ମୋହନା(ଓବି ନ୍ୟୁଜ) (ସବିତ କୁମାର ନାୟକ): ସବୁଠି ଚାଲିଛି ଯୋଜନା ପରେ ଯୋଜନା । କେଉଁଠି ଲୋକଙ୍କୁ ସଚେତନ କରାଇବା ପାଇଁ ତ ଆଉ କେଉଁଠି ଗରିବ ଗୁରୁବାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚାଲିଛି ଯୋଜନା । ବିଶେଷ କରି କନ୍ୟା ସନ୍ତାନ ଜନ୍ମକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଦୃଷ୍ଟିଭଙ୍ଗିକୁ ବଦଳାଇବା ପାଇଁ ଚାଲିଛି କନ୍ୟାରତ୍ନ, ପରୀ, ସ୍ୱୟଂସିଦ୍ଧା ପରି ଅନେକ ଯୋଜନା । ହେଲେ ତଥାପି ବୋଧ ହୁଏ କେଉଁଠି ନା କେଉଁଠି ସଚେତନତାର ଅଭାବ ରହି ଯାଉଛି । ଯାହା ଫଳରେ କି ଏବେ ବି କେତେକ ସ୍ଥାନରେ ଶିଶୁ କନ୍ୟାଟିଏ ନିଜ ପିତାମାତାଙ୍କ ପାଇଁ ଅଲୋଡ଼ା ହୋଇ ପଡ଼ୁଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାରେ । ଘଟଣାଟି ଥିଲା ଏପରି ।
ଗଜପତି ଜିଲ୍ଲାର ଅଡବା ଥାନା ନିକଟସ୍ଥ ଶିଶୁ ମନ୍ଦିର ଜଙ୍ଗଲ ନିକଟରୁ ଏକ ଶିଶୁ କନ୍ୟାକୁ ଗାଈ ଚରାଳିମାନେ ଉଦ୍ଧାର କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗାଈ ଚରାଇବାକୁ ଯାଉଥିବା କିଛି ଆଦିବାସୀ ଲୋକ ଜଙ୍ଗଲ ଭିତରୁ ଶିଶୁ କନ୍ୟାର କାନ୍ଦ ଶୁଣି ପାଖରେ ଥିବା ଆଦିବାସୀ ବଗଡର ଭାସ୍କର ନାୟକଙ୍କୁ ଜଣାଇଥିଲେ । ଭାସ୍କର ନାୟକ ଓ ତାଙ୍କ ପତ୍ନୀ ଲଳିତା ନାୟକ ଉକ୍ତ ଜାଗାକୁ ଯାଇ ଲଟା ଭିତରେ ଥିବା ଶିଶୁ କନ୍ୟାର ଦେହ ସାରା ପିମ୍ପୁଡ଼ି ଚାଲୁଥିବା ଦେଖି ତାକୁ ଏକ ପତ୍ରରେ ଘୋଡାଇ ନିଜ ଘରକୁ ଆଣି କପଡ଼ାରେ ଗୁଡ଼ାଇ ନିଆଁ ସେକ ଦେଇ ସ୍ଥାନୀୟ ଏଏନଏମ୍ ଉର୍ମିଳା ମାଳବିଶୋୟୀଙ୍କୁ ଜଣାଇଥିଲେ । ଏଏନଏମ୍ ସେଠାରୁ ଶିଶୁଟିକୁ ଆଣି ମୋହନା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ସେହି ଶିଶୁର ଚିକିତ୍ସା କରାଇଥିଲେ । ଡକ୍ଟର ଶିଶୁଟି ସୁସ୍ଥ ରହିଥିବାର କହିଛନ୍ତି। ଶିଶୁ କନ୍ୟା ଉଦ୍ଧାର ହୋଇଥିବା ନେଇ ପୋଲିସ ଓ ଚାଇଲ୍ଡ ଲାଇନକୁ ଖବର ଦିଆଯାଇଛି। ତେବେ କେବେ ବଦଳିବ ଲୋକଙ୍କ ମାନସୀକତା, କେବେ ସୁରକ୍ଷିତ ରହିବ ଶିଶୁ କନ୍ୟାଟିଏ ?