ମିଳିଲା ଉପଖଣ୍ଡସ୍ତରୀୟ ମାନ୍ୟତା, ଅଧିକ ଡାକ୍ତର ପାଇଁ ଚାଲିଛି ଯୋଜନା

0
377

ହିଂଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର କୁମାର ପାତ୍ର): ସରକାରୀ ରେକର୍ଡ଼ରେ ଡାକ୍ତର ଅଛନ୍ତି, ହେଲେ ଡାକ୍ତରଖାନାରେ ନୁହେଁ । ଅନେକ ସମୟରେ ଏମିତି ଚିତ୍ର ଦେଖିବାକୁ ମିଳିଛି ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏଥିପାଇଁ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହୋଇ ଭିଡ଼ିକି ଯାଉଛନ୍ତି ଅଂଚଳବାସିନ୍ଦା । ହିଂଜିଳିକାଟୁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ବି ବେଳେବେଳେ ଡାକ୍ତର ଆସୁନଥିବା ନେଇ ଲୋକେ ଅଭିଯୋଗ କରୁଛନ୍ତି । ଏମିତି କିଛି ଅଭିଯୋଗ ପାଇବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲେ ଆମ ପ୍ରତିନିଧି । ଭେଟିଥିଲେ ରୋଗୀଙ୍କୁ ଆଉ ଭେଟିଥିଲେ ଡାକ୍ତରଙ୍କୁ ।
୧୯୩୬ ମସିହାରେ ଗଠନ ହୋଇଛି ଏହି ସ୍ୱାସ୍ଥ୍ୟକେନ୍ଦ୍ର । ୧୬ ଶଯ୍ୟା ବିଶିଷ୍ଟ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଛନ୍ତି ୬ ଜଣ ଡାକ୍ତର ଓ ୨ ଜଣ ଫାର୍ମାସିଷ୍ଟ । ଏବେ ଅନେକ ସମୟରେ ଡାକ୍ତରମାନେ ଏଠି ରହୁନଥିବା ନେଇ ଅଭିଯୋଗ ହେଉଛି । ହିଂଜିଳିକାଟୁ ସମେତ ଆଖପାଖ ଗ୍ରାମର ଅନେକ ଲୋକ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ । ସରକାରଙ୍କ ନିରାମୟ ଯୋଜନାରେ ଏଠି ମାଗଣା ଔଷଧ ମିଳୁଛି ସତ ହେଲେ ରୋଗ ଦେଖି ଔଷଧ ଲେଖିବା ପାଇଁ ଡାକ୍ତରଙ୍କ ଅଭାବ ରହିଛି ଏଠି । ପ୍ରାୟତଃ ଜଣେ ଦୁଇ ଜଣ ଡାକ୍ତରଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ର ଚାଲୁଥିବାର ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟସେବା ପାଇବାରୁ ଲୋକେ ବଂଚିତ ହେଉନଥିଲେ ବି ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁଛି ସେମାନଙ୍କୁ । ଏପରିକି ନିର୍ଦ୍ଦିଷ୍ଟ ବିଭାଗର ଡାକ୍ତରଙ୍କ ଅନୁପସ୍ଥିତି ସେମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଛି । ଅନ୍ୟପଟେ ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ଭାରପ୍ରାପ୍ତ ଅଧିକାରୀ । ସରକାରୀ କାମରେ ବେଳେବେଳେ ଏଠାକାର ଡାକ୍ତରଙ୍କୁ ବାହାରକୁ ଯିବାକୁ ପଡ଼ୁଛି ବୋଲି ସେ କହିଛନ୍ତି । ସେପଟେ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାର ମାନ୍ୟତା ମିଳିଛି ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ । ଏଥିପାଇଁ ନୂତନ କୋଠାର ନିର୍ମାଣ ଚାଲିଛି । ଉପକରଣ ଓ ଯନ୍ତ୍ରପାତି ଆହୁରି ଅଧିକ ଅଣାଯାଇ ଲୋକଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ଯତ୍ନବାନ ଅଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିବା ସହ ଯଦି କୌଣସି ଡାକ୍ତର ଛୁଟି ନନେଇ ଅନୁପସ୍ଥିତି ରୁହନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଏପରିକି ବିଭିନ୍ନ ବିଭାଗର ଡାକ୍ତରଙ୍କୁ ଏଠି ନିଯୁକ୍ତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ଓ ଏହା ଆଦର୍ଶ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here