ନବରଙ୍ଗପୁର (ଓବି ନ୍ୟୁଜ) (ଟୁଟୁ ପଟ୍ଟନାୟକ) : ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ମିଶ୍ରଙ୍କ ବଦାନ୍ୟତା । ଦୀର୍ଘଟଣାରେ ଗଭୀର ଆଘାତ ହୋଇଥିବା ଜଣେ ଯୁବ ଚାଷୀଙ୍କୁ ନିଜ ଖର୍ଚ୍ଚରେ ଗାଡ଼ି ଭଡ଼ା କରି ପହଚାଂଇଲେ ଡାକ୍ତରଖାନାରେ । ମାସର ପ୍ରଥମ ସୋମବା ଥିବାରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣି କରିଥିଲେ । ଅଭିଯୋଗ ଶୁଣାଣି କରି ପୁଣି ଅପରାହ୍ନରେ ସଦର ବ୍ଲକ୍ ଅନ୍ତର୍ଗତ ସାନମସିଙ୍ଗା ପଂଚାୟତକୁ ଜନଶୁଣାଣି ପାଇଁ ଯାଉଥିଲେ । ଏହି ସମୟରେ କୋଡ଼ିଗାଁ ଓ ସାନ ମସିଗାଁ ଛକ ନିକଟରେ ଏକ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଜିଲ୍ଲାପାଳଙ୍କ ନଜରକୁ ଆସିବାରୁ ଗାଡ଼ି ଅଟକାଇ ଘଟଣା ସ୍ଥଳକୁ ଯାଇ ଯୁବକଙ୍କୁ ଦେଖିବା ବେଳେ ତାଙ୍କ ପାଟିରୁ ରକ୍ତ ଶ୍ରାବ ହେଉଥିଲା । ଏଣୁ ନିକଟରେ ଥିବା ସାନମସିଙ୍ଗା ମେଡ଼ିକାଲରୁ ଷ୍ଟ୍ରେଚର ମଗାଇ ସାନମସିଙ୍ଗା ମେଡ଼ିକାଲରେ ଭର୍ତି କରିଥିଲେ । ସାନମସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିିକିତ୍ସା ପରେ ଯୁବକ ଜଣକଙ୍କ ପରିଚୟ ଦେବରାଗୁଡ଼ାର ଦେବରାଜ ମାଝି ବୋଲି ଜଣାପଡ଼ିଥିଲା । ପେଷାରେ ସେ ଜଣେ ଚାଷୀ । ପରିବା, ଧାନ ଓ ଆଖୁ ଚାଷ କରି ନିଜ ପରିବାର ପୋଷଣ କରନ୍ତି ।
ସେ ନବରଙ୍ଗପୁର ସାପ୍ତାହିକ ହାଟରୁ ପରିବା ବିକ୍ରି କରି ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ସଂପର୍କରେ କିଛି କହିପାରାନଥିଲେ ଆହତ ଯୁବ ଚାଷୀ । ଏନେଇ ତାଙ୍କ ପରିବାରଙ୍କୁ ଆଶା କର୍ମୀ ଖବର ଦେଇଥିଲେ ।
ଜନଶୁଣାଣି ପରେ ପୁନର୍ବାର ମେଡ଼ିକାଲ ଆସି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ । ଯଦି ଆବଶ୍ୟକ ପଡ଼େ ତାଙ୍କୁ ବଡ଼ ମେଡ଼ିକାଲକୁ ନେବାର ବ୍ୟବସ୍ଥା କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ସଠିକ୍ ସମୟରେ ଆହତଙ୍କୁ ମେଡ଼ିକାଲ ନେବା ଦ୍ୱାରା ତାଙ୍କ ଜୀବନ ବଂଚିଯାଇଛି । ଜିଲ୍ଲାପାଳଙ୍କ ଏହି ବଦାନ୍ୟତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ଏନେଇ ଜିଲ୍ଲାବାସୀ ଜିଲ୍ଲାପାଳଙ୍କ ଉକ୍ତ କାର୍ଯ୍ୟକୁ ନେଇ ଭୂୟଂସୀ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।