ବ୍ରହ୍ମପୁର (ଓବି ନ୍ୟୁଜ): ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଫି’ ଯେପରି ବୃଦ୍ଧି କରିଛନ୍ତି, ତାହା ସମସ୍ତ ଶିକ୍ଷା ଅଧିକାରକୁ ଭଣ୍ଡୁର କରିଛି । ଅନୁସୂଚିତ ଜାତି, ଜନଜାତି ଓ ଛାତ୍ରଛାତ୍ରୀଙ୍କ ପାଇଁ ଯାହା ୫୦ ଟଙ୍କା ଫି ଥିଲା, ତାକୁ ୨୪ ଗୁଣା ବୃଦ୍ଧି କରି ୧୨୦୦ ଟଙ୍କା ଓ ସାଧାରଣବର୍ଗଙ୍କ ପାଇଁ ଯାହା ୭୫୦ ଟଙ୍କା ଥିଲା ତାକୁ ଦ୍ୱିଗୁଣିତ କରି ୧୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ମାଇଗ୍ରେସନ ଫି ଯାହା ୧୫୦ ଟଙ୍କା ଥିଲା ତାକୁ ୩୫୦ ଟଙ୍କାକୁ ବୃଦ୍ଧି ହୋଇଛି । ଏହିପରି ଫି ବୃଦ୍ଧି କରି ଅଭିଭାବକଙ୍କ ଉପରେ ଆର୍ଥିକ ବୋଝ ଲଦିଦେବା ସହ ଆର୍ଥି ସ୍ୱଚ୍ଛଳ ନଥିବା ଛାତ୍ରଛାତ୍ରୀଙ୍କୁ ସବୁଦିନ ପାଇଁ ଶିକ୍ଷାରୁ ବଂଚିତ କରାଗଲା । ଶିକ୍ଷା ପାଇବା ପାଇଁ ସର୍ବପ୍ରଥମ ଆବଶ୍ୟକ ହେଲା ଲକ୍ଷ ଲକ୍ଷ ଟଙ୍କା ଓ ବିନା ଟଙ୍କାରେ ଶିକ୍ଷା ଉପଲବ୍ଧ ଅସମ୍ଭବ । ଏହି ଧାରଣା ବର୍ତମାନ କେନ୍ଦ୍ର ସରକାର ଭାରତର ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦେବାକୁ ଚାହାନ୍ତି । ଶିକ୍ଷା ଓ ଶିକ୍ଷାର ମୂଳ ଉଦ୍ଦେଶ୍ୟକୁ ଧ୍ୱଂସ କରିଦେବା ପ୍ରକ୍ରିୟାରେ କେବଳ ସିବିଏସଇ ନୁହେଁ ବରଂ ଆଇସିଏସଇରେ ଅହେତୁକ ଫି ବୃଦ୍ଧି କରାଯାଇଛି । ସମସ୍ତ ଘରୋଇ ସ୍କୁଲ ସହ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ ସ୍କୁଲ ଗୁଡ଼ିକରେ ହଜାର ହଜାର ଟଙ୍କା ଫି ବୃଦ୍ଧି କରି ଶିକ୍ଷାନୁଷ୍ଠାନଗୁଡ଼ିକୁ ବ୍ୟବସାୟିକ କେନ୍ଦ୍ରରେ ପରିଣତ କରିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଦିନକୁ ଦିନ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ମାନ କମୁଥିବାବେଳେ ଫି କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି । ଶିକ୍ଷାର ବଜାରିକରଣ, ଘରୋଇକରଣ ଓ ଫି ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦାବି ହେଉଛି । ଏହି ଘଂଟଯାତ୍ରାରେ ଅବନି କୁମାର ଗୟା, ଶାମସୁନ୍ଦର ଖାଡ଼ଙ୍ଗା, ମହେଶ୍ୱର ବାଡ଼ତ୍ୟା, କାଳିଆ ଦାସ, ସୁଶାନ୍ତ କୁମାର ଘୋଷ, କେ.ଶ୍ରୀନିବାସ ରାଓ, ମାଗୁଣି ନାହାକ, ବାସୁଦେବ ସାହୁକାର, ତୈଲୋକ୍ୟନାଥ ଆପ୍ତା, ନିରଞ୍ଜନ ଦାଶ ଓ ସୁଭାଶିଷ ସାହୁ ପ୍ରମୁଖ ସାମିଲ ଥିଲେ ।