦଳର ସଦସ୍ୟ ହଙ୍ଗାମା ସୃଷ୍ଟି କରିଥିଲେ । ସେପଟେ ଜାମ୍ମୁ କାଶ୍ମୀରରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଳା , ମୁକ୍ତି ମେହବୁବାଙ୍କ ସମେତ କିଛି ସଂଗଠନର ସଦସ୍ୟ ବିଲ୍ କୁ ବିରୋଧ କରିଥିଲେ । ହେଲେ ଏବେ ଏହି ଐତିହାସିକ ନିଷ୍ପତି ଆଗରେ ବିରୋଧ କରୁଥିବା ଅନେକ ସଂଗଠନ ଧୀରେ ଧୀରେ ମୁଣ୍ଡ ନୁଆଁଉଛନ୍ତି । ଭାରତର ପ୍ରତିଟି କୋଣରୁ ବିଲ୍ କୁ ସମର୍ଥନ ନେଇ ଶୁଭେଚ୍ଛାର ବାର୍ତା ଛୁଟୁଥିବାରୁ ବିରୋଧ କରୁଥିବା ଅନେକେ ଏବେ ନରମି ଗଲେଣି । ସେପଟେ କାଶ୍ମୀରରେ ଆତଙ୍କ ସୃଷ୍ଟି କରୁଥିବା ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କୁ ସାବାଡ଼ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାରୁ କାଶ୍ମୀରର ଚିତ୍ର କାଲି ଠାରୁ ବଦଳି ଗଲାଣି ।

ନୂଆ ନୀୟମ ପ୍ରକାରେ କାଶ୍ମୀର ସମେତ ସମଗ୍ର ଭାରତ ବର୍ଷରେ ରହିବ ଗୋଟିଏ ସମ୍ବିଧାନ, ରହିବ ଗୋଟିଏ ଆଇନ । ସବୁଠି ଉଡ଼ିବ ତ୍ରିରଙ୍ଗା ପତାକା । ଜାମ୍ମୁ କାଶ୍ମୀର ବିଧାନସଭାର କାର୍ଯ୍ୟକାଳ ରହିବ ୫ବର୍ଷ । ଆଉ ସେଠି ରାଜ୍ୟପାଳ ଶାସନ ପରିବର୍ତେ ଲାଗୁ ହୋଇ ପାରିବ ରାଷ୍ଟ୍ରପତି ଶାସନ । ଜାମ୍ମୁ କାଶ୍ମୀରର ସମ୍ପତି ହେଉ କି ଜମି ହେଉ ବାହାର ଲୋକ ଏଣିକି କିଣିପାରିବେ, ଏଣିକି ସେଠାରେ ବ୍ୟବସାୟ ମଧ୍ୟ କରିପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପକ୍ଷରୁ ଉପସ୍ଥାପନ ହୋଇଥିବା ଏହି ବିଲ୍ କୁ ବିଜେଡି, ବିଏସପି, ୱାଇଏସଆର୍ କଂଗ୍ରେସ, ତେଲୁଗୁଦେଶମ ପାର୍ଟି, ଏଆଇଏଡିଏମକେ, ଶିବସେନା, ଆମ୍ ଆଦମି ପାର୍ଟି ସମର୍ଥନ କରିଥିବା ବେଳେ କଂଗ୍ରେସ, ପିଡିପି, ନ୍ୟାସନାଲ କନଫେରେନ୍ସ , ଜନତା ଦଳ ୟୁ , ଡିଏମକେ, ଆରଜେଡି, ବାମ ଦଳ ଓ ତୃଣମୂଳ କଂଗ୍ରେସ ଏହାକୁ ବିରୋଧ କରୁଛନ୍ତି ।

ବିଶ୍ୱ ଦରବାରରେ କାଶ୍ମୀର ସଂପର୍କରେ ଐତିହାସିକ ନିଷ୍ପତି ନେଇ ଭାରତ ନିଜର ଶକ୍ତି ବୃଦ୍ଧି କରିଥିବା ବେଳେ ଏବେ ପାକ୍ ଅଧିକୃତ କାଶ୍ମୀର ସଂର୍ପକରେ କଣ ନିଷ୍ପତି ନେଉଛି ତାଉପରେ ବିଶ୍ୱବାସୀଙ୍କ ନଜର ।

LEAVE A REPLY

Please enter your comment!
Please enter your name here