ଯିଏ ଅତିଥିଙ୍କ ପାଦ ଧୋଇଦିଏ

0
160

ବ୍ରହ୍ମପୁର(ଓବି ନ୍ୟୁଜ): ଆମ ସଂସ୍କୃତି ଓ ପରମ୍ପରା ବେଶ୍ ରୁଦ୍ଧିମନ୍ତ । ଏଥିପାଇଁ ଅତିଥି ଦେବୋ ଭବ ବୋଲି କୁହାଯାଇଥାଏ । ଯାହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଥାଏ ସବୁଠି । ଏପରିକି ସାଗର ବେଳାଭୂମି ମଧ୍ୟ ଏଥିରୁ ବାଦ୍ ପଡ଼ିନଥାଏ । ଏଥିପାଇଁ ତ ଯିଏ ସମୁଦ୍ର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସାଗର କୂଳକୁ ଯାଇଥାଏ, ସେହି ସାଗର ତାର ପାଦ ଧୋଇଦେଇଥାଏ । ସ୍ୱଚ୍ଛ ଅଭିଯାନର ବାର୍ତା ସେଠାରୁ ହିଁ ଆରମ୍ଭ ହୋଇଥାଏ । ହେଲେ ସମସ୍ତେ ଭୁଲି ଯାଇଥାନ୍ତି ସେହି ବେଳାଭୂମିର ସ୍ୱଚ୍ଛତା ରକ୍ଷା ପାଇଁ । ତେବେ ଯାହାହେଉ ଆଜି କ୍ରାନ୍ତି ଦିବସ ଅବସରରେ ସ୍ୱଚ୍ଛତାରେ କ୍ରାନ୍ତିକାରୀ ପରିବର୍ତନ ଆଣିବା ପାଇଁ ଗଂଜାମ ଜିଲ୍ଲାପାଳ ଅଂଟା ଭିଡ଼ିଛନ୍ତି ।

ସେହି କ୍ରମରେ ଆଜି ସକାଳୁ ଗୋପାଳପୁର ବେଳାଭୂମିରେ ଆରମ୍ଭ ହୋଇଥିଲା ସାମୁହିକ ସଫେଇ ଅଭିଯାନ । ମୋ ଗୋପାଳପୁର ସ୍ଲୋଗାନର ଗୁଂଜରଣକୁ ନେଇ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଫେଇ ଅଭିଯାନରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ହୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ମଣ୍ଡଳ, ଗୋପାଳପୁର ଏନଏସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତା, ସ୍କୁଲ କଲେଜର ଛାତ୍ରଛାତ୍ରୀ ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ । ବେଳାଭୂମି ସଫେଇ ପରେ ଏକ ସଭାର ଆୟୋଜନ ହୋଇଥିଲା । ଆଉ ସେଥିରେ ଅତିଥିମାନେ ବେଳାଭୂମିକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏ ଦିଗରେ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତି ରବିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ କହିଥିଲେ । ଏଣୁ ଆସନ୍ତୁ ନା ସାଗରର ମହାନତା ଆଗରେ ନିଜକୁ ସମର୍ପି ଦେବା ଆଉ ସ୍ୱଚ୍ଛତାର ବାର୍ତା କୋଣ ଅନୁକୋଣେ ପହଂଚାଇଦେବା ।

LEAVE A REPLY

Please enter your comment!
Please enter your name here