ଓଡ଼ିଶା ଛିଙ୍କିଲେ କେନ୍ଦ୍ରକୁ ଧରୁଛି ଥଣ୍ଡା !!!

0
1243

ବ୍ରହ୍ମପୁର (ଓବି ନ୍ୟୁଜ)(ତୁଷାର): ଏବେ ଏବେ ସିନା କରୋନା ଆସିଲା ହେଲେ ତାର ଯଥେଷ୍ଟ ପୂର୍ବରୁ ଏମିତି କିଛି ଚିତ୍ର ଦେଖିବାକୁ ମିଳୁଛି । ଏଥି ପାଇଁ ଲୋକେ କୁହା କୁହି ହେଉଛନ୍ତି ଓଡ଼ିଶା ଛିଙ୍କିଲେ କେନ୍ଦ୍ରକୁ ଧରୁଛି ଥଣ୍ଡା ଆଉ କେନ୍ଦ୍ରର ମୁଣ୍ଡ ବିନ୍ଧିଲେ ଓଡ଼ିଶାକୁ ଘାରୁଛି ଜ୍ୱର । ଏଥିରୁ ଭାବନ୍ତୁ ସଂପର୍କର ଡ଼ୋରିଟା କେତେ ନିବିଡ଼ । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏପରି କୋଳା କୋଳି ଟେକା ଟେକି ପରମ୍ପରାଟା ନୁଆ ନୁହଁ । ହେଲେ ଗତ ନିର୍ବାଚନ ପର ଠାରୁ ନୂଆ ରୂପରେ ନୂଆ ଢଙ୍ଗରେ ଏହି ଦୃଶ୍ୟ ଦେଖିବାକୁ ମିଳୁଛି ।

ଅବଶ୍ୟ ନବୀନ ପଟ୍ଟନାୟକ ଯେବେ ଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ନେଲେ ସେବେ ଠାରୁ ସେ କେନ୍ଦ୍ର ସରକାରଙ୍କ ଗୁଡ୍ ବୁକ୍ ରେ ରହି ଆସିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ନବୀନ ବାବୁ ସାଂସଦ ରୂପେ ନିଜର ରାଜନୈତିକ ଜୀବନ ଆରମ୍ଭ କରି କେନ୍ଦ୍ରରେ ମନ୍ତ୍ରୀଟିଏ ହୋଇଥିଲେ । ପରେ ୨୦୦୦ ମସିହାରେ ବିଜେଡି, ବିଜେପି ମେଂଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଧାରଣ କଲେ । ପରବର୍ତି ସମୟରେ ୨୦୦୪ ମସିହାରୁ କେନ୍ଦ୍ରକୁ କଂଗ୍ରେସ ଦଳ ଅକ୍ତିଆର କରି ନେଲା । ସେଥିରେ ରାଜ୍ୟର କଂଗ୍ରେସ ନେତା ଓ କର୍ମୀ ମାନେ ବଳିଆନ ହୋଇ ଉଠିବା ସହ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଖୁମ୍ପିବାରେ ଲାଗିଲେ । ହେଲେ ଫଳ ହେଲା ଓଲଟା । କେନ୍ଦ୍ରରୁ ଆସୁଥିବା ମନ୍ତ୍ରୀ ଓ ପଦାଧିକାରୀ ଓଡ଼ିଶା ମାଟିରେ ପାଦ ଥାପୁ ଥାପୁ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ଗୁଡ୍ ସାର୍ଟିଫିକେଟ ଦେଇଗଲେ । ତାହା କଂଗ୍ରେସିଆଙ୍କୁ ହତୋତ୍ସାହ କରିବା ସହ ଓଡ଼ିଶାରେ ଗୋଟାଏ ପରେ ଗୋଟାଏ ନିର୍ବାଚନରେ ହାରିବା ପ୍ରସଙ୍ଗ ସେମାନଙ୍କ ମନବଳକୁ ଭାଙ୍ଗି ଦେଲା ଓ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଲା । ଆଉ ସେହି ମଉକାକୁ ଭିତରେ ଭିତରେ ଅପେକ୍ଷା କରିଥିବା ମେଂଟ ବିଜେପି, ଶାସକ ବିଜେଡିକୁ ବାଇପାସ୍ କରି ଆକାଶରେ ଉଡ଼ିବାକୁ ଆରମ୍ଭ କରି ଦେଲା ପ୍ରୟାସ । ହେଲେ ବିଜେପି ଲକ୍ଷ୍ମଣ ରେଖା ପାର କରିବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ସେମାନଙ୍କର ପକ୍ଷ ଛେଦନ କରି ଦେଲେ ।

