ସୋନପୁର(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ):ଏକ ନମ୍ବର ବିହୀନ ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ସୋନପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ରାଜ୍ୟ ବାହାର ଯୁବକଙ୍କୁ ଗିରଫ କରିଛି । ତେବେ ଅବକାରୀ ବିଭାଗ ସ୍କୁଟି ଗାଡିରୁ ୪ କେଜି ବେଆଇନ ଗଞ୍ଜେଇ ଜବତ କରି ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି । । ତେବେ ଏଥିରେ ସମ୍ପୃକ୍ତ ଛତିଶଗଡର ରାୟଗଡ ଜିଲ୍ଲା ଅନ୍ତର୍ଗତ ସରିଆ ଥାନା ପୁଜରିଲି ଗ୍ରାମର ଜଗତ ଚୌହାନ (୨୭) ଙ୍କୁ ଗିରଫ କରାଯାଇଥିଲା । ସୂଚନା ଅନୁସାରେ ସକାଳୁ ଏକ ସ୍କୁଟି ଗାଡିରେ ଅନେକ ପରିମାଣରେ ଗଞ୍ଜେଇ ବୌଦ୍ଧ ଜିଲ୍ଲା ପଟୁ ଆସୁଥିବା ସମ୍ପୃକ୍ତ ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା କୌଣସି ସୁତ୍ରରୁ ଖବର ପାଇବା ପରେ ଅବକାରୀ ଡେପୁଟି ସୁପରିଟେଣ୍ଡେଂଟ ସନ୍ତୋଷ କୁମାର ଧଳସାମନ୍ତ, ସବଇନ୍ସପେକ୍ଟର ରମ୍ଭା ବାଗ, ଏଏସଆଇ ପ୍ରଦୀପ ରଥ ପ୍ରମୁଖଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ସହରର ମୁଖ୍ୟ ଦ୍ୱାର ବୁଢାରଜା ଛକରେ ଛକି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱତନ୍ତ୍ର ସ୍କ୍ୱାର୍ଡ ସେଠାରେ ଛକି ଥିବା ବେଳେ ସକାଳ ୭ଟାରେ ଏକ ନମ୍ବର ବିହୀନ ସ୍କୁଟି ଜୁପିଟର୍ ବାଇକ ସନ୍ଦେହ ଜନକ ଭାବେ ସହର ମଧ୍ୟରୁ ହିକୁଡି ପଟକୁ ଯାଉଥିବା ବେଳେ ବୁଢାରଜା ଛକ ଠାରେ ଅଟକାଇ ଯାଂଚ କରିଥିଲେ । ଯାଂଚ ସମୟରେ ଗାଡିରୁ ୪ଟି ପଲିଥିନ ପ୍ୟାକେଟ୍ରେ ୪ କେଜି ଗଞ୍ଜେଇ ବାହାରିଥିଲା ଆଜି ଅପରାହ୍ନରେ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯିବା ପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି ।