ସତରେ ବଦଳିଯିବ କି ପଡ଼ିଆର ଚିତ୍ର

0
148

ବ୍ରହ୍ମପୁର (ଓବି ନ୍ୟୁଜ): ପଡ଼ିଆର ଚିତ୍ର ଦେଖି ଖପ୍ପା ହୋଇଗଲେ ସାଂସଦ । ପାଦ ଥାପୁ ଥାପୁ ମନେ ପଡ଼ିଗଲା ପିଲାଦିନର କିଛି ଅଭୁଲା ସ୍ମୃତି । ଖଲିକୋଟ କଲେଜରେ ପାଠ ପଢୁଥିବା ବେଳେ ଅନେକ ସମୟ ବିତାଇଥିଲେ ଏହି ପଡ଼ିଆରେ । ହେଲେ ଏବେ ସେହି ପଡ଼ିଆ ରୁଗୁଣ ଅବସ୍ଥାରେ ।
ଏମିତି କିଛି ଖବର ପାଇବା ପରେ ଅନୁଧ୍ୟାନ ପାଇଁ ସକାଳୁ ସକାଳୁ ପହଂଚିଯାଇଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଖଲିକୋଟ କଲେଜ ଖେଳ ପଡ଼ିଆରେ । ସାଥୀରେ ଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।
ପଡ଼ିଆରେ ବିଭିନ୍ନ ଖେଳ ପାଇଁ ଅଭ୍ୟାସ କରୁଥିବା ଖେଳାଳି ମାନଙ୍କୁ ଭେଟିଥିଲେ ଏହି ଦୁଇ ନେତା । ପ୍ରାତଃ ଭ୍ରମଣ କରୁଥିବା କିିଛି ବରିଷ୍ଠ ନାରଗିକଙ୍କୁ ଭେଟି ସେମାନଙ୍କ ପରାମର୍ଶ ମଧ୍ୟ ଲୋଡ଼ିଥିଲେ । ଖଲିକୋଟର ଖେଳ ପଡ଼ିଆର ଯେପରି ବିକାଶ ହୋଇପାରିବ ଓ ଖେଳ ଉପଯୋଗୀ ହୋଇ ପାରିବ ସେଦିଗରେ ପଦକ୍ଷେପ ନେବା ପାଇଁ ପୁର୍ତ ବିଭାଗର ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଦୁଇ ନେତା ।
ଗୋଟାଏ ପଟେ ପଂଚାୟତସ୍ତରରୁ ବିଶ୍ୱସ୍ତରୀୟ ପର୍ଯ୍ୟନ୍ତ କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ସହ ନୂଆ ନୂଆ ଖେଳାଳି ସୃଷ୍ଟି ପାଇଁ ସ୍କୁଲ ଓ କଲେଜରେ ଖେଳ ପଡ଼ିଆ ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ହେଲେ ବ୍ରହ୍ମପୁର ସହରରୁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇଥିଲେ ବି ଏବେ ବି ସହରରେ ଭଲ ଖେଳ ପଡ଼ିଆଟିଏ ନାହିଁ ।
ବ୍ରହ୍ମପୁର ଷ୍ଟାଡ଼ିୟମର କିଛି ଜମି ସେନାବାହିନୀ ଦଖଲରେ ଥିବା ହେତୁ ତାହା ଆଗେଇ ପାରିନଥିବା ବେଳେ ଏବେ ଅବଶ୍ୟ ସେହି ସମସ୍ୟାର ସମାଧାନ ହୋଇ ପାରିଛି । ସେହି ଜମି ଅଧିଗ୍ରହଣ କରାଯାଇ ଷ୍ଟାଡ଼ିୟମର ପୂର୍ଣ୍ଣାଙ୍ଗ କାମ ଆଗେଇ ଚାଲିଛି । ଅନ୍ୟ ପଟେ ସିଟି ହାଇସ୍କୁଲ ଖେଳ ପଡ଼ିଆ, ମେଡ଼ିକାଲ ଖେଳ ପଡ଼ିଆ ଓ ଇଂଜିନିୟରିଂ ସ୍କୁଲ ଖେଳ ପଡ଼ିଆର ବିକାଶ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ବି ଆଖି ଦୃଶିଆ କାମ ହୋଇ ପାରିନାହିଁ । ଏଣୁ ରାତି ପାହିଲେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନିର୍ଭର କରୁଛନ୍ତି ଖଲିକୋଟ କଲେଜ ଖେଳ ପଡ଼ିଆ ଉପରେ । ଆଉ ସେହି କଥାକୁ ହୃଦୟଙ୍ଗମ କରି ପାରିଛନ୍ତି ଏହି ନେତା । ଭିତିଭୂମିର ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି । ଯାହାକି ଖେଳାଳିଙ୍କ ମହଲରେ ନୂଆ ଆଶାର କିରଣ ସଂଚାର କରିଛି । ତେବେ ଦେଖିବା କଥା କେବେ ବଦଳୁଛି ପଡ଼ିଆର ଭୌଗଳିକ ଚିତ୍ର ।

LEAVE A REPLY

Please enter your comment!
Please enter your name here