ଭାଙ୍ଗି ଯିବନି ତ ପ୍ରେମ ଓ ସ୍ୱପ୍ନର ଉଆସ ???

0
138

ବ୍ରହ୍ମପୁର(ଓବି ନ୍ୟୁଜ): ବିବାହ ବନ୍ଧନ ସଭ୍ୟ ମାନବ ସମାଜର ସବୁ ଠାରୁ ବଡ଼ ବନ୍ଧନ । ଯେଉଁଠି କି ମିଳନ ଘଟିଥାଏ ଦୁଇ ଅଜଣା ମନର ଦୁଇ ଅଚିହ୍ନା ହୃଦୟର । ବାସ୍ ସେହି ମିଳନର ମଧୁ ରୁ ସୃଷ୍ଟି ହୋଇଥାଏ ନୂଆ ଏକ ସଂସାରର । ଯାହାକି ଜାତି ଧର୍ମ ବର୍ଣ୍ଣର ବହୁ ଉଦ୍ଧ୍ୱର୍ରେ ଥିବା ଏକ ବାସ୍ତବ ସତ୍ୟ । ଯୁଗ ଯୁଗ ଧରି ଏହି ବାସ୍ତବ ସତ୍ୟର ପଥରେ ଧାବମାନ ମଣିଷ ସମାଜ ।
ହେଲେ ବିଡ଼ମ୍ବନା ଏହି ଯେ ଆଜିର ମାନବ ସମାଜରେ ମଣିଷ ଯେତିକି ଯେତିକି ସଭ୍ୟ ହେଉଛି ତାର ସ୍ୱପ୍ନ ଓ ବାସନାକୁ ଚରିତାର୍ଥର୍ କରିବା ପାଇଁ ସେତିକି ସେତିକି କୁପଥଗାମୀ ହେଉଛି । ଆଉ ତାର ଶିକାର ହେଉଛନ୍ତି ମହିଳା ମାନେ ।
ମନରେ ଅସୁମାରୀ ସ୍ୱପ୍ନ ନେଇ ନିଜ ଘରର ମୋହ ମାୟା ବନ୍ଧନକୁ ତ୍ୟାଗ କରି ବିବାହ ପରେ ମହିଳାଟିଏ ପାଦ ଥାପିଥାଏ ନୂଆ ଏକ ଘରେ । ମନ ଓ ହୃଦୟରେ ସାଇତା ଅସୁମାରୀ ପ୍ରେମ ଓ ମଧୁକୁ ସମର୍ପି ଦେଇଥାଏ ସ୍ୱାମୀକୁ । ନିଜକୁ ରଙ୍ଗୀନ ଏକ ଦୁନିଆରେ ହଜେଇ ଦେଇ ନୂଆ ସଂସାରର ପରିକଳ୍ପନା କରିଥାଏ ସେ । ହେଲେ ଅନେକ ସମୟରେ ଏହି ରାସ୍ତାରେ କଂଟା ସାଜିଥାଏ ସ୍ୱାମୀର ଲୁକ୍କାୟିତ ବାସନା ଓ କାମନା । ସ୍ତ୍ରୀ ଉପରେ ଆରମ୍ଭ ହୋଇଯାଏ ମାନସିକ ଓ ଶାରିରୀକ ନିର୍ଯ୍ୟାତନା । ଯାତନାର ତତଲା କୁଣ୍ଡରେ ଧନ୍ଦି ହୋଇଯାଏ ସେ । ଆଉ ଭାବିଲା ବେଳକୁ ସରିଯାଇଥାଏ ସବୁ କିଛି ।
ଏଣୁ ସେଥିରେ ଆଙ୍କୁଶ ଲଗାଇବା ପାଇଁ ପ୍ରଣୟନ ହୋଇଛି ଅନେକ ଆଇନ । ପୂର୍ବରୁ ହିନ୍ଦୁ ବିବାହିତ ମହିଳାଙ୍କ ପାଇଁ ଅନେକ ଆଇନ ଥିବା ବେଳେ ଏବେ ମୁସଲିମ୍ ବିବାହିତ ମହିଳାଙ୍କ ପାଇଁ ପ୍ରଣୟ ହୋଇଛି ତିନି ତଲାକ ନିଷିଦ୍ଧ ଆଇନ ।
ସରକାରଙ୍କ ପକ୍ଷରୁ ତିନି ତଲାକ ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି । ମୁସଲମାନ ସଂପ୍ରଦାୟର ବିବାହିତ ପୁରୁଷଟିଏ ନିଜ ସ୍ତ୍ରୀକୁ ତିନି ତଲାକ ଦେଇ ଛାଡ଼ି ଦେଲେ ତା ବିରୋଧରେ ଆଇନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି । ତାହାର ନମୁନା ମଧ୍ୟ ଆରମ୍ଭ ହୋଇସାରିଲାଣି । ହେଲେ ଯେଉଁଠି ବିବାହିତ ହିନ୍ଦୁ ମହିଳାଟିଏ ଅକଥନୀୟ ନିର୍ଯ୍ୟାତନା ସହିବାର ସୀମା ପାର କାରିସାରିଥିଲେ ବି ତାର ସଂସାରକୁ ଯୋଡ଼ିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି ଓ ଦୁଇ ହୃଦୟକୁ ଯୋଡ଼ିବା ପାଇଁ କାଉନସେଲିଂ ମାଧ୍ୟମରେ ଉଦ୍ୟମ ମଧ୍ୟ କରାଯାଉଛି । ଆଉ ଅନେକ କ୍ଷେତ୍ରରେ ଧର୍ଯ୍ୟହରା ହୋଇପଡ଼ିଥିବା ମହିଳାଟିର ସେହି ସଂସାର ପୁଣି ଥରେ ହସି ଉଠୁଛି ।
ଏଣୁ ତିନି ତଲାକ ନିଷିଦ୍ଧ ଆଇନକୁ ମୁସଲିମ୍ ସଂପ୍ରଦାୟର ଅନେକ ମହିଳା ଓ ସଂଗଠନ ସ୍ୱାଗତ କରିଥିଲେ ବି ଏହି ଆଇନର ଫାଶରେ କିଏ କିଏ ବାଟବଣା ହୋଇଯିବାର ବି ସମ୍ଭାବନା ରହିଛି । ସ୍ୱପ୍ନ ଓ ପ୍ରେମର ଉଆସ ମଧ୍ୟ ଭାଙ୍ଗିଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here