ବଜ୍ରପାତରେ ମହିଳା ଶ୍ରମିକ ମୃତ

0
255

ପାତ୍ରପୁର (ଓବି ନ୍ୟୁଜ୍ ): ଜରଡ଼ା ଥାନା ଅନ୍ତର୍ଗତଃ ରାଙ୍କୁଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ସପଙ୍ଗ ଗ୍ରାମର ପାର୍ବତୀ ନାଇକ(୫୫) । ମିଳିଥିବା ସୂଚନା ଅନୁଯାୟୀ ସପଙ୍ଗ ଗ୍ରାମର ପାର୍ବତୀଙ୍କ ସହ ୧୧ ଜଣ ମହିଳା ରାଙ୍କୁଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଜମିରେ ଧାନ ରୋଇବା ପାଇଁ ସକାଳୁ ଆସି କାର୍ଯ୍ୟରେ ଯୋଗ ଦେଇଥିଲେ । ଅପରାହ୍ନରେ ସମସ୍ତ ଶ୍ରମିକ ମାନେ ଜମି ହିଡ଼ରେ ବସି ମଧ୍ୟାନ୍ନ ଭୋଜନ କରୁଥିବା ବେଳେ ପାର୍ବତୀ ଶୀଘ୍ର ଖାଇ ସାରି ଧାନ ରୋଇବାରେ ଯୋଗ ଦେଇଥିଲେ, ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ପାର୍ବତୀ ଅଚେତ ହୋଇ ଜମିରେ ପଡ଼ି ଯାଇଥିବା ବେଳେ ଅନ୍ୟ ଶ୍ରମିକ ମାନେ ତାଙ୍କୁ ଅଟୋ ଯୋଗେ ପାତ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଜରଡ଼ା ଥାନା ପୋଲିସ, ତହସିଲ କର୍ମଚାରୀ ପହଂଚି ଥିବାବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି ।

LEAVE A REPLY

Please enter your comment!
Please enter your name here