କ୍ଷୀର ନୀର ସଂପର୍କରେ ବାଡ଼ ପକାଇ ବିଜେପିକୁ ମେଂଟରୁ ବାଦ୍ ଦେବା ସହ ୨୦୦୯ ମସିହାର ନିର୍ବାଚନ ଲଢିଲା ବିଜେଡି ଆଉ ପାଇଲା ବିପୁଳ ସଫଳତା । ଗୋଟାଏ ପଟେ ପୂର୍ବରୁ କଂଗ୍ରେସକୁ ଖୁନ୍ଦି ଦେଇଥିବା ବେଳେ ସେହି କ୍ରମରେ ବିଜେପିକୁ ଖୁନ୍ଦି ବିଜେଡି ଉଭୟଙ୍କ ଠାରୁ ସମଦୂରତା ରକ୍ଷା କରି ନିଜର ରଣନୀତି ନିର୍ଦ୍ଧାରଣ ସହ ରାଜନୀତିର ପଶାପାଲିରେ ଆରମ୍ଭ କରି ଦେଲା ଗୋଟି ଚାଳନା ।

୨୦୧୪ ନିର୍ବାଚନରେ କିନ୍ତୁ ଚିତ୍ର ଥିଲା ଅଲଗା । ଓଡ଼ିଶାରେ ବିଜେଡିକୁ ଚେକ୍ ଦେବା ପାଇଁ ଉଭୟ ବିଜେଡି ଓ ବିଜେପି ଗହି ଖୋଜୁଥିବା ବେଳେ ସମଗ୍ର ଭାରତରେ ସେତେବେଳେ ସୃଷ୍ଟି ହୋଇଥିଲା ନରେନ୍ଦ୍ର ମୋଦି ତଥା ବିଜେପିର ନିର୍ବାଚନୀ ହାୱା । ସେହି ମଉକାର ଫାଇଦା ଉଠାଇବା ପାଇଁ ବିଜେପି ମଧ୍ୟ ଆରମ୍ଭ କରି ଦେଇଥିଲା ଅଙ୍କ କଷା । ହେଲେ ଓଡ଼ିଶାରେ ବିଜେପି ଫେଲ୍ ମାରିଥିବା ବେଳେ କେନ୍ଦ୍ରରେ କଂଗ୍ରେସ ମାରିଲା ଫେଲ୍ । ଏଣୁ ରାଜ୍ୟରେ ଉଭୟ ବିଜେପି ଓ କଂଗ୍ରେସକୁ ନବୀନଙ୍କ କରିସ୍କାକୁ ସ୍ୱୀକାର କରିବାକୁ ପଡ଼ିଥିଲା । ଆଉ ଏସବୁ ଭିତରେ ପ୍ରଧାନମନ୍ତ୍ରୀ ରୂପେ କେନ୍ଦ୍ରରେ ସରକାର ଗଢିଲେ ନରେନ୍ଦ୍ର ମୋଦି । ଓଡ଼ିଶା ବିଜେପିର ଦୁଇ ତୁଙ୍ଗ ନେତା ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍ ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ । ଆଉ ସେବେ ଠାରୁ ବିଜେପିର ଫୋକସ୍ ରେ ରହିଲା ଓଡ଼ିଶା ।

ଅମିତ୍ ଶାହା ବିଜେପିର ଜାତୀୟ ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶା ପାଇଁ ଆରମ୍ଭ କରିଥିଲେ ମିଶନ୍‌-୧୨୦ । ସେପଟେ ପଂଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ଦ୍ୱିତୀୟ ସ୍ଥାନକୁ ଉଠିବା ପରେ କର୍ମୀଙ୍କ ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଫଳାଫଳକୁ ନେଇ ଉତ୍ସାହିତ ହୋଇ ଉଠିଥିଲେ । ଏସବୁ ଭିତରେ ୨୦୧୯ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । କଂଗ୍ରେସ ଶିବିରରୁ ଅନେକ ତୁଙ୍ଗ ନେବା ଛତ୍ରଭଙ୍ଗ ଦେବା ପରେ ଯେନତେଣ ପ୍ରକାରେ ନିର୍ବାଚନ ଲଢିବା ପାଇଁ ରାଜ୍ୟରେ କଂଗ୍ରେସ ଅଂଟା ଭିଡ଼ିଲା ।

