“ମୋ ହିଞ୍ଜିଳିକାଟୁ ” ଉଦଘାଟିତ

0
211

ହିଞ୍ଜିଳିକାଟୁ(ଓବି ନ୍ୟୁଜ) (ପବିତ୍ର କୁମାର ପାତ୍ର): ହିଞ୍ଜିଳିକାଟୁ ସହରକୁ ସଫା ସୁନ୍ଦର କରିବା ସହ ବର୍ଜ୍ୟ ବସ୍ତୁର ସଠିକ୍ ପରିଚାଳନା କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛତାର ବାର୍ତା ଦେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିଆରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୁଧବାର ସକାଳେ “ମୋ ହିଞିଳିକାଟୁ” ନାମରେ ଏହି ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ସ୍କୁଲ୍ ପିଲା, ତ୍ରିରଙ୍ଗା ଯୁବକ ସଂଘ, ଷ୍ଟୁଡେଣ୍ଟସ୍ ଫର ସୋସାଇଟି, ଡିସ୍କଭର ହିଞିଳିକାଟୁ ସଂଘ ଭଳି ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାଙ୍କ ସହ ପୌର ପରିଷଦ କାର୍ଯ୍ୟାଳୟ ରୁ ଜିଲ୍ଲାପାଳ ଝାଡୁ ଧରି ସଫେଇ କରିବା ପାଇଁ ବାହାରି ଥିଲେ ପୌରାଞ୍ଚଳ ୫ ନମ୍ବର ୱାର୍ଡ ଓ ବିଜୁ ପଟ୍ଟନାୟକ ଛକରେ ପଥ ପ୍ରାନ୍ତ ସଭାରେ ସହରକୁ ସ୍ୱଚ୍ଛ ରଖିବା ପାଇଁ ସହରବାସୀଙ୍କୁ ଆହ୍ୱାନ କରିଥିଲେ ।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଘରେ ଅଳିଆ ଆବର୍ଜ୍ଜନାକୁ ସଠିକ ଏବଂ ନିର୍ଦ୍ଧିଷ୍ଟ ବର୍ଜ୍ୟ ସଂଗ୍ରହ କରି ରଖିବା ପାଇଁ ନିର୍ଦ୍ଧିଷ୍ଟ ରଙ୍ଗର ଡଷ୍ଟବିନରେ ରଖି ଆବର୍ଜ୍ଜନାକୁ ସଂଗ୍ରହ ଓ ପୃଥକୀକରଣ ପାଇଁ ପୌର ପରିଷଦର ଆବର୍ଜ୍ଜନା ସଂଗ୍ରହ ଗାଡ଼ିରେ ଦେବା ପାଇଁ ଅନୁରୋଧ କରିଥିଲେ। ସହରବାସୀଙ୍କୁ ସଚେତନ କରିବା ପାଇଁ ସପ୍ତାହକୁ ଥରେ ଏହି ଅଭିଯାନକୁ ସହରର ପ୍ରତ୍ୟେକ ୱାର୍ଡରେ କ୍ରିୟାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ,ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ତହସିଲଦାର ଗୋପୀନାଥ କୁଆଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଅଧିକାରୀ ଅଭିମନ୍ୟୁ ଦାସ , ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ନଗର ସଭାପତି ଭୀମସେନ ବେହେରା, ମୁଖ୍ୟମନ୍ତ୍ରୀଙ୍କ ବ୍ଲକ୍ ପ୍ରତିନିଧି ଶରତ ମହାପାତ୍ର, ପୂର୍ବତନ ବିଧାୟକ ହରିହର ସାହୁ ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୁବଗୋଷ୍ଠୀ, ପୌରପରିଷଦ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ସହ ଖେଳ ଉପକରଣ ଓ ସହାୟତାରାଶି ପାଉଥିବା ବିଜୁ ଯୁବ ବାହିନୀର ଅନୁପସ୍ଥିତି ତାହା ମଧ୍ୟ ଖୋଦ ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଆଜିର ଏହି “ମୋ ହିଞ୍ଜିଳିକାଟୁ” କାର୍ଯ୍ୟକ୍ରମରେ ସାମିଲ ନହେବା ଘଟଣାକୁ ଉପସ୍ଥିତ ବ୍ୟକ୍ତି ମାନେ ନାପସନ୍ଦ କରିଛନ୍ତି। ଅନ୍ୟ ପକ୍ଷରେ ସହର ଅଧିକାଂଶ ୱାର୍ଡରେ ପରିମଳ ବ୍ୟବସ୍ଥା ବିପର‌୍ୟ୍ୟସ୍ତ ରହିଛି କେତେକ ୱାର୍ଡରେ ଡଷ୍ଟବିନି ଭାଙ୍ଗି ରହିଛି ତ ଆଉ କିଛି ସ୍ଥାନରେ ଡଷ୍ଟବିନ ଜମାରୁ ନାହିଁ ବାସ୍ତବରେ ଲୋକ ସଚେତନା ସହ ପୌର ପରିଷଦ ଉଚିତ୍ କାର୍ଯ୍ୟ ସମୀକ୍ଷା କରି ପରିଚାଳନା କଲେ ଅଭିଯାନର ବାସ୍ତବ ଅଭିମୂଖ୍ୟ ସଫଳ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here