ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବହୁ ଅଂଚଳ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏହାର ତୁରନ୍ତ ମରାମତି , ଥଇଥାନ , ପୁନଃଉଦ୍ଧାର ଓ ସହାୟତାର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗ ଜିଲ୍ଲାସ୍ତର ଅଧିକାରୀ ମାନଙ୍କୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା , ନିର୍ଦ୍ଦେଶ ଦେଇଛନ୍ତି ।
ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଶାହା ଏକ ପ୍ରେସ ବିବୃତିରେ ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି ଯେ , ଗଜପତି ଜିଲ୍ଲାରେ ଗତ ଲଗାଣ ବର୍ଷାର ୭ ତାରିଖ ଦିନ ହାରାହାରି ୮୮.୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ୮ ତାରିଖ ଦିନ ହାରାହାରି ୬୭.୪୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି ।
ଏହି ଲଗାଣ ବର୍ଷା , ଫଳରେ ଜିଲ୍ଲାର କାଶୀନଗର ବ୍ଲକ- ଅଂଚଳ ସର୍ବାଧିକ ପ୍ରଭାବିତ ହୋଇଛି ,ଏହାର କାରଣ ହେଲା ଯେ , ଗୁଣପୁର ସ୍ଥିତ ବଂଶଧାରା ନଦୀରୁ ତଳ ମୁଣ୍ଡକୁ ଅତ୍ୟଧିକ ବନ୍ୟାଜଳ ଆସିଯିବା ଯୋଗୁଁ ।
ବର୍ତ୍ତମାନ କାଶୀନଗର ଠାରେ ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୫୪-୬୦ ମିଟର ଥିବାବେଳେ ଜଳସ୍ତର ୫୪-୮୬ ମିଟର ଉଚତାରେ ପ୍ରବାହିତ ହେଉଛି ।
କାଶୀନଗର ବ୍ଲକର ୪ଟା ପଞ୍ଚାୟତର ୧୩ ଗୋଟି ଗ୍ରାମ ଏବଂ କାଶୀନଗର ଏନଏସି’ ର ୫ ନ: ୱାର୍ଡ ଏହି ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ।
ଏଥିପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ୧୪ ଗୋଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟର ସୁବ୍ୟବସ୍ଥା କରି , ସେଠାରେ ମୋଟ ୧୦୬୫ ଜଣ ଲୋକଙ୍କୁ ,ବିପଦପୂର୍ଣ୍ଣ ସ୍ଥାନରୁ ଅଣାଯାଇ ଆଶ୍ରୟ ସ୍ଥଳରେ ରଖି ରନ୍ଧାଖାଦ୍ୟ ଦିଆଯାଉଛି ।
ଅନ୍ୟପକ୍ଷରେ , ବନ୍ୟା ପରିସ୍ଥିତିର ଏବଂ ପ୍ରଭାବିତ ଅଂଚଳରେ ଏହାର ଉଚିତ ମୁକାବିଲା କରିବା ପାଇଁ ତଥା ଲୋକଙ୍କ ଧନଜୀବନ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରଭାବିତ ଅଞ୍ଚଳରେ ଗୋଟିଏ ଓଡ୍ରାଫ ଦଳ(୨୩ ଜଣିଆ) ଓ ୨ଟି ଅଗ୍ନିଶମ ଦଳ ସମେତ ୨ ଟି ଡ଼ଙ୍ଗା ନିୟୋଜିତ କରାଯାଇଛି ।
ଏତଦବ୍ୟତିତ , ପ୍ରଭାବିତ ଅଂଚଳର ଲୋକଙ୍କୁ ସ୍ୱାସ୍ଥ୍ୟଚିକିତ୍ସା ପାଈଁ ୩ ଟି ଡାକ୍ତରୀ ଦଳ ଏବଂ ଗୋଟିଏ ପଶୁ-ସମ୍ପଦ ଚିକିତ୍ସା ଦଳକୁ ମଧ୍ୟ ସ୍ୱାସ୍ଥ୍ୟଚିକିତ୍ସା ଯୋଗାଇଦେବା ଉଦ୍ଦେଶରେ ନିୟୋଜିତ କରା ଯାଇଛି । ଜରୁରୀ-କାଳୀନ ସ୍ଥିତିରେ ୬ ଜଣ ଗର୍ଭବତୀ ମହିଳାଙ୍କୁ କାଶୀନଗର ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲା-ସ୍ତରୀୟ ଅଧିକାରୀ ମାନଙ୍କୁ ଲଗାଣ ବର୍ଷ।ରେ ବନ୍ୟା ପ୍ରଭାବିତ ଅଂଚଳର କ୍ଷୟକ୍ଷତି ପରିସ୍ଥିତିର ଅନୁଧ୍ୟାନ ଓ ସଠୀକ ଆକଳନ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟତଃ, ଲଗାଣ ବର୍ଷାରେ ଜିଲ୍ଲାରେ ନଷ୍ଟ ହୋଇ ଯାଇଥିବା ରାସ୍ତା ଗୁଡ଼ିକ ହେଲା , ରା:ଉଦୟଗିରି ବ୍ଲକର ବାସତିରି ଗୁଡା-ତାଣ୍ଡିଗୁଡା ରାସ୍ତା , ମୋହନା ବ୍ଲକର ବାଲିପଙ୍କା ଅସ୍ଥାୟୀ ଡାଇଭରସନ ରାସ୍ତା , ରାୟଗଡ଼ ବ୍ଲକର କଇଁପୁର-କଳିଙ୍ଗ ,ଜିରାଙ୍ଗ-କଇଁ।ପୁର , ମାଡା଼ , ରାଇସିଙ୍ଗ ଓ ସିଣ୍ଡଲିଙ୍ଗ ରାସ୍ତା ଏବଂ କାଶୀନଗର ବ୍ଲକର କାଶୀନଗର-କିଡ଼ୀଗାଂ ପ୍ରଭୃତି ରାସ୍ତା ଗୁଡ଼ିକ ପ୍ରଭାବିତ ହୋଇଥିବା ଜଣାଯାଇଛି ।
ସେହିଭଳି , ଲଗାଣ ବର୍ଷାରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବା ରାସ୍ତା ଗୁଡ଼ିକ ହେଲା:-ମୋହନା-ଖାରିଗୁଡା଼ , ରାୟଗଡ଼ ବ୍ଲକର ଡାକସାହି-ଗଙ୍ଗାବାଡ଼ , କାଶୀନଗର ବ୍ଲକର କାଶୀନଗର-ବାଡ଼ୀଗାଂ ରାସ୍ତା ପ୍ରଭୃତି ।
ବର୍ଷା ଜଳରେ ପ୍ରଭାବିତ ହୋଇ ନଷ୍ଟ ହୋଇ ଯାଇଥିବା ରାସ୍ତା ଗୁଡ଼ିକର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସୁଗମ କରିବା ପାଈଁ ଯୁଦ୍ଧ-କାଳୀନ ଭିତ୍ତିରେ ସମ୍ପୃକ୍ତ ନିର୍ବାହୀଯନ୍ତ୍ରୀ ମାନେ , ସେମାନଙ୍କ କାର୍ୟ୍ୟ ଆରମ୍ବ କାରୀ ଦେଇଛନ୍ତି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ପ୍ରେସ-ବିବୃତିରେ ଜଣାଇଛନ୍ତି ।