ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) ; ସରକାରଙ୍କ ମାଲ ଦରିଆମେ ଡାଲ ଭଳି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ଦେଖିବାକୁ ମିଳିଛି । ବହୁ ଜନ ବସତି ସହିତ ବାଣିଜ୍ୟ ବେପାର କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଂଚଳରୁ ଲୋକ ଛତ୍ରପୁର ସହର ଉପରେ ନିର୍ଭର କରିଥାନ୍ତି । ଏଥିପାଇଁ ସେମାନଙ୍କ ଗମନାଗମନ,ଖାଦ୍ୟପେୟ ଆଦି ଜିନିଷ ଉପରେ ଗୁରୁତ୍ୱ ଦେଇ ପ୍ରଶାସନ ତରଫରୁ ବହୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କିଛି ବ୍ୟବସ୍ଥା ଆଜି ବି ସେମାନଙ୍କ କାମରେ ଆସୁନାହିଁ ।

ଆଜି ଆମେ କହିବାକୁ ଯାଉଛୁ ଛତ୍ରପୁର ସହରରେ ନୂତନ ଭାବେ ନିର୍ମିତ ହୋଇଥିବା ବସଷ୍ଟାଣ୍ଡ । କଟକ ଓ ଭୁବନେଶ୍ୱର ବସ୍ ଆସିବା ତ ଦୂର କଥା ଛତ୍ରପୁର ରୁ ବ୍ରହ୍ମପୁର ଯାଉଥିବା ବସ୍ ମଧ୍ୟ ବସଷ୍ଟାଣ୍ଡ କୁ ଆସୁନାହାନ୍ତି । ଅନସ୍ଲୋ ହାଇସ୍କୁଲ ସମ୍ମୁଖରେ ବସ ଗୁଡିକ ରହୁଥିବାରୁ ମେଇନ ରୋଡ ଜାମ୍ ହେଉଥିବା ଦେଖିବାକୁ ମିଳୁଛି । ଏପଟେ ବସଷ୍ଟାଣ୍ଡ ଟି ଦୂରରେ ରହିଥିବାରୁ ଚାକରିଆ ଏବଂ ଛାତ୍ରଛାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପୂରୂଣା ବସଷ୍ଟାଣ୍ଡ ଥିବା ସ୍ଥାନରେ ନୂଆ ବସଷ୍ଟାଣ୍ଡର କୌଣସି ସୂଚନା ପ୍ରଶାସନ ତରଫରୁ ନ ଦିଆଯାଇଥିବାରୁ ଯାତ୍ରୀମାନେ ହତାଶ ହେଉଥିବା ଦେଖିବାକୁ ମିଳିଛି । ସେପରି ଦୋକାନ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ବସଷ୍ଟାଣ୍ଡରେ ଯାତ୍ରୀ ନ ଆସିବାରୁ ସେମାନଙ୍କ ବେପାରରେ ବାଧା ଉପୁଜିଥିବା ମନେକରି କୈାଣସି ଦୋକାନ ଗୃହ ନିଆଯାଇ ନାହିଁ ।

ବସଷ୍ଟାଣ୍ଡ ଟି ବର୍ତମାନ ଛାତ୍ରଛାତ୍ରୀମାନଙ୍କ ପଢାଗୃହ ଏବଂ ଗାଇ ଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଯାଇଥିବା ମନେ ହେଉଛି । ଏହାସହିତ ଆଞ୍ଚଳିକ ପରିବହନ କେନ୍ଦ୍ର କାର ଡ୍ରାଇଭିଂ ଟେଷ୍ଟ ସେଣ୍ଟର ରୂପେ ମଧ୍ୟ ପାଲଟି ଥିବା ଦେଖିବାକୁ ମିଳିଛି । ଯାତ୍ରୀମାନଙ୍କ ଅସୁବିଧା ପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବୀ ଜୋର୍ ଧରିଛି । ପ୍ରକାଶ ଥାଉକି ଯେ ପୂର୍ତ୍ତ ବିଭାଗ ପକ୍ଷରୁ ନୂତନ ବସଷ୍ଟାଣ୍ଡ, କୋଠା ଓ ରହଣୀ ସ୍ଥଳ ନିମନ୍ତେ ଟ୬.୪୪କୋଟି ଅନୁଦାନରେ ନିର୍ମାଣ ହୋଇଥିଲା । ଏହାକୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ପାଳନ ଓ ସ୍ୱତନ୍ତ୍ର ଓଡିଶା ଗଠନର ୮୦ବର୍ଷ ପୂର୍ତ୍ତି ଅବସରରେ ଗତ ୧୯.୧୧.୨୦୧୬ ମସିହାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦଘାଟନ ହୋଇଥିଲ।।