ଗଜପତି (ଓବି ନ୍ୟୁଜ୍)(ଗଣେଷ କୁମାର ରାଜୁ) :- ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘ ପକ୍ଷରୁ ସିଟୁ ଏବଂ ଡିୱାଇଏଫଆଇ ର ସହଯୋଗରେ ନୁଆ ବସଷ୍ଟାଣ୍ଡ ଠାରେ ଯାତ୍ରୀ ମାନଙ୍କ ବିଶେଷ ସୁବିଧା ନିମନ୍ତେ ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଈଁ ଧର୍ମଘଟ ଆରମ୍ବ କରିଛନ୍ତି ।

ଏହି ଧର୍ମଘଟ ଯୋଗୁଁ ଏଠାରୁ ଯାଉଥିବା ଶତାଧିକ ସଂଖ୍ୟାରେ ବସ ଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିବା ସହ ନୁଆ ବସଷ୍ଟାଣ୍ଡ ଠାରେ ଥିବା ସମସ୍ତ ଦୋକାନ ମଧ୍ୟ ବନ୍ଦ ରହିଛି । ଫଳରେ ବିଭିନ୍ନ ସ୍ଥାନକୁ ଯିବାପାଇଁ ଯାତ୍ରୀ ମାନେ ନୁଆ ବସଷ୍ଟାଣ୍ଡ ଠାରେ ଅଟକି ରହି ନାହି ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସଂଘ ପକ୍ଷରୁ ବହୁ ସଂଖ୍ୟାରେ କର୍ମଚାରୀ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଦାବି ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ବାହାରି ପରିକ୍ରମା କରି ନୁଆ ବସଷ୍ଟାଣ୍ଡ ଠାରେ ପହଂଚି ଥିଲେ । ପରେ ପ୍ରବେଶ ପଥ ଗେଟ ତଳେ ବସି ଦାବି ଉପରେ ସ୍ଲୋଗାନ ମାନ ଦେଇ ବିକ୍ଷୋଭ କରିଥିଲେ । ଦାବି ଗୁଡ଼ିକ ସମ୍ପର୍କରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ସୁନୀଲ କୁମାର ପଟନାୟକ କହିଥିଲେ ଯେ, ଆମର ମୁଖ୍ୟ ୫ ଦଫା ଦାବି ଗୁଡିକ ହେଲା,(୧) ନୁଆ ବସଷ୍ଟାଣ୍ଡ ପରିସରରେ ଥିବା ସମସ୍ତ ମଦ ଦୋକାନ ତୁରନ୍ତ ବନ୍ଦ କରିବା (୨) ମଦ ବ୍ୟବସାୟ କୁ ନେଇ ବେଆଇନ କାର୍ଯ୍ୟକଳାପ ଜାରୀ ରଖିଥିବା ଅପରାଧୀ ମାନଙ୍କ ପ୍ରତି ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା (୩)ଡିଜେଲ ବଦଳରେ କିରୋସିନ ତେଲ ବ୍ୟବହାର କରି ବସ ଚଳାଉଥିବା, ମାଲିକ ମାନଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା (୪) କଣ୍ଡିସନ ନ ଥିବା ପୁରୁଣା ଵସରେ ବିପଦଜନକ ଭାବେ ଯାତ୍ରୀ ପରିବହନ ପାଈଁ ଅନୁମତି ଦିଆ ନଯାଉ ଏବଂ(୫)ନିର୍ଘଣ୍ଟ ଅନୁସାରେ ସାଧାରଣ ବସ ଚଳାଚଳ ଓ ଯାତ୍ରୀ ମାନଙ୍କ ବିଶେଷ ସୁବିଧା ପାଈଁ ବସଷ୍ଟାଣ୍ଡ ପରିସରରେ ତୁରନ୍ତ ବସ ଯାନର ଅନୁସନ୍ଧାନ ଏବଂ ଯାତ୍ରୀ ଟିକେଟ ପାଈଁ ଏକ କାଉଣ୍ଟର୍ ଖୋଲାଯାଉ ଓ ତାର ପରିଚାଳନା ଦାୟିତ୍ଵ ଆମ ସଂଘକୁ ଦିଆଯାଉ ।

ଏଥିସହିତ ନିରାପଦ ବସ ଚଳାଚଳ ପାଈଁ ଖରାପ ହୋଇଯାଇଥିବା ରାସ୍ତା ଗୁଡ଼ିକର ତୁରନ୍ତ ମରାମତି କରାଯାଉ ପ୍ରଭୃତି ଦାବି ଗୁଡ଼ିକ ଅନ୍ତର୍ଭୁକ୍ତ । ଦାବି ଗୁଡ଼ିକ ଯଥାଶୀଘ୍ର ପୂରଣ ନ ହେଲେ ଆମ ସଂଗ୍ରାମ ଜାରି ରଖି ଦାବି ପୁରଣ ପାଈଁ ରଜା-ରାସ୍ତାକୁ ଓଲ୍ହାଈବା ପାଈଁ ବାଧ୍ୟ ହେବୁ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ସଂଘ ସଭାପତି-ଦାନାନା ଜଗନ୍ନାଥ ରାଓ ସମ୍ପାଦକ- ନରସିଂହ ମାଳ ବିଶୋଇ ଏବଂ ଆଇନ ପରାମର୍ଶ-ଦାତା ଶ୍ରୀ ହରେକୃଷ୍ଣ ପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ମୋଟର କର୍ମଚାରୀ ଯୋଗ ଦେଇଥିଲେ ।