ହେଲେ ଓଡ଼ିଶାରେ ଅସଲ ଖେଳ ହେଲା ନବୀନ ବନାମ ମୋଦି ତଥା ବିଜେଡି ବନାମ ବିଜେପି ମଧ୍ୟରେ । ଗରିବ ଗୁରୁବା ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିବାରେ କିଏ ବି କୁଣ୍ଠାବୋଧ କଲେ ନାହିଁ । ସବୁଠି ମାଳ ମାଳ ନେତା ସହ ମଟନ ବିରିୟାନି ସହ ଉଡ଼ିଲା ନୋଟ୍ । ସମସ୍ତ ସୀମା ପାର କରି ନବୀନ ସରକାରଙ୍କୁ କଟାକ୍ଷ ଓ ସମାଲୋଚନା କରିବାକୁ ପଛ ଘୁଂଚା ଦେଲେ ନାହିଁ ବିଜେପି । ସେପଟେ ବିରୋଧୀ ଦଳଙ୍କୁ କାଉଂଟର ନକରି ଯୋଜନା ପରେ ଯୋଜନାର ପେଢି ଖୋଲି ଚାଲିଲେ ନବୀନ ସରକାର ଆଉ ତାହା ହିଁ ତାଙ୍କ ପାଇଁ ହେଲା ଆର୍ଶିବାଦ । ଲଗାତର ଭାବେ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ ।

କେନ୍ଦ୍ରରେ ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ବି ଓଡ଼ିଶା ଦଖଲର ଆଶା ବିଜେପି ପାଇଁ ପାଣି ଫୋଟକା ସଦୃଶ୍ୟ ହୋଇଗଲା । ବାସ୍ ତା ପରଠାରୁ ବଦଳିଗଲା ପୁରା ଚିତ୍ର । ନେତା ଓ କର୍ମୀ ବୁଝି ପାରିନଥିଲେ ବି ମୋଦି କିନ୍ତୁ ଜାଣିଗଲେ କେଉଁ ଉପାଦାନରେ ଗଢା ନବୀନ । ଆଉ ଏବେ ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କ ସହଯୋଗ କାମନା ସହ ପ୍ରଶଂସା କରିବାରେ ଟିକେ ବି ହେଳା କରୁନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ସେପଟେ ଓଡ଼ିଶାର ସିଂହାସନ ଉପରେ ଆଖି ପକାଇଥିବା ତୁଙ୍ଗ ନେତା ମାନେ ମଧ୍ୟ ସେହି ପଥକୁ ଅନୁସରଣ କରୁଛନ୍ତି । ସେପଟେ ଗୋଟି ଚାଳନାରେ ବିଚକ୍ଷଣ ବିନ୍ଧାଣୀ ସାଜିଥିବା ନବୀନ ବାବୁ ମଧ୍ୟ ସୁବିଧା ସୁଯୋଗ ଦେଖି କେନ୍ଦ୍ରକୁ ସହଯୋଗର ହାତ ବଢାଇବା ସହ ମୁରୁକି ମୁରୁକି ହସି ଦେଉଛନ୍ତି ।

ରାଜ୍ୟରେ ଗୋଟାଏ ଦଳ, କେନ୍ଦ୍ରରେ ଆଉ ଏକ ଦଳ ଏଣୁ ରାଜନୈତିକ ଦୃଷ୍ଟି କୋଣରୁ ଉଭୟଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ସହ ତିକ୍ତତା ରହିବା ସ୍ୱାଭାବିକ । ହେଲେ ଏସବୁ ଭିତରେ ଓଡ଼ିଶାର ସ୍ୱାର୍ଥ ସାଧନ ଓ ବିକାଶ ପାଇଁ କିଏ କେତେ ପାଦ ଆଗେଇ ପାରୁଛି ତାହା ହିଁ ହେବ ବୁଦ୍ଧିମତାର ପରିଚୟ ।

LEAVE A REPLY

Please enter your comment!
Please enter your name here