ବ୍ରହ୍ମପୁର(ଓବି ନ୍ୟୁଜ): ଚାଲିଛି ଚଢ଼ାଉ ପରେ ଚଢ଼ାଉ । କେତେବେଳେ ଅପରାଧିଙ୍କୁ ଧରିବା ପାଇଁ ତ ଆଉ କେତେବେଳେ ବେଆଇନ କାରବାରକୁ ରୋକିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଚାଲିଛି ଚଢ଼ାଉ । ଏହି କ୍ରମରେ ଦେଖିବାକୁ ଗଲେ ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉର ମାତ୍ରା ଏବେ କିଛି ଦିନ ହେଲା ବଢ଼ିଯାଇଛି । ତଥାପି ପୁଲିସ ପ୍ରଶାସନକୁ ଚକମା ଦେଖାଇ ଆଇନର ଫାଙ୍କରେ ଗଳି ଯିବାକୁ ଚେଷ୍ଟା କରୁଛନ୍ତି ଗୁଟଖା ମାଫିଆମାନେ । ଏ ନିକଟରେ ସଦର ଥାନା ବଡ଼ବଜାର ଥାନା ପକ୍ଷରୁ ଗୋଦାମ ଘର ଓ କାରଖାନା ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଟଖା ଓ ଗୁଟଖା ପ୍ରସ୍ତୁତି ସରଂଜାମ ଜବତ ହୋଇଥିଲା । ଏଥିପାଇଁ ୮ ଜଣ ଜେଲକୁ ମଧ୍ୟ ଯାଇଥିଲେ । ହେଲେ ବିଡ଼ମ୍ବନା ଏହିକି ଯେ ଏତେ ସବୁ ସତ୍ୱେ କିଛି ଅସାଧୁ ବେପାରୀ ଏବେବି ହେଜୁନାହାନ୍ତି । ବ୍ରହ୍ମପୁର ବସଷ୍ଟାଣ୍ଡ ପରିସରର ଏକ ଘଟଣା ଏମିତି କିଛି ସୂଚାଉଛି । କୌଣସି ସୂତ୍ରରୁ ଖବର ପାଇ ବିଏନପୁର ପୁଲିସ ପହଂଚିଥିଲା ବସଷ୍ଟାଣ୍ଡ ପରିସରରେ । ଆଉ ସେଠି ବସ ଯୋଗେ ଅନ୍ୟ ଅଂଚଳକୁ ଚାଲାଣ ପାଇଁ ଥାକ ଥାକ କରି ରଖାଯାଇଥିବା ୪୨ଟି ଗୁଟଖା ବସ୍ତା ଠାବ କରିଥିଲା । ସେ ସବୁକୁ ପୁଲିସ ଜବତ କଲା ସିନା ତା ପଛର ଖଳନାୟକର ଟେର ପାଇପାରିନାହିଁ ପୁଲିସ । କାହାର ସେ ଗୁଟଖା କାହା ମାଧ୍ୟମରେ ଆସିଥଲା କେଉଁଠାକୁ ଚାଲାଣ ପାଇଁ ଆସିଥିଲା, ତାହାର ଖୋଜ ଖବର ଖୋଜୁଛି ପୁଲିସ । ହେଲେ ପ୍ରଶ୍ନ ଉଠୁଛି ଜନଗହଳିପୂର୍ଣ୍ଣ ଭିତରେ ଫାଣ୍ଡିଟିଏ ଥାଇ ମଧ୍ୟ କିଏ ଏପରି କଲା । ଏହା ଦୀପ ତଳ ଅନ୍ଧାର ନୁହଁ ତ ଆଉ କଣ ।