ଜୟପୁର(ଓବି ନ୍ୟୁଜ)(ଦୟାନିଧି ପଟ୍ଟନାୟକ):କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ବିଧାୟିକା ତଥା ଓଡ଼ିଶାର ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ବିଧାନସଭା ବୈଠକ ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଆସିଛନ୍ତି।ସେ ମନ୍ତ୍ରୀ ପଦ ପାଇବା ପର ଠାରୁ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ସମୟ ପାଇ ନ ଥିଲେ। ବର୍ତ୍ତମାନ ସେ କୋଟପାଡ଼ ଡାକ ବଙ୍ଗଳା ଠାରେ ଦୁଇ ଦିନ ଧରି ବୋତାସନା,ସରୋଗୀଗୁଡା, କୁସୁମୀ, ଚିତ୍ରା, ଗୀର୍ଲା, ଗୁମୁଡ଼ା ଏବଂ ଘୁମର ପଞ୍ଚାୟତ ବାସୀଙ୍କୁ ଡାକି ଲୋକଙ୍କ ସମସ୍ୟା ବୁଝିଥିଲେ।ପିଇବା ପାଣି ସମସ୍ୟା ଠାରୁ ଆରମ୍ଭ କରି ଆବାସ ଯୋଜନାରେ ଗୃହ ରାସ୍ତା ସମସ୍ୟା ଭଳି ଅନେକ ସମସ୍ୟା ବୁଝିଥିଲେ ଏବଂ କିଭଳି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ସେ ନିଜ ନିର୍ବାଚନ ମଣ୍ଡଳୀ ବାସୀଙ୍କୁ ସିଧାସଳଖ ଆସି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ କହିଥିଲେ। ଲଗାଣ ବର୍ଷାରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କ ଘର ଭାଙ୍ଗିଥିବା କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ। ନଦୀ ତଟ ଅଞ୍ଚଳରେ ନଦୀ ପାର ପାଇଁ ମୋଟର ବୋଟ ଏବଂ ଆଦିବାସୀ ଚାଷୀ ମହିଳା ମାନଙ୍କୁ ପଲିଥିନ ବଣ୍ଟନ କରିଥିଲେ। ଏଭଳି ମନ୍ତ୍ରୀଙ୍କ ପଦକ୍ଷେପକୁ ସାଧାରଣରେ ପ୍ରସଂଶା କରିଛନ୍ତି।