ସାଉଥମ୍ପଟନ୍ (ଓବି ନ୍ୟୁଜ୍): ଅପରାଜେୟ ଭାରତୀୟ କ୍ରିକେଟ୍ ଦଳ ଶନିବାର ନିଜ ବିଶ୍ବକପ୍ ଅଭିଯାନର ପଞ୍ଚମ ମୁକାବିଲାରେ ଅନଭିଜ୍ଞ ଆଫଗାନିସ୍ତାନକୁ ଭେଟୁଛି । ଏକଦିବସୀୟ କ୍ରିକେଟ୍ରେ ପୂର୍ବରୁ ମାତ୍ର ଦୁଇ ଥର ମୁହାଁମୁହିଁ ହୋଇଥିବା ଏହି ଦୁଇ ଏସୀୟ ରାଷ୍ଟ୍ର ବିଶ୍ବକପ୍ରେ ପ୍ରଥମ ଥର ଲାଗି ଭେଟାଭେଟି ହେଉଛନ୍ତି । ଚମତ୍କାର ଫର୍ମରେ ଥିବା ଭାରତ ଏଥିରୁ ପୂରା ଦୁଇ ପଏଣ୍ଟ୍ ଅର୍ଜନ କରିବା ଆଶାରେ ରହିଛି । ସେପଟେ ଆଫଗାନିସ୍ତାନ ଆଉ ଏକ କଠିନ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛି । ଶକ୍ତିଶାଳୀ ଭାରତ ବିପକ୍ଷରେ ପଏଣ୍ଟ୍ ଖାତା ଖୋଲିବା ଆଫଗାନିସ୍ତାନ ପାଇଁ କାଠିକର ପାଠ ହୋଇପାରେ।ଭାରତର ଏକମାତ୍ର ଡର ହେଉଛି ବର୍ଷା। ସାଉଥମ୍ପଟନ୍ରେ ଶନିବାର ଓ ରବିବାର ବର୍ଷା ହେବାର ପୂର୍ବାନୁମାନ ନାହିଁ। ତଥାପି ଇଂଲଣ୍ଡ ପାଗର କିଛି ଭରସା ନାହିଁ। ବର୍ଷା ଯଦି ଆଉ ଏକ ମ୍ୟାଚ୍କୁ ପ୍ରଭାବିତ କରେ କିମ୍ବା ଏହାକୁ ଧୋଇନିଏ, ତାହେଲେ ଆଫଗାନିସ୍ତାନ ଅପେକ୍ଷା ଭାରତ ପାଇଁ ଏହା ଏକ ବଡ଼ କ୍ଷତି ହେବ। ଭାରତ କିନ୍ତୁ ଆଫଗାନିସ୍ତାନକୁ ହାଲକା ଭାବେ ନେବନି। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏହା କହିଛନ୍ତି। ସେ କହିଛନ୍ତି ଆମେ କୌଣସି ଦଳକୁ ହାଲକା ଭାବେ ନେଉନୁ। ଅଷ୍ଟ୍ରେଲିଆ ହେଉକି ଆଫଗାନିସ୍ତାନ ଆମେ ସବୁ ଦଳକୁ ସମାନ ସମ୍ମାନ ପ୍ରଦାନ କରୁ। ଆମେ ଆମ ଦକ୍ଷତା ଉପରେ ଧ୍ୟାନ ଦେଉ ଏବଂ ମ୍ୟାଚ୍ ପାଇଁ ଯାହା ଦରକାର ତାହା କରୁ।