ସମସ୍ୟା ଘେରରେ ବଡ଼ଚକଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

0
504

ଗଂଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଂଚାୟତର ବଡ଼ଚକଡ଼ା ଗ୍ରାମରେ ରହିଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶିକ୍ଷା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହୋଇଥିବା ଯୋଗୁଁ ଅଭିଭାବକ, ଛାତ୍ରଛାତ୍ରୀ ମହଲରେ ଉଦବେଗ ପ୍ରକାଶ ପାଇଛି ।
ବିଦ୍ୟାଳୟରେ ୧୧୫ ଜଣ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଛନ୍ତି । ସ୍କୁଲରେ ୪ ଜଣ ଶିକ୍ଷକ ରହିଛନ୍ତି । ସେଥିମଧ୍ୟରୁ ଜଣେ ନୂଆପଲ୍ଲୀ କ୍ଲଷ୍ଟର ରହିଥିବା ଫଳରେ ସପ୍ତାହରେ ଗୋଟିଏ କିମ୍ବା ଦୁଇଦିନ ହିଁ ସ୍କୁଲକୁ ଆସିଥାନ୍ତି । ଅନ୍ୟପଟେ ଦୁଇଟି ଶ୍ରେଣୀ ଗୃହ ରହିଥିବାବେଳେ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ସ୍କୁଲର ପାଚେରି ନଥିବା ଯୋଗୁଁ ନିକଟରେ ପାହାଡ଼ ଥିବାରୁ ବିଷଧର ସରିଶୃପର ମଧ୍ୟ ଭୟ ରହିଛି । ବିଦ୍ୟାଳୟରେ ପାନୀୟ ଜଳ ଅଭାବ ପରିଲକ୍ଷିତ ହେଉଛି । ନିକଟରେ ଗୋଟିଏ ନଳକୂପ ରହିଥିବାବେଳେ ସେଥିରୁ ଲୁହା କଳଙ୍କିଯୁକ୍ତ ପାଣି ବାହାରୁଥିବାରୁ ତାହା ବ୍ୟବହାର ନିମନ୍ତେ ଅନୁପଯୋଗି ଅଟେ । ଦୁଇ ବର୍ଷ ପୂର୍ବେ ଛାତ୍ରୀମାନଙ୍କ ପାଇଁ ପାଇଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନହୋଇ ଅଧାପନ୍ତରିଆ ଭାବେ ପଡ଼ିରହିଛି । ସ୍କୁଲର ବିଭିନ୍ନ ସମସ୍ୟା ନେଇ ବହୁବାର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଫଳ ଶୂନ ରହିଥିବା ପରିଲକ୍ଷିତ ହେଉଛି । ଯାହାକୁ ନେଇ ଗ୍ରାମରେ ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା ପାଇଁ ବିଭାଗୀୟ କର୍ତୃପକ୍ଷ ଏଡିଜିରେ ପଦକ୍ଷେପ ନେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here