ମନ୍ଥର ଗତିରେ ଚାଲିଛି କାମ! କେବେ କାର୍ଯ୍ୟକ୍ଷମ ହେବ ବସଷ୍ଟାଣ୍ଡ?

0
359

ହିଞ୍ଜିଳିକାଟୁ(ଓବି ନ୍ୟୁଜ) (ପବିତ୍ର କୁମାର ପାତ୍ର): ଏନଏସି ଯାଇ ପୌର ପାଳିକାର ମାନ୍ୟତା ମିଳିଲା । ତାକୁ ଦୃଷ୍ଟିରେ ରଖି ରାସ୍ତା ଘାଟ, ନାଳ ନର୍ଦ୍ଦମାର ଚିତ୍ର ବଦଳି ଗଲା । ଧୀରେ ଧୀରେ ଚକ୍ ଚାକ୍ ହେବାରେ ଲାଗିଛି ସାରା ସହର । ଆମେ କହୁଛୁ ହିଞ୍ଜିଳିକାଟୁ ସହର ସଂପର୍କରେ । ଇଏ ହେଉଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ଏଣୁ ନେତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ହାକିମଙ୍କର ନଜରରେ ରହି ଆସିଛି ଏହି ସହର ।
ସହରର ଏନଏସିକୁ ପୌର ପାଳିକାରେ ପରିଣତ କରିବା ପରେ ସବୁଠି ବିକାଶର ଚିତ୍ର ପ୍ରତିଫଳିତ ହେଉଛି । ଆଉ ସେହି କ୍ରମରେ ପୁରୁଣା ବସଷ୍ଟାଣ୍ଡ କୋଠା ଗୃହକୁ ଭାଙ୍ଗି ଦିଆଯାଇ ନିର୍ମାଣ ଚାଲିଛି ନୂତନ ସୁନ୍ଦର ବସଷ୍ଟାଣ୍ଡ । ଗତ ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହୋଇଛି ଏହି ନୂତନ ବସ ଟର୍ମିନାଲ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ । ହେଲେ ସରିବାର ନାମ ଧରୁନି । କାମ କେବେ ସରିବ ସେହି ବାବଦର ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ । ଯାହାକି ଲୋକଙ୍କୁ ସନ୍ଦେହରେ ପକାଇଛି ।
ସରକାରଙ୍କ ନୀୟମ ଅନୁସାରେ କୌଣସି ଠିକା ସଂସ୍ଥା ପ୍ରକଳ୍ପ ନିର୍ମାଣ ସକାଶେ କାର୍ଯ୍ୟାଦେଶ ପାଇବା ପରେ ସଂପୂର୍ଣ୍ଣ ଠିକାଦାର ସେହି କାର୍ଯ୍ୟ ଆରମ୍ଭ କରିବା ସମୟରେ ପ୍ରକଳ୍ପ ସଂପର୍କିୟ ସମସ୍ତ ବିବରଣୀ, ପ୍ରକଳ୍ପ ନାମ, ପ୍ରକଳ୍ପ ଅଟକଳ ମୂଲ୍ୟ, ଠିକାଦାରଙ୍କ ନାମ ଏବଂ ପ୍ରକଳ୍ପ ଆରମ୍ଭ ତାରିଖ ଠାରୁ କେବେ ସରିବ ସେ ସଂପର୍କିୟ ସମସ୍ତ ବିବରଣୀ ଫଳକରେ ଉଲ୍ଲେଖ କରିବା କଥା । ତେବେ ଏଠି ତାହାର ବ୍ୟତିକ୍ରମ ଘଟିଛି । କାମର ମାନକୁ ନେଇ କୌଣସି ମହଲରେ ସନ୍ଦେହ ସୃଷ୍ଟି ହୋଇନଥିଲେ ବି ପ୍ରକଳ୍ପ କାମ କାହିଁକି ମନ୍ଥର ଗତିରେ ଚାଲିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ସହର ଦେଇ ଦୈନିକ ପ୍ରାୟ ଦେଢ ଶହ ବସ୍ ବିଭିନ୍ନ ସହରକୁ ଯାତାୟତ କରୁଛି । ଏଣୁ ନୂତନ ବସଷ୍ଟାଣ୍ଡ୍ କାମ ଚାଲିଥିବାରୁ ଷ୍ଟାଡ଼ିୟମ ପରିସରକୁ ଅସ୍ଥାୟୀ ବସଷ୍ଟାଣ୍ଡ ରୂପେ ବ୍ୟବହାର କରାଯାଉଛି । ବସଷ୍ଟାଣ୍ଡ ନିର୍ମାଣ କାମ ସରିନଥିବାରୁ ଏପଟେ ବସ ମାଲିକ ମାନେ ଚିନ୍ତାରେ ପଡ଼ିଥିବା ବେଳେ ସେପଟେ କଲେଜର ଛାତ୍ରଛାତ୍ରୀମାନେ ଖେଳା ଖେଳି କରିବାରୁ ବଂଚିତ ହେଉଛନ୍ତି । ଏଣୁ ତୁରନ୍ତ ବସଷ୍ଟାଣ୍ଡ୍ ନିର୍ମାଣ କାମ ସାରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here