ମୁକୁଳା ଦେହରେ ଜଗିଛି ସମୁଦ୍ର

0
233

ବ୍ରହ୍ମପୁର(ଓବି ନ୍ୟୁଜ) : ସମୁଦ୍ର ପଥ ହେଉ କି ଅବା ବିମାନ ପଥ କି ଅବା ସ୍ଥଳ ପଥ ସବୁଠି କଡ଼ା ସୁରକ୍ଷାର ବ୍ୟବସ୍ଥା । କାଶ୍ମୀର ପ୍ରସଙ୍ଗକୁ ନେଇ ଭିଡ଼ିକି ଉଠିିଥିବା ପାକିସ୍ତାନ ଆତଙ୍କବାଦୀଙ୍କ ପକ୍ଷରୁ କେଉଁଠି ନା କେଉଁଠି ଆକ୍ରମଣ ହେବାର ସମ୍ଭାବନା ରହିଛି । ଏମିତି ସୂଚନା ଆସିଛି ଗୁଇନ୍ଦା ବିଭାଗ ପକ୍ଷରୁ । ଏଣୁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟକୁ ସଜାଗ ରହିବା ପାଇଁ ସୁଚାଇ ଦିଆଯାଇଛି । ମୁଖ୍ୟ ସ୍ଥାନ ଓ ମୁଖ୍ୟ ସହର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଆଉ ଫୋକସରେ ରହିଛି ସମୁଦ୍ର ପଥ । ନଭେମ୍ବର ୨୬- ୨୦୦୮ ମସିହାରେ ଆତଙ୍କବାଦୀ ମାନେ ସମୁଦ୍ର ପଥରେ ମୁମ୍ବାଇ ସହରକୁ ପଶି ଆସିଥିଲେ । ଆତଙ୍କର ତାଣ୍ଡବ ଲୀଳା ମଧ୍ୟ ରଚାଇଥିଲେ । ଏଣୁ ସେହି ତିକ୍ତ ଅନୁଭୂତିକୁ ମନେ ପକାଇ ଜଳ ପଥର ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ୨୦୦୯ ମସିହାରେ ଗଠନ ହୋଇଥିଲା ସାମୁଦ୍ରିକ ଥାନା ।
ଗଞ୍ଜାମ ଜିଲ୍ଲାର ଆର୍ଜିପଲ୍ଲୀ ଓ ସୁନପୁର ଠାରେ ମଧ୍ୟ ରହିଛି ଦୁଇଟି ସାମୁଦ୍ରିକ ଥାନା । ସୁନପୁର ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବିସ୍ତୃତ ୬୦ କିଲୋମିଟର ବେଳାଭୂମି ଓ ସମୁଦ୍ର ତଟକୁ ସୁରକ୍ଷା ଦେବାର ଦାୟିତ୍ୱ ମୁଣ୍ଡାଇଛି ଏହି ଦୁଇ ଥାନା । ଲୋକଙ୍କୁ ଭୟମୁକ୍ତ ଓ ସଚେତନ କରାଇବା ସହ ସମୁଦ୍ର ପଥରେ ଶତ୍ରୁଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ଅନେକ ସମୟରେ ମିଳିତ ସମରାଭ୍ୟାସ ମଧ୍ୟ କରାଯାଉଛି । ହେଲେ ଆର୍ଜିପଲ୍ଲୀ ଠାରେ ଥିବା ସାମୁଦ୍ରିକ ଥାନାର ଭୌଗଳିକ ଚିତ୍ର ବଦଳି ଯାଇଛି ୨୦୧୩ ମସିହାର ଫାଇଲିନ ବାତ୍ୟା ପରଠାରୁ । ପାଚେରୀ ଭାଙ୍ଗି ଯାଇଥିବା ବେଳେ ଛାତ କୋଠାର ଅନେକ ସ୍ଥାନରେ ସୃଷ୍ଟି ହୋଇଛି ଫାଟ । ପାୱାର ବୋଟ୍ ଟି ମଧ୍ୟ ଅଚଳ ହୋଇ ପଡ଼ିଛି । ନା ରହିଛନ୍ତି ଆବଶ୍ୟକୀୟ ସୁରକ୍ଷା କର୍ମୀ ନା ରହିଛି ଗୋଳା ବନ୍ଧୁକର ବ୍ୟବସ୍ଥା । କହିବାକୁ ଗଲେ ସମୁଦ୍ର ତଟରେ ମୁକୁଳା ହୋଇ ପଡ଼ି ରହିଛି ଥାନା କୋଠାଟି । ହେଲେ ମନବଳ କିନ୍ତୁ ଭାଙ୍ଗିନି ସୁରକ୍ଷା କର୍ମୀଙ୍କ । ସୀମିତ ବ୍ୟବସ୍ଥାରେ ମଧ୍ୟ ପହରା ଦେବାରେ ଅବହେଳା କରୁନାହାନ୍ତି ସେମାନେ ।

LEAVE A REPLY

Please enter your comment!
Please enter your name here